ETV Bharat / bharat

କୋଟାରେ ଲାଗୁନି ସୁଇସାଇଡ୍‌ ବ୍ରେକ; ଜୀବନ ହାରିଲେ ଇଞ୍ଜିନିୟର ଛାତ୍ର, ଚଳିତ ବର୍ଷର ପଞ୍ଚମ ଘଟଣା

author img

By ETV Bharat Odisha Team

Published : Mar 8, 2024, 12:53 PM IST

Bihar Student Dies by Suicide
Bihar Student Dies by Suicide

Bihar Student Dies by Suicide: ରାଜସ୍ଥାନ କୋଟାରେ ପୁଣି ଛାତ୍ର ମୃତ୍ୟୁ । ଜୀବନ ହାରିଲେ ଇଞ୍ଜିନିୟର କୋଚିଂ ନେଉଥିବା ଛାତ୍ର । ଚଳିତ ବର୍ଷର 5ମ ଘଟଣା । ଅଧିକ ପଢନ୍ତୁ

ଜୟପୁର: କୋଟାରେ ଲାଗୁନି ମୃତ୍ୟୁର ବ୍ରେକ । ଗୋଟିଏ ପରେ ଯାଉଛି ଗୋଟିଏ ଜୀବନ । ରାଜସ୍ଥାନର କୋଟାରେ ପୁଣିଥରେ ଜଣେ ଛାତ୍ର ଜୀବନ ହାରିଛନ୍ତି । ଇଞ୍ଜିନିୟର ପାଇଁ କୋଚିଂ ନେଉଥିବା ବେଳେ ସେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଜେଇଇ ପାସ ନକରିପାରିବା କାରଣରୁ ଏଭଳି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ମୃତ ଛାତ୍ର ଜଣକ ବିହାରର ଭାଗଲପୁରରୁ କୋଟା ଆସି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଉଥିଲେ । ତେବେ ସେ ପିଜି ରୁମରେ ଏକ ସୁଇସାଇଡ ନୋଟ୍ ଲେଖି ଜୀବନ ହାରିଛନ୍ତି । ବର୍ତ୍ତମାନ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ପରିବାର ଲୋକଙ୍କୁ ସୂଚନା ଦେଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି ।

ଏନେଇ ବିଜ୍ଞାନ ନଗର ଥାନା ଅଧିକାରୀ ସତୀଶ ଚନ୍ଦ୍ର ସିଂଙ୍କର କହିବା ଅନୁସାରେ, "ଛାତ୍ର ଜଣକ ବିହାର ଭାଗଲପୁର ଜିଲ୍ଲାର ବାସିନ୍ଦା । ବୟସ ମାତ୍ର 16 ବର୍ଷ । ସେ ବିଜ୍ଞାନ ନଗରର ତିରୁପତି ହୋଟେଲ ନିକଟସ୍ଥ ଏକ ପିଜିରେ ରହୁଥିଲେ । ମାତ୍ର 15 ଦିନ ହେବ ସେ ଆସିଥିଲେ । ଏହା ପୂର୍ବରୁ ସେ ଅନ୍ୟ ଏକ ପିଜିରେ ରହୁଥିଲେ । ଏଠାରେ ରହି ଜେଇଇ ମେନ୍ ଏବଂ ଆଡଭାନ୍ସ ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । ତେବେ ପିଜି ଅପରେଟର ଜଣକ ଏହି ଘଟଣା ନେଇ ସୂଚନା ଦେବା ପରେ ଆମେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛୁ।"

ଏହା ମଧ୍ୟ ପଢନ୍ତୁ: ଜେଇଇ ମେନ୍ ପରୀକ୍ଷାରେ ଅସଫଳ ଯୋଗୁଁ ଝୁଲି ପଡିଲେ ଛାତ୍ର

ପୋଲିସ ଅଧିକାରୀଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରାଥମିକ ଅନୁସନ୍ଧାନରୁ ଛାତ୍ରଜଣକ ଗୁରୁବାର ଦିନ ଜୀବନ ହାରିଥାଇପାରନ୍ତି । ତେବେ ଆଜି ସେ କବାଟ ନଖୋଲିବା କାରଣରୁ ପିଜି ମାଲିକ ପୋଲିସକୁ ଖବର ଦେଇଥିଲେ । ଘଟଣାର ତଦନ୍ତ ପାଇଁ FSL ଦଳକୁ ଘଟଣାସ୍ଥଳକୁ ଡକାଯାଇଛି ଏବଂ ପରୀକ୍ଷା ପାଇଁ ନମୁନା ନିଆଯାଇଛି ବୋଲି ସେ କହିଛନ୍ତି । ତେବେ ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ ନୋଟ୍ ଛାଡି ଚାଲିଯାଇଛନ୍ତି ଯୁବକ । ସେଥିରେ ଲେଖା ଅଛି, 'ଜେଇଇ ପାସ ହୋଇପାରୁ ନାହିଁ, ସେଥିପାଇଁ ମୁଁ ଏଭଳି ପଦକ୍ଷେପ ନେଉଛି ।' ତେବେ ଚଳିତବର୍ଷର ଏହା ପଞ୍ଚମ ଘଟଣା ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.