ETV Bharat / bharat

କସ୍‌ମେଟିକ ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡର ରେସ୍କ୍ୟୁ ଅପରେସନକୁ 3ୟ ଦିନ, ମିଳିନି ବାକି ୪ ଜଣଙ୍କ ସନ୍ଧାନ

author img

By ETV Bharat Odisha Team

Published : Feb 4, 2024, 8:41 PM IST

କସ୍‌ମେଟିକ ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡର ରେସ୍କ୍ୟୁ ଅପରେସନକୁ ତୃତୀୟ ଦିନ , ମିଳିନି ବାକି ୪ ଜଣଙ୍କ ସନ୍ଧାନ
କସ୍‌ମେଟିକ ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡର ରେସ୍କ୍ୟୁ ଅପରେସନକୁ ତୃତୀୟ ଦିନ , ମିଳିନି ବାକି ୪ ଜଣଙ୍କ ସନ୍ଧାନ

3rd Day of Baddi Perfume Factory Fire Incident: ହିମାଚଳ ପ୍ରଦେଶ କସ୍‌ମେଟିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ରେସ୍କ୍ୟୁ ଅପରେସନକୁ ଆଜି ପୂରିଛି ତୃତୀୟ ଦିନ । ଏ ଯାଏଁ ଏହି ଭୀଷଣ ଅଗ୍ନିକାଣ୍ଡରେ ମୋଟ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଅଧିକ ପଢନ୍ତୁ

ସିମଲା: ହିମାଚଳ ପ୍ରଦେଶ ବଦ୍ଦିର ଝାଡ଼ମାଜରୀରେ ପରଫ୍ୟୁମ ଓ କସମେଟିକ ନିର୍ମାଣକାରୀ ଏନଆର ଆରୋମା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା । ରେସ୍କ୍ୟୁ ଅପରେସନକୁ ଆଜି ପୂରିଛି ତୃତୀୟ ଦିନ । ଏବେ ସୁଦ୍ଧା ଫ୍ୟାକ୍ଟ୍ରି ଭିତରେ ଲାଗିଥିବା ନିଆଁ ଲିଭି ନାହିଁ ବୋଲି ସୂଚନା ମିଳିଛି । ବିଲ୍ଡିଂଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି କିନ୍ତୁ ଏନଡିଆରଏଫ ଓ ଏସଡିଆରଏଫର କର୍ମଚାରୀମାନେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏବେ ସୁଦ୍ଧା ଆହୁରି ୪ ଜଣ ଲୋକଙ୍କ ସନ୍ଧାନ ଜାରି ରହିଛି ।

ସୂଚନାଯୋଗ୍ୟ ଯେ ଏଯାଏଁ ଏହି ଭୀଷଣ ଅଗ୍ନିକାଣ୍ଡରେ ମୋଟ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି । ସେହିପରି ୩୦ ଜଣ ଲୋକଙ୍କୁ ପ୍ରଶାସନ ଉଦ୍ଧାର କରିସାରିଛି । ସେମାନଙ୍କ ମଧ୍ୟରେ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ଓ ବାକି ୨୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ଗତକାଲି (ଶନିବାର) ଏନଡିଆରଏଫର ଯବାନମାନେ ଫ୍ୟାକ୍ଟ୍ରିରୁ 4 ମୃତଦେହକୁ ଉଦ୍ଧାର କରିଥିଲେ । ଫ୍ୟାକ୍ଟ୍ରି ମଧ୍ୟରେ କେମିକାଲ ଓ ଅନ୍ୟାନ୍ୟ ଅଗ୍ନି ଧରୁଥିବା ସାମଗ୍ରୀ ରହିଥିବାରୁ ଫ୍ୟାକ୍ଟ୍ରିରେ ଏଯାବତ୍ କଳାଧୂଆଁ ବାହାରିବା ସହ ନିଆଁ ଲିଭି ନାହିଁ ।

ସେହିପରି ଘଟଣାସ୍ଥଳରେ ଉପସ୍ଥିତ ଥିବା ଫରେନ୍ସିକ ବିଭାଗର ଡାଇରେକ୍ଟର ଡା. ମୀନାକ୍ଷୀ କହିଛନ୍ତି ଯେ " ବର୍ତ୍ତମାନ ଏନଡିଆରଏଫ ଯବାନଙ୍କ ଦ୍ୱାରା ଫ୍ୟାକ୍ଟ୍ରି ମଧ୍ୟକୁ ଯିବା ପାଇଁ ମନା କରାଯାଇଛି । ଯେଉଁ କାରଣରୁ ତାଙ୍କୁ କେବଳ ବାହାରେ ଯାଞ୍ଚ କରିବାକୁ ଅନୁମତି ମିଳିଛି । ଫଟୋ ଏବଂ ଭିଡିଓଗ୍ରାଫି ଜରିଆରେ ପ୍ରମାଣକୁ ଏକାଠି କରାଯାଉଛି ଏବଂ ଅଗ୍ନିକାଣ୍ଡର କାରଣ ଓ ଉତ୍ପତ୍ତି ବିଷୟରେ ଯାଞ୍ଚ ଚାଲିଛି । " ଡ. ମୀନାକ୍ଷୀ କହିଛନ୍ତି ଯେ " ଫ୍ୟାକ୍ଟ୍ରିରୁ ମିଳିଥିବା ୪ଟି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏହାକୁ ନେଇ ମଧ୍ୟ ରିପୋର୍ଟ ପ୍ରସ୍ତୁତ ହେବ । ସ୍ୟାମ୍ପଲ ନେବାର 1ରୁ ଦେଢ ମାସ ପରେ ଏହି ଘଟଣାର ସମ୍ପୂର୍ଣ୍ଣ ଫଳାଫଳ ପ୍ରକାଶ କରାଯିବ । ଫ୍ୟାକ୍ଟ୍ରିରେ କେମିକାଲ ସେଫ୍ଟିକୁ ନେଇ ସାବଧାନତା ଅବଲମ୍ବନ କରାଯାଇଥିଲା କି ନାହିଁ ତାହାର ମଧ୍ୟ ଯାଞ୍ଚ ହେବ । "

ଏହା ମଧ୍ୟ ପଢନ୍ତୁ ...ହିମାଚଳ କସ୍‌ମେଟିକ କାରଖାନା ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା 5କୁ ବୃଦ୍ଧି, 9 ଏବେବି ନିଖୋଜ

ସୋଲନ ପୋଲିସର ତଥ୍ୟ ମୁତାବକ କମ୍ପାନୀର ମାଲିକକୁ ଗିରଫ କରିବା ପାଇଁ ପୋଲିସ ଟିମ ପଠାଯାଇଛି । ଗତକାଲିଠୁ କମ୍ପାନୀର ମ୍ୟାନେଜରକୁ ଗିରଫ କରାଯାଇଛି । ପୋଲିସ ଏସଆଇଟି ଗଠନ କରି ମାମଲାର ଯାଞ୍ଚ ଆରମ୍ଭ କରିଛି । ଆଜି ଖରାପ ପାଗ ସତ୍ତ୍ୱେ ଏନଡିଆରଏଫ, ଏସଡିଆରଏଫ୍, ପୋଲିସ ଓ ହୋମଗାର୍ଡର ଯବାନମାନେ ଲଗାତାର ଡୃତୀୟ ଦିନ ଧରି ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି । ଉକ୍ତ ଘଟଣା ସ୍ଥଳରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ଡିଜିପି ଆଦି ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ସରକାରଙ୍କ ପକ୍ଷରୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି ।

ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନ ଅପରାହ୍ନ ପ୍ରାୟ 1.30 ସମୟରେ, ହିମାଚଳ ପ୍ରଦେଶ ସୋଲନର ଶିଳ୍ପାଞ୍ଚଳର ବଦ୍ଦି ଝାଡମାଜରୀ ସ୍ଥିତ ‌କସମେଟିକ ପ୍ରଡକ୍ଟ ଉତ୍ପାଦନ କରୁଥିବା ଏକ କାରଖାନାରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଏହା ପରେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । କାରଖାନାରେ ରାସାୟନିକ ପଦାର୍ଥ ରହିଥିବାରୁ ନିଆଁ ଶୀଘ୍ର ବ୍ୟାପି ଯାଇଥିଲା । ଫଳରେ ହୁତୁହୁତୁ ହୋଇ ଜଳିଥିଲା କାରଖାନା । ନିଆଁ ଲାଗିବା ସମୟରେ ଫ୍ୟାକ୍ଟ୍ରିରେ 80ରୁ 85 ଜଣ ରହିଥିବା ବେଳେ ନିଆଁ ଲାଗିବା ପରେ ସଙ୍ଗେସଙ୍ଗେ 30ଜଣ ଆହତଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.