ଓଡିଶା

odisha

RathaKhala Halchal: ତିନିରଥର 'ପ୍ରଥମ ଭୂଇଁ' ନିର୍ମାଣ କାର୍ଯ୍ୟ ଶେଷ

By

Published : Jun 4, 2023, 3:37 PM IST

ପୁରୀ:ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ । ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି ରଥ ନିର୍ମାଣକାରୀ ସେବକ। ତିନିରଥର 'ପ୍ରଥମ ଭୂଇଁ' ନିର୍ମାଣ ମହାରଣା ସେବକଙ୍କ ଦ୍ବାରା ଶେଷ ହେବାପରେ 3ରଥ ପ୍ରଥମ ଭୂଇଁର ଅଂଶଗୁଡିକର ନମ୍ବରିଂ କରାଯାଇଛି । ନମ୍ବରିଂ ପରେ ପ୍ରଥମ ଭୂଇଁଗୁଡିକୁ ଖୋଲାଯାଇ ରଥଖଳାଠାରେ ଭୋଇ ସେବକମାନେ ସାଇତି ଥିଲେ । ତିନିରଥର ଚାରିନାହାକାରେ ପ୍ରଥମ ଭୂଇଁ ଚଉତା ବା ଛକାଠ ସେଟିଂ ହୋଇ ମହାରଣା ଏବଂ ଭୋଇ ସେବକଙ୍କ ଦ୍ବାରା କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି । ତିନି ରଥର 'ଚଉଦ ନାହାକା' ଉଠିବା ପରେ ପ୍ରଥମ ଭୂଇଁର ବାକି ଅଂଶ ଯଥା ୪ ଖମ୍ବୀ, ୨୪ ପାଖୁଡା, ୧୬ ଛିଆଣ, ପାଖୁଡାକୁ ଧରି ରଖିବା ପାଇଁ ଭୂଇଁ ଖମ୍ବୀ ଆଦି ସଂଯୋଗ ହେବ । କରତି ସେବକମାନେ ୬ ଫୁଟ ସାଇଜର ନଡ଼ିଆ ଗର ବା 'ଖଦି ଓରା' ଗଡକରି ତିନି ରଥ ମହାରଣା ସେବକମାନଙ୍କୁ ଯୋଗାଇଥିଲେ । 

ମହାରଣା ସେବକମାନେ ଖଦି ଓରାରେ କାପ ଏବଂ ବିନ୍ଧ କରି ତିନିରଥର ଦଣ୍ଡାଗୁଡିକରେ ଆଡ କରି ଫିଟିଂ କରିଛନ୍ତି । ଏହି ଖଦିଓରାରେ ଚଉଦ ନାହାକାଗୁଡିକ ସଂଯୋଗ ହୋଇ ଉଠିଲା ପରେ ପ୍ରଥମ ଭୂଇଁର ବାକି ଅଂଶଗୁଡ଼ିକ ଚଉଦ ନାହାକା ସଂଯୁକ୍ତ ହେବ। ମହାରଣା ସେବକମାନେ ରଥଖଳାରେ ଦ୍ବିତୀୟ ଭୂଇଁର ଫ୍ରେମ ନିର୍ମାଣ ଜାରି ରଖିଛନ୍ତି । ରୂପକାର ସେବକମାନେ ତିନି ରଥର ନାଟଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ସହ ତିନିରଥ ଧୂଳି ଦଣ୍ଡାରେ ପଦ୍ମ ପାଖୁଡା ଡାଳିକତା ଖୋଦେଇ ଜାରି ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ତିନି ରଥର ପ୍ରଥମ ଭୂଇଁ କଣ୍ଟା, ତାଗ କଣ୍ଟା, କତରା କଣ୍ଟା ଏବଂ ଡମକ କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ଚିତ୍ରକର ସେବାକାରୀମାନେ ତିନିରଥର ପାର୍ଶ୍ବ ଦେବାଦେବୀ, ସଖୀ ଏବଂ ଶିଖର ଡମ୍ବରୁ ଆଦିରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details