ଓଡିଶା

odisha

ଶ୍ରାବଣ ସୋମବାର, ବ୍ରହ୍ମପୁରର ବିଭିନ୍ନ ଶୈବମନ୍ଦିରରେ କାଉଡିଆଙ୍କ ଭିଡ

By

Published : Jul 17, 2023, 7:31 PM IST

Sawan Somwar

ବ୍ରହ୍ମପୁର: ଶ୍ରାବଣ ମାସର ଦ୍ଵିତୀୟ ସୋମବାର ତଥା ସଂକ୍ରାନ୍ତି ଅବସରରେ ବ୍ରହ୍ମପୁର ସହରର ବିଭିନ୍ନ ଶୈବ ମନ୍ଦିରରେ କାଉଡିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଥିବା ପବିତ୍ର ନଦୀରୁ କାଉଡିଆମାନେ କାନ୍ଧରେ ଜଳଭାର ନେଇ ଆସିବା ପରେ ବିଭିନ୍ନ ଶୈବମନ୍ଦିରରେ ଜଳାଭିଷେକ କରିଥିଲେ । ଚଳିତବର୍ଷ ଦୀର୍ଘ ବର୍ଷ ପରେ ଯୋଡା ଶ୍ରାବଣ ମାସ ରହିଥିବାରୁ ଏହାକୁ ନେଇ ଭକ୍ତମାନେ ବିଭିନ୍ନ ସ୍ଥାନରୁ ପାଣି ଭାର ନେଇ ମହାଦେବଙ୍କ ପୀଠରେ ଜଳଲାଗି କରିଥିଲେ । ଦିନ ତମାମ ସହରର ସମସ୍ତ ଶୈବପୀଠରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।  

ମୁଖ୍ୟତଃ ବ୍ରହ୍ମପୁର ସହରର ଉପକଣ୍ଠରେ ରହିଥିବା ଲାଠି ଜଳାଶୟ ସମତେ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀ ପୀଠ, ପୁରଷୋତ୍ତମପୁର ସ୍ଥିତ ପ୍ରତାପପୁର ନଦୀ, ଚିକିଟିର ବାହୁଦା ନଦୀପୀଠ ଭଳି ସ୍ଥାନରେ କାଉଡ଼ିଆ ଭକ୍ତମାନେ ପବିତ୍ର ଜଳାଶୟରୁ ଜଳ ନେଇ ଆସିବା ପରେ ଜଳଭାର ନେଇ ନିଜର ମାନସିକ ପୂରଣ ପାଇଁ ବିଭିନ୍ନ ଶୈବପୀଠରେ ଚାଲି ଚାଲି ପହଞ୍ଚିବା ପରେ ଜଳାଭିଶେକ କରିଥିଲେ । ଏନେଇ ବ୍ରହ୍ମପୁର ସହରର ବିଭିନ୍ନ ଶୈବପୀଠରେ ଲାଗି ରହିଥିଲା ବୋଲବମ ଭକ୍ତଙ୍କ ଭିଡ଼ ।  

ଏହା ବି ପଢନ୍ତୁ- Sawan Somwar: ଶ୍ରୀଲୋକନାଥ ପୀଠରେ ହଜାର ହଜାର କାଉଡ଼ିଆଙ୍କ ସମାଗମ

ବ୍ରହ୍ମପୁର ସହରର ନୀଳକଣ୍ଠେଶ୍ବର ଶୈବ ମନ୍ଦିର, ବୈଦ୍ୟନାଥେଶ୍ବର ଶୈବ ମନ୍ଦିର, ଚନ୍ଦ୍ରଚୁଡ଼େଶ୍ବର ଶୈବ ମନ୍ଦିର , ପଶ୍ଚିମେଶ୍ବର ମନ୍ଦିର, ଇଷାଣେଶ୍ବର ମନ୍ଦିର, ଚନ୍ଦ୍ର ଚୁଡେଶ୍ବର ମନ୍ଦିର, ଧବଳେଶ୍ବରଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶୈବମନ୍ଦିରରେ ଭୋର ସକାଳ ସମୟରୁ ଭକ୍ତମାନେ ମହାଦେବଙ୍କ ନିକଟରେ ଜଳଲାଗି କରି ପୂଜାର୍ଚ୍ଚନା କରିଥିଲେ । ଏପରିକି ବୋଲବମ ଭକ୍ତମାନେ ଯେପରି ମହାଦେବଙ୍କ ନିକଟରେ ଜଳଲାଗି କରିପାରିବେ ସେ ନେଇ ବିଭିନ୍ନ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୁରାଣ ଅନୁଯାୟୀ ଶ୍ରାବଣ ମାସରେ ଶିବଙ୍କ ପୀଠରେ ଜଳାଭିଷେକ କଲେ ଅନେକ ପୂଣ୍ୟ ମିଳିଥାଏ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details