ଓଡିଶା

odisha

‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ, କମୁଛି ପ୍ରସବଜନିତ ମାତୃ ମୃତ୍ୟୁସଂଖ୍ୟା

By

Published : Aug 1, 2021, 10:29 AM IST

‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ପାଇଁ କମୁଛି ପ୍ରସବଜନିତ ମାତୃ ମୃତ୍ୟୁସଂଖ୍ୟା

ସୁନ୍ଦରଗଡ଼ ଜିଲ୍ଲାରେ ଗର୍ଭବତୀ ମା’ଙ୍କୁ ସହାୟ ହେଉଛି ‘ମାତୃଜ୍ୟୋତି’ । କମୁଛି ପ୍ରସବଜନିତ ମାତୃ ମୃତ୍ୟୁ ସଂଖ୍ୟା । ଅଧିକ ପଢନ୍ତୁ...

ସୁନ୍ଦରଗଡ଼: ଜିଲ୍ଲାରେ ମାତୃ ମୃତ୍ୟୁହାର ହ୍ରାସ କରିବା କ୍ଷେତ୍ରରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ବିଶେଷ ଭୂମିକା ନେବାକୁ ଯାଉଛି । ୨୦୨୦ ନଭେମ୍ବର ମାସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଲାଗୁ ହେବା ପରେ ମାତୃ ମୃତ୍ୟୁ ସଂଖ୍ୟା କମିଥିବା ଲକ୍ଷ୍ୟ କରାଯାଇଛି ।

‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ପାଇଁ କମୁଛି ପ୍ରସବଜନିତ ମାତୃ ମୃତ୍ୟୁସଂଖ୍ୟା
ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ମୃତ୍ୟୁ ସଂଖ୍ୟାର ସ୍ଥିତି ସମ୍ପର୍କରେ ଜାଣିବା ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିକଟରେ ଏକ ସମୀକ୍ଷା କରାଯାଇଥିଲା । ଏଥିରେ ୨୦୨୦ ମେ’ ମାସରୁ ୨୦୨୧ ଏପ୍ରିଲ – ଏହି ୧୨ ମାସ ମଧ୍ୟରେ ମାତୃ ମୃତ୍ୟୁ ସଂଖ୍ୟାକୁ ହିସାବକୁ ନିଆଯାଇଥିଲା । ଏଥିରୁ ମିଳିଥିବା ତଥ୍ୟ ଅନୁଯାୟୀ ଜଣାପଡ଼ିଛି ଯେ, ଗର୍ଭବତୀ ମା’ମାନଙ୍କ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ସୁଫଳ ମିଳୁଛି । ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଆରମ୍ଭ ହେବାର ପୂର୍ବ ଏବଂ ପର ୬ ମାସର ମାତୃ ମୃତ୍ୟୁ ସଂଖ୍ୟା ତୁଳନା କଲେ ଏହି କଥା ଜଣାପଡୁଛି ।୨୦୨୦ ମେ’ରୁ ଅକ୍ଟୋବର–ଏହି ୬ ମାସ ଭିତରେ ଜିଲ୍ଲାରେ ମାତୃ ମୃତ୍ୟୁ ସଂଖ୍ୟା ରହିଥିଲା ୧୯ । ତେବେ ୨୦୨୦ ନଭେମ୍ବରଠାରୁ ୨୦୨୧ ଏପ୍ରିଲ, ୬ ମାସ ମଧ୍ୟରେ ଏହି ସଂଖ୍ୟା ୯କୁ ଖସି ଆସିଛି । ଆଉ ଏକ ଖୁସିର କଥା ହେଉଛି ଯେ, ୨୦୨୧ ଜାନୁୟାରୀ ଏବଂ ମାର୍ଚ୍ଚ, ଏହି ଦୁଇ ମାସରେ ମାତୃ ମୃତ୍ୟୁ ସଂଖ୍ୟା ଶୂନ ରହିଛି । ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ୨୦୨୦ ନଭେମ୍ବର ୯ ତାରିଖରୁ ‘ମାତୃଜ୍ୟୋତି’ ଅଧୀନରେ ଗର୍ଭାବସ୍ଥାରେ ଯତ୍ନ ବା ଏଏନସି ସେବା ଆରମ୍ଭ କରାଯାଇଥିଲା । ପ୍ରତ୍ୟେକ ଗର୍ଭବତୀ ମା’ଙ୍କୁ ଗର୍ଭାବସ୍ଥାରେ ମାଗଣାରେ ୪ ଥର ଅଲଟ୍ରାସାଉଣ୍ଡ ସହ ଅନ୍ୟାନ୍ୟ ପରୀକ୍ଷା ସୁନିଶ୍ଚିତ କରାଇବା ହେଉଛି ଏହାର ମୂଳ ଲକ୍ଷ୍ୟ । ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ସୁଫଳ ଏବେ ଜିଲ୍ଲାକୁ ମିଳିଛି ।ଏହି ମାତୃ ଓ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ସମସ୍ତ ଗର୍ଭବତୀ ମା’ମାନଙ୍କୁ ଗର୍ଭାବସ୍ଥାରେ ଏହି ସେବା ଯୋଗାଇ ଦିଆଯାଉଛି । ଏହା ଦ୍ୱାରା ଗର୍ଭବତୀ ମା’ ଏବଂ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଆଗୁଆ ଜାଣିବା ସମ୍ଭବ ହେଉଛି । ଗର୍ଭ ସମ୍ବନ୍ଧୀୟ ଜଟିଳତା ଯଦି କିଛି ଜଣାପଡ଼େ ତାହାର ପ୍ରତିକାର ମଧ୍ୟ କରାଯାଉଛି । ତେଣୁ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଲାଗୁ ହେବା ଫଳରେ ଜିଲ୍ଲାରେ ପ୍ରସବଜନିତ ମାତୃ ମୃତ୍ୟୁସଂଖ୍ୟା ହ୍ରାସ ପାଉଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ।ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆହୁରି କହିଛନ୍ତି ଯେ, ନଭେମ୍ବର ୨୦୨୦ରୁ ଏପ୍ରିଲ ୨୦୨୧ ମଧ୍ୟରେ ଯେଉଁ ପ୍ରସବଜନିତ ମାତୃ ମୃତ୍ୟୁସଂଖ୍ୟା ୯ ବୋଲି ରେକର୍ଡ କରାଯାଇଛି ସେଥିରେ କେତେ ଜଣ ମହିଳାଙ୍କ ମୃତ୍ୟୁର ଭିନ୍ନ କାରଣ ରହିଛି । ଏହାକୁ ଯଦି ବିଚାରକୁ ନିଆଯାଏ ତେବେ ସିଧାସଳଖ ଗର୍ଭାବସ୍ଥା ଜନିତ ଜଟିଳତାରୁ ହେଉଥିବା ମାତୃ ମୃତ୍ୟୁ ସଂଖ୍ୟା ଆହୁରି କମ୍ ବୋଲି କହିଲେ ଭୁଲ୍ ହେବ ନାହିଁ । ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହି ମା’ ଓ ଶିଶୁ ବିକାଶ କାର୍ଯ୍ୟକ୍ରମ ‘ମାତୃଜ୍ୟୋତି’ ଆରମ୍ଭ କରାଯାଇଛି । ଏହା ଅଧୀନରେ ଜିଲ୍ଲାର ସମସ୍ତ ଗର୍ଭବତୀ ମା’ମାନଙ୍କୁ ଗର୍ଭାବସ୍ଥାରେ ମାଗଣାରେ ୪ ଥର ଅଲଟ୍ରାସାଉଣ୍ଡ ସେବା ଯୋଗାଇ ଦିଆଯାଉଛି । ଏଥିପାଇଁ ୭ଟି ସରକାରୀ ଡାକ୍ତରଖାନା ଓ ୪୫ଟି ଘରୋଇ କ୍ଲିନିକକୁ ପ୍ରଶାସନ ପକ୍ଷରୁ ଅନୁବନ୍ଧିତ କରାଯାଇଛି । କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା । ଜୁଲାଇ ପହିଲାରୁ ଏହା ପୁଣିଥରେ କାର୍ଯ୍ୟକାରୀ ହେଉଛି । ଏହି ସେବା ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ଗର୍ଭବତୀ ମା’ମାନଙ୍କର ୧୯ ହଜାର ୫୦୦ରୁ ଅଧିକ ସଂଖ୍ୟକ ଅଲଟ୍ରାସାଉଣ୍ଡ ପରୀକ୍ଷା କରାଯାଇଛି । ମାତୃଜ୍ୟୋତି କାର୍ଯ୍ୟକ୍ରମକୁ ସଫଳ କରିବା ପଛରେ ଅଙ୍ଗନବାଡି ଓ ଆଶା କର୍ମୀମାନଙ୍କ ସହ ଗାଁ କଲ୍ୟାଣ ସମିତି ଏବଂ ସ୍ଥାନୀୟ ଗୋଷ୍ଠୀର ପ୍ରମୁଖ ଭୂମିକା ରହିଛି । ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details