ରାଉରକେଲା:ସୁନ୍ଦରଗଡରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା । ସୁନ୍ଦରଗଡ ଜିଲ୍ଲା କୋଇଡା ଅଞ୍ଚଳରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି । କୋଇଡାସ୍ଥିତ ଖଣି ଉପନିର୍ଦ୍ଦେଶକ ଅଫିସ ନିକଟ ରାସ୍ତାକଡ ଜଙ୍ଗଳରୁ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି (Woman's dead body found in Koida) । ତେବେ ଏଯାଏଁ ମୃତକଙ୍କ ପରିଚୟ ମିଳିପାରି ନାହିଁ । ମୃତଦେହ ପାଖରେ ତିନୋଟି ସାର୍ଟ ଓ ଗୋଟିଏ ଟର୍ଚ୍ଚ ଲାଇଟ୍ ସହ ରକ୍ତ ଲାଗିଥିବା ପଥର ପଡିଥିବାର ଦେଖାଯାଇଛି । ଖବର ପାଇ କୋଇଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, କୋଇଡା ଥାନା ଅନ୍ତର୍ଗତ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟର ପଛପଟ ମେଣ୍ଢା ମାରୁଣୀ ଜଙ୍ଗଲ ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ପଡି ରହିଥିବା ଆଜି(ମଙ୍ଗଳବାର) ସକାଳେ କିଛି ଲୋକେ ଦେଖିବାକୁ ପାଇଥିଲେ । ଏନେଇ ତୁରନ୍ତ ସେମାନେ କୋଇଡା ପୋଲିସକୁ ଖବର ଦେଇଥିଲେ । ମୃତ ମହିଳାଙ୍କ ପାଖରେ ଏକ ରକ୍ତ ଲାଗିଥିବା ପଥର ପଡିଥିବାରୁ ତାଙ୍କୁ ଏଥିରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।