ଓଡିଶା

odisha

ଭୈରବୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ସୁରେଶ୍ୱରୀ, ଷୋହଳଭର୍ଣ୍ଣିରେ କମ୍ପୁଛି ମନ୍ଦିର ପରିସର

By ETV Bharat Odisha Team

Published : Oct 18, 2023, 2:32 PM IST

ସୋନପୁର ଗଡଜାତର ଇଷ୍ଟ ଦେବୀ ମାଆ ସୁରେଶ୍ବରୀ ଭୈରବୀ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ଆଶ୍ବିନ ମହାଳୟା ଦିନଠାରୁ ସୋନପୁର ଗଡ଼ଜାତରେ ଆରମ୍ଭ ହୋଇଛି ଐତିହାସୀକ ବଳିଯାତ୍ରା । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଗକୁ ପଢନ୍ତୁ

Etv Bharat
Etv Bharat

ଭୈରବୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ସୁରେଶ୍ୱରୀ, ଷୋହଳଭର୍ଣ୍ଣିରେ କମ୍ପୁଛି ମନ୍ଦିର ପରିସର

ସୁବର୍ଣ୍ଣପୁର:ଆଜି ଆଶ୍ବୀନ ଶୁକ୍ଳ ଚତୁର୍ଥୀ । ସୋନପୁର ଗଡ଼ଜାତର ଇଷ୍ଟ ଦେବୀ ମାଆ ସୁରେଶ୍ବରୀ ଭୈରବୀ ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଛନ୍ତି । ଆଶ୍ବିନ ମହାଳୟା ଦିନଠାରୁ ସୋନପୁର ଗଡଜାତରେ ଆରମ୍ଭ ହୋଇଛି ଐତିହାସିକ ବଳିଯାତ୍ରା । ତା ସହିତ ବଳିଯାତ୍ରାର କେନ୍ଦ୍ରବିନ୍ଦୁ ପାଲଟିଥିବା ସୋନପୁର ଗଡଜାତର ଇଷ୍ଟଦେବୀ ମାଆ ସୁରେଶ୍ବରୀ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି ।

ସୋନପୁର ଗଡଜାତର ଇଷ୍ଟ ଦେବୀ ମାଆ ସୁରେଶ୍ବରୀଙ୍କ ପୀଠରେ ଧୁମଧାମରେ ପାଳନ ହେଉଛି ନବରାତ୍ର । ଆଜି ଶୁକ୍ଲ ଚତୁର୍ଥୀ ତିଥିରେ ଦେବୀ ମାଆ ଭୈରବୀ ବେଶ ଧାରଣ କରିଛନ୍ତି । ଆସନ୍ତାକାଲି ଦେବୀ ମାଆ ଭୂବନେଶ୍ବରୀ ବେଶ ଧାରଣ କରିବେ । ତେବେ ଦେବୀ ମାଆ ଅମାବାସ୍ୟା ତିଥିରେ ଧବଳମୁଖୀ ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିବା ବେଳେ ଶୁକ୍ଳ ପ୍ରତିପଦ ତିଥିରେ ମହାକାଳୀ, ଦ୍ବିତୀୟାରେ ତାରା, ତୃତୀୟାରେ ଷୋଡଶୀ ବା ତ୍ରୀପୁରା ସୁନ୍ଦରୀ ବେଶ ଧାରଣ କରି ଦର୍ଶନ ଦେଇଥିଲେ । ଦେବୀ ମାଆଙ୍କ ପୀଠରେ ବଳୀଯାତ୍ରାର ପାରମ୍ପରିକ ବାହୁତି ଛତ୍ର ଶୋଭାଯାତ୍ର କାର୍ଯ୍ୟ ସଂପନ୍ନ ହେବା ପରେ ଦେବୀ ମାଆ ସୁରେଶ୍ବରୀ ମହାଳୟାରୁ ଦଶମୀ ତିଥି ଯାଏଁ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି ।

ଏହାମଧ୍ୟ ପଢନ୍ତୁ..ସୁବର୍ଣ୍ଣପୁରର ଇଷ୍ଟଦେବୀ ମା’ ସୁରେଶ୍ବରୀଙ୍କ ଷୋଡ଼ଶୀ ବେଶ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ

ଦେବୀ ମା ଧବଳମୁଖୀ, ମହାକାଳୀ, ତାରା, ଷୋଡ଼ଶୀ ବା ତ୍ରୀପୁରା ସୁନ୍ଦରୀ, ଭୈରବୀ ବେଶରେ ଦର୍ଶନ ଦେବା ପରେ ଆଗକୁ ଭୂବନେଶ୍ବରୀ ,ବଗଳା ,ଜୟଦୁର୍ଗା , ମହିଷ ମର୍ଦ୍ଦିନୀ, ଧୂମାବତୀ ଓ ରାଜରାଜେଶ୍ବରୀ ଆଦି ବେଶ ଦଶମୀ ତିଥି ଯାଏଁ ଧାରଣ କରିବେ । ରକ୍ତମୁଖା ଦେବୀ ମା ସୁରେଶ୍ବରୀଙ୍କ ସଶରୀର ତମାମ ବର୍ଷ ସିନ୍ଦୁର ପ୍ରଲେପ କରାଯାଉଥିବା ବେଳେ ଏବେ ମାଙ୍କୁ ଅଗୁର ,ଚନ୍ଦନ ,କର୍ପୁର ,ଗଙ୍ଗା ଜଳ ଆଦି ପ୍ରଲେପ କରାଯାଇ ଭିନ୍ନ ଭିନ୍ନ ବେଶ କରାଯାଉଛି ।

ସକାଳୁ ସକାଳୁ ଏହି ଦେବୀ ପୀଠରେ ଦେବୀଙ୍କ ଭୈରବୀ ବେଶ ଦର୍ଶନ କରିବା ସହିତ ଦେବୀ କୃପା ଲାଭ କରିବାକୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ହଜାର ହଜାର ଶ୍ରଦ୍ଧାଳୁ ଗତ 10 ତାରିଖରୁ ଆରମ୍ଭ ହୋଇଥିବା ସପ୍ତସତୀ ଚଣ୍ଡୀ ମହାଯଜ୍ଞରେ ସାମିଲ ହୋଇ ଦୀପ ଯଜ୍ଞରେ ସାମିଲ ହେଉଛନ୍ତି ।ତମାମ ଦିନ ପ୍ରାୟ ଆଠ ଘଣ୍ଟା ଯାଏଁ ଚଣ୍ଡୀପାଠ କରାଯାଉଥିବା ବେଳେ ଦେବୀ ମା ସୁରେଶ୍ବରୀଙ୍କ ନାଁରେ ଆହୁତି ପ୍ରଦାନ କରାଯାଉଛି ।

ଏହାମଧ୍ୟ ପଢନ୍ତୁ..ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମା' ସମଲେଇ

ପ୍ରାତଃରେ ବାଳଭୋଗ ଯଜ୍ଞ ତଥା ମଧ୍ୟାହ୍ନରେ ଶ୍ରଦ୍ଧାଳୁମାନେ ଦେବୀଙ୍କ ପୀଠରେ ଅନ୍ନଯଜ୍ଞରେ କରାଯାଉଛି । ପ୍ରତିଦିନ ସଂଧ୍ୟାରେ ଦେବୀ ପୀଠରେ ସଂଧ୍ୟା ଆରତୀ ସହ ଦେବୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ହେଉଛି । ଭିଡ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ସୋନପୁର ଗଡଜାତର ଐତିହାସୀକ ବଳୀଯାତ୍ରାରେ ବଜାଯାଇଥାଏ ଷୋହଳଭର୍ଣ୍ଣି ଅର୍ଥାତ ଷୋହଳଟି ବାଦ୍ୟ ।ପ୍ରଥମରୁ ଷୋହଳ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ବାଦ୍ୟର ଗତି ବଢିବା ସାଂଗକୁ ଧ୍ବନି ବଢି ବଢି ଯାଇ ଶୀର୍ଷ ସ୍ଥାନରେ ପହଂଚେ ।ଆଉ ଷୋହଳଭର୍ଣ୍ଣି ବାଦ୍ୟ ପାଇଁ କେବଳ ଢୋଲ ବାଦ୍ୟଯନ୍ତ୍ରର ବ୍ୟବହାର ହୋଇଥାଏ ।

ଏହାମଧ୍ୟ ପଢନ୍ତୁ..ତାରା ବେଶରେ ଦର୍ଶନ ଦେଉଛନ୍ତି ମାଆ ସୁରେଶ୍ୱରୀ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ

ଶାକ୍ତ ପ୍ରମୋଦ ବାଦ୍ୟ ତତ୍ତ୍ବରେ ଷୋହଳଭର୍ଣ୍ଣି ବାଦ୍ୟର ପ୍ରମୁଖ ଭୂମିକା ରହିଛି । ଷୋହଳଭର୍ଣ୍ଣି ଅର୍ଥାତ ଷୋହଳଟି ବାଦ୍ୟ । ପ୍ରଥମରୁ ଷୋହଳ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ବାଦ୍ୟର ଗତି ବଢ଼ିବା ସାଂଗକୁ ଧ୍ବନି ବଢ଼ିବଢ଼ି ଯାଇ ଶୀର୍ଷ ସ୍ଥାନରେ ପହଞ୍ଚେ । ଆଉ ଷୋହଳଭର୍ଣ୍ଣି ବାଦ୍ୟ ପାଇଁ କେବଳ ଢୋଲ ବାଦ୍ୟଯନ୍ତ୍ରର ବ୍ୟବହାର ହୋଇଥାଏ । ଶାକ୍ତ ଶାସ୍ତ୍ର ଓ ବାଦ୍ୟ ତତ୍ବର ଆଧାରରେ ସୋନପୁର ଗଡଜାତର ମହାବଳୀ ଯାତ୍ରାରେ ଷୋହଳଭର୍ଣ୍ଣି ବାଦ୍ୟ ଦେଖିବାକୁ ମିଳେ ।

ଢୋଲ ସହିତ ମହୁରୀର ସ୍ବର ଷୋହଳ ଭର୍ଣ୍ଣି ବାଦ୍ୟକୁ ରସାଳିତ କରିଥାଏ । ଏକା ସାଙ୍ଗରେ ପାଞ୍ଚ ଛଅଟି ଢୋଲ ସହିତ ମହୁରୀର ମଧୁର ମୂର୍ଚ୍ଛନାରେ ବଳି ଦେହରେ ଯୋଗ ତତ୍ତ୍ବର ଧ୍ୟାନ, ଧାରଣା ଓ ସମାଧୀ ଆଦି ଲକ୍ଷଣ ପ୍ରକାଶ ପାଇଥାଏ । କାୟ ମନୋବାକ୍ୟରେ ନିଷ୍ଠାର ସହିତ ଉପବାସ କରି ବଳୀ ନିଜକୁ ପ୍ରସ୍ତୁତ କରିଥାଏ । ତାନ୍ତ୍ରିକ ପଦ୍ଧତିରେ ରାଜପୁରୋହିତ ଯନ୍ତ୍ରାଋଢ ବଳୀ ଉପରେ ମନ୍ତ୍ରପୂତ କରିବା ପରେ ବଳି ଏକାଗ୍ରତାରୁ ନିଦ୍ରା, ନିଦ୍ରାରୁ ଆନନ୍ଦ, ଜାଗୃତି, ସ୍ପନ୍ଦନ, ଘୂର୍ଣ୍ଣି, ଜାଗୃତି ଓ ମୂର୍ଚ୍ଛା ଆଦି ଲକ୍ଷଣ ଦେଖିବାକୁ ମିଳେ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details