ETV Bharat / state

ସୁବର୍ଣ୍ଣପୁରର ଇଷ୍ଟଦେବୀ ମା’ ସୁରେଶ୍ବରୀଙ୍କ ଷୋଡ଼ଶୀ ବେଶ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ

author img

By ETV Bharat Odisha Team

Published : Oct 17, 2023, 12:35 PM IST

ମା’ ସୁରେଶ୍ବରୀଙ୍କ ଷୋଡଶୀ ବେଶ
ମା’ ସୁରେଶ୍ବରୀଙ୍କ ଷୋଡଶୀ ବେଶ

ସୁବର୍ଣ୍ଣପୁର ଜିଲ୍ଲାର ଆରାଧ୍ୟ ଦେବୀ ମାଆ ସୁରେଶ୍ବରୀ ଆଜି ଷୋଡଶୀ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ମାଆଙ୍କ ଏହି ରୂପର ଦର୍ଶନ ପାଇବା ପାଇଁ ସକାଳୁ ଭକ୍ତଙ୍କ ସୁଅ ଛୁଟିଛି । ଅଧିକ ପଢନ୍ତୁ

ମା’ ସୁରେଶ୍ବରୀଙ୍କ ଷୋଡଶୀ ବେଶ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରର ଇଷ୍ଟଦେବୀ ମା’ ସୁରେଶ୍ବରୀଙ୍କ ପୀଠରେ ନବରାତ୍ର ପୂଜା । ଆଶ୍ବିନ ମାସ ତୃତୀୟା ତିଥିରେ ମା’ ସୁରେଶ୍ୱରୀ ଷୋଡଶୀ ବା ତ୍ରୀପୁରାସୁନ୍ଦରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଗତକାଲି ତାରା ବେଶରେ ଦର୍ଶନ ଦେଇଥିବା ବେଳେ ତୃତୀୟ ଦିନରେ ଷୋଡଶୀ ବେଶ ଧାରଣା କରିଛନ୍ତି । ମାଆଙ୍କ ଏହି ରୂପର ଦର୍ଶନ ପାଇବା ପାଇଁ ସକାଳୁ ଭକ୍ତଙ୍କ ସୁଅ ଛୁଟିଛି । ଅନ୍ୟପଟେ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି ।

ଆଶ୍ବିନ ମହାଳୟା ଦିନଠାରୁ ସୋନପୁର ଗଡ଼ଜାତରେ ଆରମ୍ଭ ହୋଇଛି ଐତିହାସିକ ବଳିଯାତ୍ରା । ଏଥିସହିତ ବଳିଯାତ୍ରାର କେନ୍ଦ୍ରବିନ୍ଦୁ ପାଲଟିଥିବା ସୋନପୁର ଗଡ଼ଜାତର ଇଷ୍ଟଦେବୀ ମା' ସୁରେଶ୍ବରୀ ଭିନ୍ନଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ଆଜି ଶୁକ୍ଲ ତୃତୀୟା ତିଥିରେ ଦେବୀ ମା ସୁରେଶ୍ବରୀ ଷୋଡଶୀ ବା ତ୍ରୀପୁରା ସୁନ୍ଦରୀ ବେଶ ଧାରଣ କରିଛନ୍ତି । ଆସନ୍ତାକାଲି ଦେବୀ ମା ଭୈରବୀ ବେଶ ଧାରଣ କରିବେ । ତେବେ ଦେବୀ ମାଆ ଅମାବାସ୍ୟା ତିଥିରେ ଧବଳମୁଖୀ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିବା ବେଳେ ଶୁକ୍ଳ ପ୍ରତିପଦ ତିଥିରେ ମହାକାଳୀ, ଦ୍ୱିତିୟାରେ ତାରା ବେଶ ଧାରଣ କରି ଦର୍ଶନ ଦେଇଥିଲେ ।

ଦେବୀ ମା'ଙ୍କ ପୀଠରେ ବଳିଯାତ୍ରାର ପାରମ୍ପରିକ ବାହୁତି ଛତ୍ର ଶୋଭାଯାତ୍ରା କାର୍ଯ୍ୟ ସଂପନ୍ନ ହେବା ପରେ ଦେବୀ ମା' ସୁରେଶ୍ବରୀ ମହାଳୟାରୁ ଦଶମୀ ତିଥି ଯାଏଁ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ । ଦେବୀ ମା' ଧବଳମୁଖୀ , ମହାକାଳୀ ,ତାରା, ଷୋଡ଼ଶୀ ବେଶରେ ଦର୍ଶନ ଦେବା ପରେ ଆଗକୁ ଭୈରବୀ, ଉଗ୍ରତାରା, ଭୁବନଶ୍ବରୀ, ମହିଷ ମର୍ଦ୍ଦିନୀ, ରାଜରାଜେଶ୍ବରୀ ଆଦି ବେଶ ଦଶମୀ ତିଥି ଯାଏଁ ଧାରଣ କରିବେ । ରକ୍ତମୁଖା ଦେବୀ ମା' ସୁରେଶ୍ବରୀଙ୍କ ଶରୀର ତମାମ ବର୍ଷ ସିନ୍ଦୁର ପ୍ରଲେପ କରାଯାଉଥିବା ବେଳେ ଏବେ ମା'ଙ୍କୁ ଅଗୁର, ଚନ୍ଦନ, କର୍ପୁର, ଗଙ୍ଗାଜଳ ଆଦି ପ୍ରଲେପ ପ୍ରଦାନ କରାଯାଇ ଭିନ୍ନ ଭିନ୍ନ ବେଶ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ- ତାରା ବେଶରେ ଦର୍ଶନ ଦେଉଛନ୍ତି ମାଆ ସୁରେଶ୍ୱରୀ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ

ସକାଳୁ ସକାଳୁ ଏହି ଦେବୀ ପୀଠରେ ଦେବୀଙ୍କ ତାରା ବେଶ ଦର୍ଶନ କରିବା ସହିତ ଦେବୀ କୃପା ଲାଭ କରିବାକୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ହଜାର ହଜାର ଶ୍ରଦ୍ଧାଳୁ ଗତ 10 ତାରିଖରୁ ଆରମ୍ଭ ହୋଇଥିବା ସପ୍ତସତୀ ଚଣ୍ଡୀ ମହାଯଜ୍ଞରେ ସାମିଲ ହୋଇ ଦୀପ ଯଜ୍ଞରେ ସାମିଲ ହେଉଛନ୍ତି । ସେହିପରି ମଧ୍ୟାହ୍ନରେ ଶ୍ରଦ୍ଧାଳୁମାନେ ଦେବୀଙ୍କ ପୀଠରେ ଅନ୍ନଯଜ୍ଞରେ ନିଜକୁ ସାମିଲ କରି ଦେବୀକୃପା ସାଉଁଟିବାର ସୁଯୋଗ ନେଉଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ଦେବୀ ପୀଠରେ ସନ୍ଧ୍ୟା ଆରତୀ ସହିତ ଦେବୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ହେଉଛି । ଏନେଇ ଦେବୋତ୍ତର ବିଭାଗ, ମନ୍ଦିର କମିଟି, ବଳିଯାତ୍ରା କମିଟି ପକ୍ଷରୁ ସଂଧ୍ୟାରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବଳିଯାତ୍ରା ଓ ଦେବୀ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.