ଓଡିଶା

odisha

ପରିବେଶ ସୁରକ୍ଷା ନେଇ ସମ୍ବଲପୁର ବନ ବିଭାଗର ନିଆରା ପଦକ୍ଷେପ, ପଥର ଉପରେ ସବୁଜିମା ସୃଷ୍ଟି

By ETV Bharat Odisha Team

Published : Dec 3, 2023, 6:16 PM IST

ଲଣ୍ଡା ପଥୁରିଆ ପାହାଡ ହେବରେ ସବୁଜ ଜଙ୍ଗଲ । ସମ୍ବଲପୁର ବନବିଭାଗ ପକ୍ଷରୁ ଏଭଳି ନିଆରା ପ୍ରୟାସ ଆରମ୍ଭ ହୋଇଛି । ଆଗକୁ ପଢନ୍ତୁ

ପଥର ଉପରେ ସବୁଜିମା ସୃଷ୍ଟି
ପଥର ଉପରେ ସବୁଜିମା ସୃଷ୍ଟି

ସମ୍ବଲପୁର: ଲଣ୍ଡା ପଥୁରିଆ ପାହାଡ ହେବ ଜଙ୍ଗଲ ! ସମ୍ବଲପୁର ବନବିଭାଗ ପକ୍ଷରୁ ଏକ ନିଆରା ବନିକରଣ ଉଦ୍ୟମ ଆରମ୍ଭ କରାଯାଇଛି l ଯେଉଁଥିରେ ଲଣ୍ଡା ପଥୁରିଆ ପାହାଡ଼ ଉପରେ କରାଯାଉଛି ବୃକ୍ଷରୋପଣ । ସମ୍ବଲପୁର ବନଖଣ୍ଡର ଡ଼ିଏଫଓ ବିଶ୍ୱନାଥ ନୀଲାନଭରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏହି ବନୀକରଣ ଚାଲିଥିବା ବେଳେ ଏଥିରେ ଜିଏମ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ବନବିଭାଗକୁ ସହାୟତା କରୁଛି l ଏଭଳି ପଦକ୍ଷେପ ପାଇଁ ବିଭିନ୍ନ ମହଲରେ ବନବିଭାଗକୁ ପ୍ରଂଶସା କରାଯାଉଛି ।

ବର୍ତ୍ତମାନ ପରିସ୍ଥିରେ ବିକାଶ ନାଁରେ ବହୁ ସ୍ଥାନରେ ବ୍ୟାପକ ଜଙ୍ଗଲ କଟାଯାଉଛି l ତେବେ ପରିବେଶ ସନ୍ତୁଳନ ପାଇଁ ଯେଉଁଭଳି ଭାବରେ ବୃକ୍ଷ ରୋପଣ ବା ବନୀକରଣ କରାଯିବା କଥା ସେହିଭଳି ଭାବରେ ହୋଇପାରୁ ନାହିଁ l ଯାହା ଫଳରେ ବର୍ତ୍ତମାନ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବା ସହ ଗ୍ଲୋବାଲ ୱାର୍ମିଙ୍ଗ ଏକ ପ୍ରମୁଖ ସମସ୍ୟା ହୋଇ ଉଭା ହୋଇଛି l ଏଥିପାଇଁ ଖରା ଦିନେ ପ୍ରବଳ ଗରମ ଅନୁଭୂତ ହେବାରେ ଲାଗିଛି l ଏହିଭଳି ପରିସ୍ଥିତିର ମୁକାବିଲା ତଥା ଗ୍ଲୋବାଲ ୱାର୍ମିଙ୍ଗ ଉପରେ ନିୟନ୍ତ୍ରଣ କରିବା ପାଇଁ ସମ୍ବଲପୁର ବନବିଭାଗ ଏକ ନିଆରା ପ୍ରୟାସ ଆରମ୍ଭ କରିଛି l

ସମ୍ବଲପୁର ବନଖଣ୍ଡ ରେଙ୍ଗାଲି ରେଞ୍ଜର କୀଲାସମା ଠାରେ ଏକ ଲଣ୍ଡା ପଥୁରିଆ ପାହାଡ଼ ଥିବା ବେଳେ ଏଥିରେ କୌଣସି ଗଛ ନଥିବାରୁ ଖରା ଦିନେ ଏହି ପାହାଡ଼ର ବିକିରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ବହୁ ବୃଦ୍ଧି ପାଇଥାଏ l ଏଥିପାଇଁ ଏହି ଲଣ୍ଡା ପଥୁରିଆ ପାହାଡ଼ ଉପରେ ଏବେ ବନବିଭାଗ ପକ୍ଷରୁ ଏକ ନିଆରା ବନୀକରଣ ଉଦ୍ୟମ ଆରମ୍ଭ କରାଯାଇଛି l ଲଣ୍ଡା ପଥୁରିଆ ପାହାଡ଼ ଉପରେ ସମ୍ବଲପୁର ବନବିଭାଗ ପକ୍ଷରୁ ଲଗାଇଛି ବିଭିନ୍ନ ପ୍ରକାର ଚାରା l ସମ୍ବଲପୁର ବନଖଣ୍ଡର ଡ଼ିଏଫଓ ବିଶ୍ୱନାଥ ନୀଲାନଓ୍ବାରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏହି ବନୀକରଣ ଚାଲିଥିବା ବେଳେ ଏଥିରେ ଜିଏମ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ବନବିଭାଗକୁ ସହାୟତା ହାତ ବଢାଇଛି ।

ଏହାମଧ୍ୟ ପଢନ୍ତୁ.. ଛାତ୍ର ବଦଳାଇଲେ ବିଦ୍ୟାଳୟର ରୂପରେଖ, ପରିବେଶ ସୁରକ୍ଷା ନେଇ ଦେଲେ ଅନନ୍ୟ ବାର୍ତ୍ତା

ଡ଼ିଏଫଓଙ୍କ ସୂଚନା ଅନୁଯାୟୀ," ରେଙ୍ଗାଲି ବ୍ଲକ କୀଲାସମାର ଏହି ପଥୁରିଆ ପାହାଡ଼ ଉପରେ ଗୋଟିଏ ବି ଗଛ ନଥିବା ବେଳେ ଏଠାରେ ଶୁଷ୍କ ମାଟି ରହିଛି l ତେବେ ଏହା ପାଖରେ ହୀରାକୁଦ ନଦୀବନ୍ଧ ଥିବାରୁ ଏହି ଅଞ୍ଚଳର ବାୟୁମଣ୍ଡଳରେ ଆଦ୍ରତା ରହିଛି l ତେଣୁ ଏଠାରେ ଏକ ହେକ୍ଟର ଅଞ୍ଚଳରେ ପ୍ରାୟ 16 ଶହ ପ୍ରକାର ର 4 ହଜାର ଗୋଟି ଚାରା ଲଗାଯାଇଛି l ଏଥିରେ ବର, ଓସ୍ତ, ନିମ୍ବ, ବିଜା, ଶିଶୁ, କୁମ୍ଭୀ, ମହୁଲ, ବେଲ, ଗଣ୍ଡୁଳି, ଅଁଳା ଆଦି ଗଛର ଚାରା ରୋପଣ କରାଯାଇଛି l"

ଏହି ଗଛମାନଙ୍କ ମଧ୍ୟରୁ କେତେକ ଗଛ ମାଟିରେ ରୋପଣ କରାଯାଇଥିବା ବେଳେ କେତେକକୁ ପଥର ସନ୍ଧିରେ ରୋପଣ କରାଯାଇଛି l ଆଉ କେତକ ଚାରାକୁ ପଥର ଉପରେ ଲଗାଯାଇଥିବା ଡ଼ିଏଫଓ ସୂଚନା ଦେଇଛନ୍ତି l ବନବିଭାଗ ପକ୍ଷରୁ ଏହି ବନୀକରଣକୁ ଗବେଷଣା ମୂଳକ ଭାବେ ଲଗାଯାଉଥିବା ବେଳେ ଆଗାମୀ ଦିନରେ ଜିଏମ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାନେ ଏଠାକୁ ଯାଇ ଏହା ଉପରେ ଗବେଷଣା କରିବେ ଓ ଏହା ସଫଳ ହେବ ବୋଲି ଜିଏମ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଦୋଷ ଆଚାର୍ଯ୍ୟ ସୂଚନା ଦେଇଛନ୍ତି l ଏହି ବନୀକରଣ ସଫଳ ହେଲେ ଆଗକୁ ଜିଲ୍ଲା ଅନ୍ୟ ପଥୁରିଆ ଅଞ୍ଚଳରେ ଏହିଭଳି ବନୀ କରଣ କରାଯିବାର ସମ୍ଭାବନା ରହିଛି l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details