ଓଡିଶା

odisha

ରାୟଗଡା ଜିଲ୍ଲାପାଳଙ୍କୁ ଘେରାଉ ମାମଲା, ୪୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ

By

Published : Sep 22, 2022, 11:21 AM IST

Updated : Sep 22, 2022, 11:51 AM IST

ରାୟଗଡା ଜିଲ୍ଲାପାଳଙ୍କୁ ଘେରାଉ ମାମଲା, ୪୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ

ବାଲି ଉଠାଣକୁ ନେଇ ରାୟଗଡା ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ଘେରାଉ ମାମଲା । ୪୦ ଜଣଙ୍କ ବିରୁଦ୍ଧରେ ଏତଲା ଦାଏର । ଅଧିକ ପଢନ୍ତୁ

ରାୟଗଡା: ମହଙ୍ଗା ପଡିଲା ଜିଲ୍ଲାପାଳଙ୍କୁ ଘେରାଉ କରିବା । ବାଲି ଉଠାଣକୁ ବିରୋଧ କରି ରାୟଗଡା ଜିଲ୍ଲାପାଳ ଓ ଏସପିଙ୍କୁ ଘେରାଉ କରାଯିବା ଘଟଣାରେ ୪୦ ଜଣ ଗ୍ରାମବାସୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ମଙ୍ଗଳବାର ଦିନ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଅଭିଯୋଗର ଶୁଣାଣି ପାଇଁ ଆସିଥିବା ରାୟଗଡା ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କୁ କତୁରୁ ଗ୍ରାମବାସୀ ଘେରାଉ କରିଥିଲେ । ଏସପିଙ୍କ ଉପସ୍ଥିତିରେ ଘେରାଉ କରିବା ସହିତ ଜିଲ୍ଲାପାଳଙ୍କ ଗାଡିକୁ ଅଟକାଇ ତାଙ୍କୁ ଚଲେଇ ଚଲେଇ ନେଇଥିଲେ ଗ୍ରାମବାସୀ । ଯାହାଫଳରେ ଜିଲ୍ଲାପାଳଙ୍କ ସମେତ ଏସପି ବିବେକାନନ୍ଦ ଶର୍ମାଙ୍କୁ ନାକେଦମ ହେବାକୁ ପଡିଥିଲା ।

ରାୟଗଡା ଜିଲ୍ଲାପାଳଙ୍କୁ ଘେରାଉ ମାମଲା, ୪୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ

ସୂଚନା ଅନୁଯାୟୀ, କତୁରୁ ବାଲି ଶଯ୍ୟାରୁ ବାଲି ଉଠାଣକୁ ବିରୋଧ କରି ଗ୍ରାମବାସୀ ଜିଲ୍ଲାପାଳକୁ ଗୁହାରି ଜଣାଇବାକୁ ଚେଷ୍ଟା କରିଥିଲେ । ଗୁଣୁପୁର ଉପଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲାପାଳ ସ୍ବଧାଦେବ ସିଂଙ୍କୁ ସାକ୍ଷାତ କରି ସେମାନଙ୍କ ଗୁହାରି ଜଣାଇଥିଲେ । ଜିଲ୍ଲାପାଳ ସେମାନଙ୍କ ବିଷୟ ଆଲୋଚନା କରିବେ ବୋଲି କହିଥିଲେ । ହେଲେ ଦୀର୍ଘ ସମୟ ଧରି ସେମାନଙ୍କ ସହ କୌଣସି ଆଲୋଚନା ନକରି ଗାଡ଼ିରେ ବସି ପଡ଼ିଥିଲେ ଜିଲ୍ଲାପାଳ । ଏହାକୁ ଦେଖି ଅପେକ୍ଷାରତ ଗ୍ରାମବାସୀ ଜିଲ୍ଲାପାଳ ଏବଂ ଏସପିଙ୍କ ଗାଡ଼ି ଆଗରେ ଧାରଣା ଦେଇଥିଲେ ।

ପୋଲିସ ଗ୍ରାମବାସୀଙ୍କୁ ଗାଡ଼ି ଆଗରୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଫଳରେ ଜିଲ୍ଲାପାଳ ପୋଲିସ କଡେନ ମଧ୍ୟରେ ଚାଲି ଚାଲି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ରାଜସ୍ଵ ବଙ୍ଗଳା ଯାଏଁ ଯାଇଥିଲେ । ଏହି ଘଟଣାରେ ମହିଳା ସବ୍ ଇନ୍ସପେକ୍ଟର ସାରିକା ସେଠୀଙ୍କ ଅଭିଯୋଗ କ୍ରମେ ଗୁଣୁପୁର ପୋଲିସ କତୁରୁ ଗ୍ରାମର ପ୍ରାୟ ୪୦ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ।

ଏହାମଧ୍ୟ ପଢନ୍ତୁ:ବାଲି ଉଠାଣ ନେଇ ଅସନ୍ତୋଷ, ହଟହଟା ହେଲେ ରାୟଗଡା ଜିଲ୍ଲାପାଳ

ସବ୍ ଇନ୍ସପେକ୍ଟର ରୁଦ୍ର ମୋହନ ମୁଦୁଲି ଏହି ମାମଲାର ତଦନ୍ତ ଭାର ନେଇଛନ୍ତି । ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ଅପରାଧିକ ଷଡଯନ୍ତ୍ର, ସଂଘବଦ୍ଧ ଆକ୍ରମଣ ପାଇଁ ଯୋଜନା, ସରକାରୀ କାର୍ଯ୍ୟାଳୟ ମଧ୍ୟକୁ ପଶି କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଅସଭ୍ୟ ବ୍ୟବହାର କରିବା, ପୋଲିସକୁ ଅଟକାଇ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଭଳି ନାନା ସଙ୍ଗୀନ ଦଫା ଲଗାଯାଇ ମାମଲା ରୁଜୁ କରାଯାଇଛି । ଦଫା ୧୨୦(ବି), ୧୪୩,୪୫୨,୨୯୪,୩୪୧,୧୪୭,୩୫୩,୧୪୯ ଆଇପିସି, ୭ କ୍ରିମିନାଲ ଏମେଣ୍ଡମେଣ୍ଟ ଆକ୍ଟରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

ଗୋଟିଏ ପଟେ ବାଲି ଉଠାଣକୁ ବିରୋଧ କରୁଥିବା କତୁରୁ ଗ୍ରାମବାସୀ ପଛକୁ ହଟୁ ନାହାନ୍ତି । ଅନ୍ୟପଟେ ଜିଲ୍ଲାପାଳଙ୍କୁ ଘେରାଉ କରିବା ଏବଂ ଏହି ମାମଲାରେ ସଙ୍ଗୀନ ଦଫା ଲାଗିବା ଏହି ଘଟଣାକୁ ଭିନ୍ନ ମୋଡ ଦେଇଛି ।

ଇଟିଭି ଭାରତ, ରାୟଗଡା

Last Updated :Sep 22, 2022, 11:51 AM IST

ABOUT THE AUTHOR

...view details