ଓଡିଶା

odisha

ଅକ୍ଟୋବରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

By ETV Bharat Odisha Team

Published : Aug 22, 2023, 9:08 PM IST

ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ । ଦୁଇଟି ସ୍ଥାନରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ । ଅବଢ଼ା ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

review meeting of srimandir parikrama project
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ବୈଠକ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ବୈଠକ

ପୁରୀ: ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ । ଅବଢ଼ା ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅକ୍ଟୋବର ଭିତରେ ପରିକ୍ରମା ପ୍ରକଳ୍ପ ସାରିବାକୁ ଚେଷ୍ଟା କରାଯାଉଥିବା କହିଲେ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ସେତୁ ନିର୍ମାଣ ନିଗମର ଅଧିକାରୀ, ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ପ୍ରଶାସନିକ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ମୋଟ ୯ଟି ପ୍ରବେଶ ପଥ ରହିବ । ସିଂହଦ୍ଵାର ନିକଟରେ ଥିବା ଏମାର ମଠ ଜମିରେ ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ତିନି ହଜାର ଭକ୍ତଙ୍କ ବସିବା ପାଇଁ ଦୁଇଟି ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ହେବ। ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପୂର୍ବରୁ ଏହି କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ଶ୍ରୀମନ୍ଦିର ଚାରିଦ୍ବାର ଭକ୍ତଙ୍କଉଦ୍ଦେଶ୍ୟରେ ଖୋଲିବା ପାଇଁ ପରିଚାଳନା କମିଟିର ସଦସ୍ୟ ମାନେ ବୈଠକରେ ଦାବି କରିଥିଲେ ।‌ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଆଶା ରଖିଛନ୍ତି ପରିଚାଳନା କମିଟି ସଦସ୍ୟ ।

ଏହା ମଧ୍ୟ ପଢ଼ନ୍ତୁ:ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ କାର୍ଯ୍ୟ ତଦାରଖ କଲା ASI ଟିମ୍‌, ନାଟମଣ୍ଡପ ବିମ୍ ଉପରେ ଫୋକସ୍

ପରିକ୍ରମା ପ୍ରକଳ୍ପ ଯୋଗୁଁ ଉଚ୍ଛେଦ ହୋଇଥିବା ରଘୁନନ୍ଦନ ଲାଇବ୍ରେରୀ, ୧୮ଟି ମଠ ଏବଂ ଦୁଇଟି ମନ୍ଦିରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ପଞ୍ଚତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର, ସେବାୟତଙ୍କ ପାଇଁ ଆବାସ ଗୃହ ନିର୍ମାଣ, ଜେଟିପି ମାନଙ୍କ ପାଇଁ ବ୍ୟାରାକ ନିର୍ମାଣ ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି ।‌ ଶ୍ରୀମନ୍ଦିର ଭିତରକୁ ଦିବ୍ୟାଙ୍ଗ ମାନଙ୍କ ପ୍ରବେଶ ପାଇଁ ଉତ୍ତର ଦ୍ଵାର ପଟେ ରାମ୍ପ ବ୍ୟବସ୍ଥା ଆସନ୍ତା କାର୍ତ୍ତିକ ମାସ ପରେ ବ୍ୟବସ୍ଥା କରାଯିବା ନେଇ ନିଷ୍ପତ୍ତି ହୋଇଛି । ଦିବ୍ୟାଙ୍ଗ ଭକ୍ତଙ୍କୁ ମନ୍ଦିର ଭିତରକୁ ନେବା ପାଇଁ କେଦାରନାଥ ମନ୍ଦିର ଭଳି ପିଠିରେ ଭକ୍ତଙ୍କୁ ବୋହି ନେବାକୁ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ଭାରତର ବିଭିନ୍ନ ପ୍ରସିଦ୍ଧ ମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପ୍ରବେଶ ନେଇ ଅନେକ ବିଶେଷ ବ୍ୟବସ୍ଥା ହୋଇଛି । ତେବେ ଶ୍ରୀମନ୍ଦିରରେ ଏହି ବ୍ୟବସ୍ଥା ନଥିବାରୁ ଅନେକ ଦିବ୍ୟାଙ୍ଗ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ ନକରି ନିରାଶରେ ଫେରୁଛନ୍ତି । ମହାପ୍ରଭୁଙ୍କ ନିକଟରେ ସବୁ ଭକ୍ତ ସମାନ । ଏଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଦିବ୍ୟାଙ୍ଗ ଭକ୍ତଙ୍କ ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ ସେବାୟତ ଦାବି କରିଛନ୍ତି । ବୈଠକରେ ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିରରେ ସିସିଟିଭି ସ୍ଥାପନ, ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ଭକ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଜଗମୋହନ ଏବଂ ନାଟମଣ୍ଡପର ସଠିକ ଭାବରେ ସଂଗ୍ରକ୍ଷଣ ଓ ମରାମତି କାର୍ଯ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details