ଓଡିଶା

odisha

ପଞ୍ଚୁକ ପାଇଁ ଶ୍ରୀମନ୍ଦିର ପ୍ରସ୍ତୁତି ଶେଷ, ଭକ୍ତଙ୍କ ଶୃଙ୍ଖଳିତ ଓ ଶୀଘ୍ର ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା

By ETV Bharat Odisha Team

Published : Nov 22, 2023, 7:24 PM IST

ପଞ୍ଚୁକରେ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ପାନୀୟ ଜଳ, ଶୌଚାଳୟ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ। ଆସନ୍ତାକାଲି ଠାରୁ ପଞ୍ଚୁକ ଶେଷ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଅଧିକ ପଢନ୍ତୁ

ପଞ୍ଚୁକ ନୀତି ପାଇଁ ଶ୍ରୀମନ୍ଦିର ପ୍ରସ୍ତୁତି ଶେଷ, ଭକ୍ତଙ୍କ ଶୃଙ୍ଖଳିତ ଓ ଶୀଘ୍ର ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା
ପଞ୍ଚୁକ ନୀତି ପାଇଁ ଶ୍ରୀମନ୍ଦିର ପ୍ରସ୍ତୁତି ଶେଷ, ଭକ୍ତଙ୍କ ଶୃଙ୍ଖଳିତ ଓ ଶୀଘ୍ର ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା

ପଞ୍ଚୁକ ନୀତି ପାଇଁ ଶ୍ରୀମନ୍ଦିର ପ୍ରସ୍ତୁତି ଶେଷ, ଭକ୍ତଙ୍କ ଶୃଙ୍ଖଳିତ ଓ ଶୀଘ୍ର ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା

ପୁରୀ: ରାତି ପାହିଲେ ଶ୍ରୀମନ୍ଦିରରେ ଆରମ୍ଭ ହେବ ପବିତ୍ର ପଞ୍ଚୁକ ନୀତି । ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସୁବିଧା ନିମନ୍ତେ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଟାଉନ ଥାନା ଯାଏଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବା ବେଳେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ପଞ୍ଚୁକର ପ୍ରଥମ ଦିନ ହରି ଉତ୍ଥାପନ ଏକାଦଶୀ ସହ ମହାପ୍ରଭୁ ଅଗଣିତ ଭକ୍ତଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ ।

ସେପଟେ ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପାନୀୟ ଜଳ, ଅସ୍ଥାୟୀ ଶୌଚାଳୟ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନେ ଟାଉନ ଥାନା ଠାରୁ ଅସ୍ଥାୟୀ ବ୍ୟାରିକେଡରେ ଆସି ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିବେ । ସେହିପରି ମର୍ଚ୍ଚିକୋଟ ଛକ ଠାରେ ପୁରୀ ପୌରସଂସ୍ଥା ପକ୍ଷରୁ ଜୋତା ଷ୍ଟାଣ୍ଡ କରାଯାଇଥିବା ବେଳେ ଭକ୍ତଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ।

ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଭିତର, ବାହାର, ବଡଦାଣ୍ତ ଏବଂ ଟ୍ରାଫିକ ସୁପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମୁଦାୟ ୪୦ ପ୍ଲାଟୁନ ପୋଲିସ ଫୋର୍ସ, ୭ ଅତିରିକ୍ତ ଏସପି, ଡିଏସପି, ଇନ୍ସପେକ୍ଟର, ଏଏସଆଇ ଓ ଏସଆଇଙ୍କ ସହ ୩ଶହରୁ ଊର୍ଦ୍ଧ୍ବ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିବେ । ସେହିପରି ସମୁଦ୍ରକୂଳ ଅଞ୍ଚଳରେ ମଧ୍ୟ କଡା ପାଟ୍ରୋଲିଂ ସହ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ଓ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନରେ ୫୦ରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ ସଦସ୍ୟଙ୍କୁ ନିୟୋଜିତ କରାଯାଇଛି । ଆଜି ସକାଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।

ଅଧିକ ପଢନ୍ତୁ- ଗୁରୁବାରଠୁ ଆରମ୍ଭ ପଞ୍ଚୁକ ବ୍ରତ, ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡକୁ ନେଇ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା

ଆସନ୍ତାକାଲି ଠାରୁ ପଞ୍ଚୁକ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ସହ ସ୍ବତନ୍ତ୍ର ବେଶ ମଧ୍ୟ ଅନୁଷ୍ଠିତ ହେବ । ପଞ୍ଚୁକ ପ୍ରଥମ ଦିନ ଅର୍ଥାତ ଆସନ୍ତାକାଲି ଗୁରୁବାର ଅବସରରେ ହରି ଉତ୍ଥାପନ ଏକାଦଶୀ ସହ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । ଶୁକ୍ରବାର ଦିନ ବାଙ୍କଚୁଡ ବେଶ, ଶନିବାର ଦିନ ତ୍ରୀବିକ୍ରମ ବେଶ, ରବିବାର ଲକ୍ଷ୍ମୀନୃସିଂହ ବେଶ ସହ ସୋମବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ପବିତ୍ର ପଞ୍ଚୁକ ଅବସରରେ ଅତି ନିଷ୍ଠାର ସହ ଏହି ବ୍ରତ ଯେଉଁ ମାନେ ପାଳନ କରିଥାନ୍ତି ସେମାନଙ୍କୁ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି ।

ଅନ୍ୟପଟେ ପଞ୍ଚୁକରେ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ପାନୀୟ ଜଳ, ଶୌଚାଳୟ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ। ଆସନ୍ତାକାଲି ଠାରୁ ପଞ୍ଚୁକ ଶେଷ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ଭକ୍ତଙ୍କ ପାଇଁ ଗ୍ରହଣ କରାଯାଇଥିବା ସମସ୍ତ ବ୍ୟବସ୍ଥାକୁ ସ୍ବାଗତ କରିଛନ୍ତି ଭକ୍ତ ଓ ସେବାୟତ।

ଅଧିକ ପଢନ୍ତୁ- ଏବେ ବୟସ୍କ ଓ ରୋଗାଗ୍ରସ୍ତ ଭକ୍ତ ଶ୍ରୀମନ୍ଦିର ଆସନ୍ତୁ ନାହିଁ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସୁନାବେଶ ବା ରାଜାଧିରାଜ ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଶାସନ ପକ୍ଷରୁ ଆହୁରି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ। ପଞ୍ଚୁକ ସମୟରେ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ପାଇଁ ସେବାୟତ ନିଯୋଗ ସହ ପ୍ରଶାସନ ଉତ୍ତମ ସମନ୍ବୟ ରଖିଥିବା ବେଳେ ଭକ୍ତଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଠାକୁରଙ୍କ ସମସ୍ତ ନୀତିକାନ୍ତିର ସୂଚନା ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details