ETV Bharat / state

ଗୁରୁବାରଠୁ ଆରମ୍ଭ ପଞ୍ଚୁକ ବ୍ରତ, ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡକୁ ନେଇ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା

author img

By ETV Bharat Odisha Team

Published : Nov 21, 2023, 10:13 PM IST

Updated : Nov 21, 2023, 10:35 PM IST

ଆସନ୍ତା ଗୁରୁବାରଠାରୁ ପବିତ୍ର ପଞ୍ଚୁକ ବ୍ରତ ଆରମ୍ଭ । ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡକୁ ନେଇ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା । ଅଧିକ ପଢନ୍ତୁ

Panchuka Brata
Panchuka Brata

ଗୁରୁବାରଠୁ ଆରମ୍ଭ ପଞ୍ଚୁକ ବ୍ରତ, ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡକୁ ନେଇ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା

ପୁରୀ: ଆଉ ଦିନକ ପରେ ଅର୍ଥାତ ଗୁରୁବାର ଏକାଦଶୀଠାରୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ । କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପଞ୍ଚୁକ ବୋଲି କୁହାଯାଉଥିବା ବେଳେ ଏହି ପାଞ୍ଚ ଦିନକୁ ମାସ ଓ ବର୍ଷଯାକର ସବୁଠାରୁ ବଡ଼ ପବିତ୍ର ଦିନ ବୋଲି କୁହାଯାଏ । ଏଥିପାଇଁ ପୁରୀରେ ଭକ୍ତ ଓ ହବିଷ୍ୟାଳୀଙ୍କ ଭିଡ଼ ବଢ଼ିବାରେ ଲାଗିଛି । ଏଣୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଯେଉଁ ବ୍ରତଧାରୀମାନେ କାର୍ତ୍ତିକ ବ୍ରତ କରିପାରିନଥାନ୍ତି ସେମାନେ ଏହି ପଞ୍ଚୁକ ପାଳନ କରି ସମାନ ପୁଣ୍ୟ ଅର୍ଜନ କରିଥାନ୍ତି ବୋଲି ବିଶ୍ବାସ ରହିଛି । ମାସ ତମାମ ଶ୍ରୀଜୀଉଙ୍କର ରାଧାଦାମୋଦର ବେଶ ଅନୁଷ୍ଠିତ ହେଉଥିବା ବେଳେ ପଞ୍ଚୁକ ପାଞ୍ଚଦିନ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ପାଞ୍ଚଟି ବେଶ ମହାପ୍ରଭୁଙ୍କର କରାଯାଇଥାଏ । ତେବେ ଭକ୍ତମାନେ ଯେଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିପାରିବେ ସେନେଇ ଆଜି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଓ ପୁରୀ ଏସପି ଡଃ କନୱର ବିଶାଳ ସିଂ ଶ୍ରୀମନ୍ଦିର ବାହାର ଓ ଭିତରେ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।

ଏହା ବି ପଢନ୍ତୁ- ଆଜି ଅଁଳା ନବମୀ: ଗାଁ ମନ୍ଦିରରେ ହବିଷ୍ୟାଳିଙ୍କ ରାଧା ଦାମୋଦର ବ୍ରତ

ସମୁଦାୟ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି । ପଞ୍ଚୁକର ପ୍ରଥମ ଦିନ ଏକାଦଶୀରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେଉଥିବା ବେଳେ ଦ୍ବାଦଶୀରେ ବାବନ ବା ବାଙ୍କଚୁଡ଼ ବେଶ, ତ୍ରୟୋଦଶୀରେ ଡାଳିକିଆ ବା ତ୍ରୀବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଓ ଶେଷ ଦିବସର ପୂର୍ଣ୍ଣମୀରେ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ତେବେ ମହାପ୍ରଭୁଙ୍କର ଏହି ବେଶ ଦର୍ଶନ ସହ ପଞ୍ଚୁକ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି ।

ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ମନ୍ଦିର ଭିତର ଓ ବାହାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ମରଚିକୋଟ ଛକଠାରୁ ସ୍ବତନ୍ତ୍ର ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତମାନେ ବ୍ୟାରିକେ ଭିତରେ ଆସି ସିଂହଦ୍ବାରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ଲାଭ କରିବେ ଏବଂ ଅନ୍ୟ ଦ୍ବାର ଦେଇ ପ୍ରସ୍ଥାନ କରିପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ । ସେହିପରି ପଞ୍ଚୁକ ପାଇଁ ଶ୍ରୀମନ୍ଦିରଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ଆଜିଠାରୁ ସମସ୍ତ ଉଠା ଦୋକାନ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚୁକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମାର୍କେଟ ଛକରୁ ଗାଡି ଚଳାଚଳ ବନ୍ଦ ରଖାଯିବ ।

ପଞ୍ଚୁକରେ ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫ୍ଟରେ ସ୍ବେଚ୍ଛାସେବୀ ମୁତୟନ ରହିବା ସହ ବଡଦାଣ୍ଡର ଦୁଇପାର୍ଶ୍ବରେ ଅସ୍ଥାୟୀ ଶୌଚାଳୟ କରାଯାଇଛି । ଡାକବାଜୀ ଯନ୍ତ୍ରରେ ଦର୍ଶନ ବ୍ୟବସ୍ଥା ଉପରେ ଟିକିନିଖି ସୂଚନା ଦିଆଯାଉଛି । ଭକ୍ତଙ୍କ ଲାଗି ପ୍ରତି ସେଡରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ । କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେଉଥିବା ବେଳେ ପଞ୍ଚୁକ ଅବସରରେ ମଧ୍ୟ ଦ୍ବିଗୁଣା ଭକ୍ତଙ୍କ ସମାଗମ ହେବ ବୋଲି ଅନୁମାନ କରୁଛି ପ୍ରଶାସନ । ତେଣୁ ପଞ୍ଚୁକ ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

ଇଟିଭି ଭାରତ, ପୁରୀ

Last Updated :Nov 21, 2023, 10:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.