ପୁରୀ:ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ କରିବା ଘଟଣାରେ ବନ୍ଧା ହେଲେ ଅଭିଯୁକ୍ତ । ପୁରୀ ଗୁଡିଆ ସାହିରେ 4 ଜଣ ସେବାୟତଙ୍କୁ ବୁଧବାର ରାତିରେ ୧୦ରୁ ଅଧିକ ଯୁବକ ସଂଘବଦ୍ଧ ଆକ୍ରମଣ କରିଥବା ବେଳେ ୫ ଜଣ ଯାତ୍ରୀ ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି ଟାଉନ ଥାନା ପୋଲିସ । ତେବେ ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ପୁରୀ ବାସେଳୀ ସାହି ଥାନା ଅଧିନ ନୀଳକଣ୍ଠ ନଗରର ରାକେଶ ମହାପାତ୍ର, ପଣା ପ୍ରିୟା ଲେନର ସନ୍ତୋଷ କୁମାର ମହାନ୍ତି, ଥାନପତି ନଗରର ନିର୍ମଳ କୁମାର ପ୍ରଧାନ, ହାତିଶାଳର ସୁଜିତ କୁମାର ମହାନ୍ତି ଓ କଟକ ନରସିଂହପୁରର ଶ୍ରୀକାନ୍ତ କୁମାର ପର୍ବତ ବୋଲି ଜଣାପଡିଛି ।
ତେବେ ଏମାନଙ୍କ ଠାରୁ ପୋଲିସ ୩ଟି ଖଣ୍ଡା, ୩ଟି ମୋଟର ସାଇକେଲ ଏବଂ ୫ଟି ମୋବାଇଲ ଫୋନ ଜବତ କରିଛି । ଶ୍ରୀମନ୍ଦିରରେ ଯାତ୍ରୀ ବ୍ୟବସାୟକୁ କେନ୍ଦ୍ର କରି ବୁଧବାର ରାତିରେ ଗୁଡିଆ ସାହିର ମଧୁସୂଦନ ପତ୍ରୀଙ୍କୁ ଅଭିଯୁକ୍ତ ମାନେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ କାଶୀନାଥ ପ୍ରତିହାରୀ, ବଟକୃଷ୍ଣ ମହାପାତ୍ର ଓ ରାଜନ ପୂଜାପଣ୍ଡାଙ୍କୁ ଗୋଟାଳିରେ ଆକ୍ରମଣ କରିଥିଲେ । ଚିକିତ୍ସା ପାଇଁ ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଭୁଜାଲି ଚୋଟରେ ମଧୁସୂଦନଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଆକ୍ରମଣର ଶିକାର ହୋଇଥିବା କାଶୀନାଥ ପ୍ରତିହାରୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁରୀ ଏସପିଙ୍କ ତତ୍ତ୍ଵାବଧାନରେ ତିନି ଜଣିଆ ଟିମ୍ ଗଠନ ହୋଇଥିଲା । ସେପଟେ ଅଭିଯୁକ୍ତ ମାନେ ପୁରୀ ଛାଡ଼ି ବାହାର ଜିଲ୍ଲାକୁ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଛି ।