ନୂଆପଡା:ଭଲ କରି ଦେଖନ୍ତୁ ଏଦୃଶ୍ୟକୁ । ଯବାନ ଜଣକ ଟାଙ୍ଗିଆ ଧରି ରାସ୍ତାରେ ପଇଁନ୍ତରା ମାରୁଛନ୍ତି । କୌଣସି ସୀମାନ୍ତ ଅଞ୍ଚଳରେ ପହରା ଦେଉନାହାନ୍ତି ଏହି ଯବାନ ଜଣକ । ବରଂ ଛୁଟିରେ ନିଜ ଗାଁକୁ ଆସି ଗାଁ ଦାଣ୍ଡରେ ଏଭଳି ପଇଁତରା ମାରୁଛନ୍ତି । ଅତି କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିବା ସହ କାହାକୁ ମାରି ଦେବାକୁ ଧମକ ଦେଉଛନ୍ତି । ବାରଂବାର ଏପଟରୁ ସେପଟକୁ ବୁଲୁଛନ୍ତି ଆଉ ଚିତ୍କାର କରି କହୁଛନ୍ତି ମାରି ଦେବି ହାଣି ଦେବି । ଏଭଳି ଏକ ଅଭାବନୀୟ ଘଟଣା ଗତକିଛି ଦିନ ହେଲା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଗୁଡ଼ଭେଳି ଗ୍ରାମରେ । ଆଉ ଏହି ଯବାନ ଜଣକ ହେଉଛନ୍ତି ଗୁଡଭେଳି ଗ୍ରାମର ଦ୍ରୋଣ ଶବରଙ୍କ ପୁଅ ଯଶୋବନ୍ତ ଶବର ।
ସୂଚନା ଅନୁଯାୟୀ, ନୂଆପଡା ଜିଲ୍ଲା ଗୁଡଭେଳି ଗ୍ରାମର ଦ୍ରୋଣ ଶବରଙ୍କ ପୁଅ ଯଶୋବନ୍ତ ଶବର ଆଇଆରବି ବାଟାଲିୟନ ଯବାନ ଭାବେ କାମ କରନ୍ତି । ନୂଆଁଖାଇ ପୂର୍ବରୁ ଛୁଟି ନେଇ ଗାଁକୁ ଆସିଛନ୍ତି । ହେଲେ ଏହି ଯବାନ ଜଣକ ଗତ କିଛିଦିନ ହେଲା ଗାଁରେ ଆତଙ୍କ ମଚାଉଛନ୍ତି । ସକାଳୁ ସକାଳୁ ଯବାନ ପୋଷାକ ପିନ୍ଧି ହାତରେ ଏକ ଧାରୁଆ ଟାଙ୍ଗିଆ ଧରି ଗାଁ ଦାଣ୍ଡରେ ବୁଲୁଛନ୍ତି । କାନ୍ଧରେ ଟାଙ୍ଗିଆ ରଖି ଗାଁର ଏମୁଣ୍ଡରୁ ସେମୁଣ୍ଡକୁ ବୁଲୁଛନ୍ତି, ଗାଁ ମଝିରେ ରଣ ହୁଙ୍କାର ଦେଉଛନ୍ତି । ଚିତ୍କାର କରି କରି ଅତି କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି । ମାରିଦେବି ହାଣିଦେବି କହି ବୁଲୁଛନ୍ତି । ମଝିରେ ମଝିରେ ଗାଁର ଅବସରପ୍ରାପ୍ତ ଶିକ୍ଷକ ନୃପରାଜ ଶବରଙ୍କୁ ହାଣି ଦେବାକୁ ଗାଁ ଦାଣ୍ଡରେ ଗର୍ଜନ ଛାଡୁଛନ୍ତି । ଯବାନଙ୍କ ଏଭଳି ଭୟଙ୍କର ରୂପ ଦେଖି ନୃପରାଜ ଶବରଙ୍କ ପରିବାର ଲୋକେ ଘରେ କବାଟ କିଳି ଲୁଚି ରହିଛନ୍ତି । ହାତରେ ଧାରୁଆ ଟାଙ୍ଗିଆ ଧରି ଯଶୋବନ୍ତ ବୁଲୁଥିବାରୁ ଗାଁ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି । କାଳେ କେହି କିଛି କହିଲେ ଯବାନ ଜଣକ କିଛି ଅଘଟଣ ଘଟାଇଦେବେ ସେନେଇ କେହି ତାଙ୍କୁ ଆକଟ କରିବା ତ ଦୂରର କଥା କିଛି କହିବା ପାଇଁ ମଧ୍ୟ ସାହାସ କରୁନାହାନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖି ଗାଁ ଲୋକେ ନିର୍ବାକ ହୋଇ ଯାଇଛନ୍ତି ।