ଓଡିଶା

odisha

ମାଲକାନଗିରିରେ ପ୍ରଥମ କରି ଆରମ୍ଭ ହୋଇଛି ଦେଶୀ ମାଗୁର ମାଛ ଚାଷ

By

Published : Sep 8, 2021, 9:16 PM IST

ମାଲକାନଗିରିରେ ପ୍ରଥମ କରି ଆରମ୍ଭ ହୋଇଛି ଦେଶୀ ମାଗୁର ମାଛ ଚାଷ

ଦେଶୀ ମାଗୁର ମାଛ ଖାଇବା ସମସ୍ତଙ୍କ ପସନ୍ଦ । କିନ୍ତୁ ଏବେ ମାଗୁର ପ୍ରାୟତଃ ବିଲୁପ୍ତ ହେବାକୁ ବସିଲାଣି । ଯାହାକୁ ଦୃଷ୍ଟିରେ ରଖି ମାଲକାନଗିରି କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଏହି ମାଛ ଉପରେ ଗବେଷଣା କରି ଏହାକୁ ବ୍ରିଡିଂ କରିବାରେ ସଫଳ ହୋଇଛନ୍ତି । ଯାହପରେ ମାଲକାନଗିରି ଜିଲ୍ଲାରେ ପ୍ରଥମ କରି ଜଣେ ଚାଷୀ ଆରମ୍ଭ କରିଛନ୍ତି ମାଗୁର ଚାଷ । ଅଧିକ ପଢନ୍ତୁ...

ମାଲକାନଗିରି: ଦେଶୀ ମାଗୁର ମାଛ ଖାଇବା ସମସ୍ତଙ୍କ ପସନ୍ଦ । କିନ୍ତୁ ଏବେ ମାଗୁର ପ୍ରାୟତଃ ବିଲୁପ୍ତ ହେବାକୁ ବସିଲାଣି । କାଁ ଭାଁ ଗାଁ ଗହଳିରେ ଦେଶୀ ମାଗୁର ମାଛ ମିଳୁଛି । ତାହା ପୁଣି ଚଢା ଦରରେ । ମାଲକାନଗିରି ଜିଲ୍ଲାରେ ମାଗୁର ମାଛ ବହୁତ କମ୍ ମିଳୁଥିବାବେଳେ ଏହାର ଚାହିଦା ରହିଛି ଉଚ୍ଚ । ଗୋଟିଏ ମାଗୁର ମାଛକୁ ୪୦ ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଦର ଲଗାନ୍ତି ସ୍ଥାନୀୟ ଲୋକେ । ତେଣୁ ଲୋକେ ବିଲରୁ ଦେଶୀ ମାଗୁର ଖୋଜି ବାହାର କରି ତାଙ୍କୁ ଅଧିକ ଦାମରେ ବିକ୍ରି ଲାଭବାନ୍ ହେଉଥିବାର ନଜିର ରହିଛି । ଯାହାକୁ ନେଇ ଜିଲ୍ଲାରେ ଏବେ ପ୍ରଥମ କରି ଆରମ୍ଭ ହୋଇଛି ମାଗୁର ଚାଷ ।

ମାଲକାନଗିରିରେ ପ୍ରଥମ ଦେଶୀ ମାଗୁର ମାଛ ଚାଷ

ଦେଶୀ ଚାହିଦାକୁ ଦୃଷ୍ଟିରେ ରଖି ଦେଶୀ ମାଗୁରକୁ କିପରି ଚାଷ କରି ଜଣେ ଆତ୍ମନିର୍ଭରଶୀଳ ହୋଇପାରିବ ତାହା ଉପରେ ମାଲକାନଗିରି କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଆତିଶ ମହେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ସମୀର ରଞ୍ଜନଙ୍କ ନିର୍ଦ୍ଦେଶରେ ଏହି ମାଛ ଉପରେ ଗବେଷଣା କରି ଏହାକୁ ବ୍ରିଡିଂ କରିବାରେ ସଫଳ ହୋଇଛନ୍ତି । ତେବେ ଜଣେ ଚାଷୀ ଏହାକୁ ନିଜ ପୋଖରୀରରେ ଚାଷ କରି ବେଶ୍ ଲାଭବାନ ହୋଇପାରିବ ବୋଲି କହିଛନ୍ତି ।

ମାଲକାନଗିରି ଜିଲ୍ଲାରେ ଏହାକୁ ସଫଳ କରିବା ପାଇଁ ସମ୍ପୃକ୍ତ ବୈଜ୍ଞାନିକ ପ୍ରଥମେ ଏମଭି-୪୫ ଗ୍ରାମର ଆନନ୍ଦ ମାଲାକାର ନାମକ ଚାଷୀଙ୍କୁ ଉତ୍ସାହିତ କରିଥିଲେ । ସେ ମଧ୍ୟ ଦେଶୀ ମାଗୁର ଚାଷ କରିବା ପାଇଁ ଉତ୍ସାହିତ ହୋଇ ନିଜର ପୋଖରୀକୁ ସଜାଡିବା ସହ ଏବେ ମାଗୁର ବ୍ରିଡିଂ ଆରମ୍ଭ କରିଛନ୍ତି । ବୈଜ୍ଞାନିକ ଆତିଶ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ଶହେ ମାଗୁର ସଂଗ୍ରହ କରି ସେହି ମାଗୁରମାନଙ୍କ ମଧ୍ୟରେ ମାଈ ଏବଂ ଅଣ୍ଡିରା ମାଗୁର ବାଛିବା ସହ ସେମାନଙ୍କୁ ଇଞ୍ଜେକ୍ସନ ଦେଇ ବ୍ରିଡିଂ କରାଇଥିଲେ । ପ୍ରାୟ ଏକ ଲକ୍ଷ ମାଗୁର ବ୍ରିଡିଂ କରିବାରେ ସେ ସଫଳ ହୋଇଛନ୍ତି । ସେପଟେ ଆନନ୍ଦ ମଧ୍ୟ ନିଜ ପୋଖରୀରେ ପ୍ରାୟ ୪ ହଜାରରୁ ୫ ହଜାର ଟଙ୍କା ଖର୍ଚ୍ଚ କରି ମାଗୁର ଚାଷ କରିଛନ୍ତି ।

ଦେଶୀ ମାଗୁର ମାଛ ବଢିବା ପରେ ବଜାରରେ ଏହି ମାଛର ଅଧିକ ଚାହିଦା ରହିବ । କିଲୋପିଛା ପ୍ରାୟ ୧ ହଜାରରେ ଟଙ୍କା ରହିବା ନେଇ ଆଶା କରାଯାଉଛି । ତେବେ ଏହା ସଫଳ ହେବେ ଅନ୍ୟ ଚାଷୀ ମଧ୍ୟ ଏହି ମାଗୁର ମାଛ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି କହିଛନ୍ତି ବୈଜ୍ଞାନିକ ଆତିଶ ମହେନ୍ଦ୍ର । ବିଲୁପ୍ତ ହେବାକୁ ବସିଥିବା ଏହି ମାଛର ପୁନରୁଦ୍ଧାର ପାଇଁ କୃଷି ବିଜ୍ଞାନ କେନ୍ଦ୍ର ଏହି ସଫଳ ପରୀକ୍ଷଣ ସହାୟକ ହେବ ବୋଲି କହୁଯାଉଛି । ଜଣେ ଚାଷୀ ମାତ୍ର ୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ଯଦି ଲକ୍ଷାଧିକ ଟଙ୍କା ଆୟ କରିପାରୁଛି ତେବେ ମତ୍ସ୍ୟଚାଷୀମାନେ ଆଗ୍ରହର ସହ ଏହି ଦେଶୀ ମାଗୁର ଚାଷ କରିବେ । ଓଡିଶାର ମାଲକାନଗିରି ଜିଲ୍ଲାରେ ହିଁ ଏହା ପ୍ରଥମ କରି କରାଯାଉଥିବା କୁହାଯାଇଛି । ମତ୍ସ୍ୟ ବିଭାଗ ପକ୍ଷରୁ ଏନେଇ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ABOUT THE AUTHOR

...view details