ଓଡିଶା

odisha

ଆଦିବାସୀଙ୍କ ନିଆରା ବାହାଘର, ଟେଣ୍ଟ ନୁହେଁ ଶାଢ଼ୀରେ ଡେକୋରେସନ

By

Published : Apr 8, 2023, 10:24 PM IST

କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ବରିଗି ପଞ୍ଚାୟତ ମଙ୍ଗଳପୁର ଗ୍ରାମରେ ଆଦିବାସୀଙ୍କ ନିଆରା ବାହାଘର । ଅଧିକ ପଢ଼ନ୍ତୁ

marriage mandap decoration with saree
ଆଦିବାସୀ ଜନଜାତିଙ୍କ ନିଆରା ପରମ୍ପରା

ଆଦିବାସୀ ଜନଜାତିଙ୍କ ନିଆରା ପରମ୍ପରା

କୋରାପୁଟ:ବିବାହ ଉତ୍ସବରେ ସାମିଲ ହୋଇଛି ପୁରା ଗାଁ । ଖୁସିରେ ମସଗୁଲ ହୋଇ ଉଠିଛି ପୁରା ପରିବେଶ । ସଜା ହୋଇଛି ବେଦି, ମଣ୍ଡପ ଆଉ ଲଗାଯାଇଛି ତୋରଣ । ହେଲେ କୌଣସି ଟେଣ୍ଟ ହାଉସ ନୁହେଁ ବରଂ ଗ୍ରାମବାସୀଙ୍କ ଶାଢ଼ୀରେ ସଜାଯାଇଛି ବିବାହ ମଣ୍ଡପ । କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ବରିଗି ପଞ୍ଚାୟତ ମଙ୍ଗଳପୁର ଗ୍ରାମରେ ଆଦିବାସୀ ଜନଜାତିଙ୍କ ମଧ୍ୟରେ ଥିବା ଏକତା ଓ ପରମ୍ପରାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ।

ନାରାୟଣପାଟଣା ଠାରୁ 25 କିଲୋମିଟର ଦୂରରେ ସୁଉଚ୍ଚ ପର୍ବତ ଶିଖରରେ ବାସ କରୁଥିବା 36ଟି କନ୍ଧ ଜନଜାତିର ଟିକି ଗ୍ରାମ ଆଧୁନିକତାର ସ୍ପର୍ଶରୁ ନିଜକୁ ଦୂରରେ ରଖି ପରସ୍ପର ସହଯୋଗରେ ପରମ୍ପରାକୁ କିପରି ସୁରକ୍ଷା ପ୍ରଦାନ କରିହୁଏ ତାହା ପ୍ରଦର୍ଶନ କରିଛନ୍ତି । ଗ୍ରାମର ଜଣେ ଯୁବତୀଙ୍କ ସହ ସେଠାକାର ଯୁବକଙ୍କ ସହ ବିବାହ ଅନୁଷ୍ଠିତ ହୋଇଥିଲା । ବିବାହ ଉତ୍ସବ ପାଇଁ ପୁରା ଗ୍ରାମବାସୀଙ୍କ ଏକତା ଦେଖିବାକୁ ମିଳିଥିଲା । ବିବାହ ବେଦୀ ଠାରୁ ଆରମ୍ଭ କରି ମଣ୍ଡପ, ତୋରଣ ଲଗାଯାଇଥିଲା । ସବୁକିଛିରେ ଆତ୍ମୀୟତାର ସ୍ପର୍ଶ ପରିଲକ୍ଷିତ ହୋଇଥିଲା ।

କୌଣସି ଟେଣ୍ଟ ହାଉସ ନୁହେଁ ବରଂ ଗ୍ରାମର ପ୍ରତିଟି ପରିବାର ନିଜ ଘରେ ଥିବା ଭଲ ଶାଢ଼ୀକୁ ଆଣି ସଜାଇଥିଲେ । ବାହାଘରରେ ହେବାକୁ ଥିବା ଖର୍ଚ୍ଚରେ ମଧ୍ୟ ପରିବାରକୁ ସହଯୋଗ କରିଥିଲେ ଗ୍ରାମବାସୀ । ସାଇତି ରଖିଥିବା ଝାଡୁକୁ ବରଗି ବଜାରରେ ବିକ୍ରି କରି ଟଙ୍କା ଯୋଗାଡ଼ କରି ସହାୟତା କରିଥିଲେ । ଡିଜେ ମ୍ୟୁଜିକ ବଦଳରେ ପାରମ୍ପରିକ ବାଦ୍ୟ ଓ ଢେମସା ନାଚ ମାଧ୍ୟମରେ ଯୁବପିଢି ମନୋରଞ୍ଜନ କରିଥିଲେ । ତେବେ ସାମୁହିକ ଭାବେ ମିଳିମିଶି କାର୍ଯ୍ୟ କରିବା ଆଦିବାସୀ ଜନଜାତିର ଏକ ଅପୂର୍ବ ସାମର୍ଥ୍ୟ ବୋଲି ପରଜା ସମାଜର ଜିଲ୍ଲା ସମ୍ପାଦକ ମଦନ କିରସାନି ଜଣାଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି," ପ୍ରକୃତି ସହ ନିରନ୍ତର ଭାବେ ଜଡ଼ିତ ରହିଥିବା ଆଦିବାସୀ ଭଗବାନଙ୍କ ପ୍ରଥମ ସନ୍ତାନ । ଭାରତର ସ୍ଵାଧୀନତା ସଂଗ୍ରାମରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ସମେତ କୋରାପୁଟ ଅଞ୍ଚଳର ଅନେକ ଆଦିବାସୀ ବୀର ଯୋଦ୍ଧାଙ୍କ ଅବଦାନ ଅତୁଳନୀୟ ଥିବା ବେଳେ ସଉରା ମେଳି, ତୁରୀ ନଦୀ କୂଳରେ ବ୍ରିଟିଶ ସେନାକୁ ସାମନା କରିବାରେ ହେଉ ବା ମାତିଲି ଥାନା ଆକ୍ରମଣ କରି ବ୍ରିଟିଶ ସାମ୍ରାଜ୍ୟର ଆଧିପତ୍ୟକୁ ପ୍ରତିବାଦ କରିବା, ଆଦିବାସୀଙ୍କ ସାମୁହିକ ଏକତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ପ୍ରକୃତି ସହ ଆଦିବାସୀଙ୍କ ସମ୍ପର୍କ ମଣିଷ ଜାତି ପାଇଁ ଏକ ଉଦାହରଣ ହୋଇ ରହିବ ।" ବାହ୍ୟ ଜଗତ ପ୍ରଭାବରୁ ନିଜକୁ ଓ ଆଦିବାସୀ ସମାଜକୁ ସୁରକ୍ଷିତ ରଖିବାର ଦାୟିତ୍ୱ ଶିକ୍ଷିତ ଆଦିବାସୀ ଯୁବପିଢ଼ି ବହନ କରିବାର ଆବଶ୍ୟକତା ରହିଛି ବୋଲି ମଦନ କିରସାନି ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details