ଓଡିଶା

odisha

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ପିଲାଙ୍କ ପାଇଁ ସ୍କୁଲ ସାତସପନ

By

Published : May 22, 2022, 4:13 PM IST

ପିଲାଙ୍କ ପାଇଁ ସ୍କୁଲ ହତା ମାଡିବା ହୋଇଛି ସାତସପନ

କୋରାପୁଟ ଜିଲ୍ଲାରେ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା । ଜିଲ୍ଲାର ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ହରଡାଗୁଡା ପଞ୍ଚାୟତର ସିଉନାପଦର ଓ କର୍ତାର ଗ୍ରାମରେ ସ୍କୁଲ ନଥିବା ପାଠପଢାରୁ ବଞ୍ଚିତ ପିଲା । ଅଧିକ ପଢନ୍ତୁ

କୋରାପୁଟ:ଶିକ୍ଷା ଗ୍ରହଣ କରିବା ପ୍ରତି ପିଲାଙ୍କ ଅଧିକାର । ଆଜିର ପିଲା କାଲିର ଭବିଷ୍ୟତ । ଯେବେ ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା ଦେଖାଦିଏ ସେମାନଙ୍କ ଭବିଷ୍ୟତ ଅନ୍ଦାରକୁ ଠେଲି ହୋଇଯାଏ । ପିଲାଙ୍କ ଶିକ୍ଷା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରୁଛନ୍ତି । ପାଠପଢା ପାଇଁ ପାଠଶାଳାକୁ ଚମକାଉଛନ୍ତି । ହେଲେ ପ୍ରକୃତରେ ସବୁ ପିଲା ଶିକ୍ଷା ଗ୍ରହଣ କରି ପାରୁ ନାହାନ୍ତି । ଆଜି ମଧ୍ୟ ଅନେକ ସ୍ଥାନରେ ସ୍କୁଲଟିଏ ନାହିଁ, ତେଣୁ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହୋଉଛନ୍ତି ପିଲାଏ ।

ଏପରି ଅବବ୍ୟବସ୍ଥା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ହରଡାଗୁଡା ପଞ୍ଚାୟତର କର୍ତ୍ତାର ଓ ସିଉନିପଦର ଗ୍ରାମରେ । ଦୀର୍ଘ ଦିନର ଏପରି ଅବ୍ୟବସ୍ଥା ଥାଇ ବି ସରକାରଙ୍କ ଏଥିପ୍ରତି ନିଘା ନାହିଁ । ଜିଲ୍ଲାର ଅଧିକାଂଶ ଅଞ୍ଚଳ ପାହାଡ ଜଙ୍ଗଲରେ ଘେରି ହୋଇ ରହିଛି । ନା ଅଛି ରାସ୍ତା ନା ଯୋଗଯୋଗର ସୁବ୍ୟବସ୍ଥା । ପିଲାଙ୍କ ପାଠପଢା ପଥରେ କଣ୍ଟା ହୋଇ ଛିଡା ହୋଇଛି ଯୋଗାଯୋଗ ସମସ୍ୟା । ଜିଲ୍ଲାର କିଛି ବିଦ୍ୟାଳୟରେ ସରକାରୀ ଉଦ୍ୟମରେ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବା ପାଇଁ ବିଦ୍ୟାଳୟ ଗୁଡ଼ିକୁ ପ୍ରସ୍ତୁତ କରାଯାଉଥିବା ବେଳେ ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ହରଡାଗୁଡା ପଞ୍ଚାୟତର ଜଙ୍ଗଲ ମଧ୍ୟରେ ଥିବା ଗାଁରେ ଜଙ୍ଗଲ ହିଁ ପିଲାଙ୍କ ପାଇଁ ସବୁକିଛି ହୋଇଛି ।

ପିଲାଙ୍କ ପାଇଁ ସ୍କୁଲ ହତା ମାଡିବା ହୋଇଛି ସାତସପନ

ପାଠ ପଢି ଆଗକୁ ବଢିବା ସ୍ବପ୍ନ ସତ ହେବା ଆଶଙ୍କାରେ ରହିଛି । ଗାଁରେ ସ୍କୁଲଟିଏ ତ ଦୂରରେ ଥାଉ ଅଙ୍ଗନବାଡ଼ି କେନ୍ଦ୍ର ନଥିବା ଯୋଗୁଁ କୁନି କୁନି ପିଲମାନେ ଜଙ୍ଗଲରେ ଛେଳି ଚରାଉଥିବା ଦେଖିବାକୁ ମିଳିଛି । କୁନି ହାତରେ କଲମ ଧରିବା ବଦଳରେ କାନ୍ଧରେ କାମ ବୋଝ ପଡିଛି । ବିଦ୍ୟାଳୟ ନଥିବା ଯୋଗୁଁ କର୍ତାସ ଗାଁର ପିଲାମାନେ ଅକ୍ଷରଟିଏ ବି ଶିଖି ପାରିନଥିବା ଜଣାଇଛନ୍ତି । ଜୀବନ ସାରା ଜଙ୍ଗଲରୁ ଶିଖିଥିବା ଟିକି ଟିକି ଦକ୍ଷତାକୁ ନେଇ ଜୀବନ ଜୀବିକା ନିର୍ବାହ କରୁଥିବା କହିଛନ୍ତି ପିଲାଏ ।

ସେହିପରି ସିଉନାପଦରରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବା ଯୋଗୁଁ ପ୍ରାୟ ତିନି କିଲୋମିଟର ଜଙ୍ଗଲ ରାସ୍ତା ଅତିକ୍ରମ କରି ଗାଆଁରେ ଥିବା ପ୍ରାୟ ତିରିଶି ଜଣ ପିଲା ଅଙ୍ଗନବାଡ଼ି ସେବା ପାଇପାରୁନଥିବା କହି କ୍ଷୋଭ ପ୍ରକାଶ କରିଛନ୍ତି ଅଭିଭାବକ । ତେବେ ଏହି ଅବସ୍ଥା କେବଳ ସିଉନାପଦର ବା କର୍ତାଶରେ ନୁହେଁ ବରଂ ଏହି ପଞ୍ଚାୟତର ପଟିଆସିଲ, ମାଲିଗୁଡ଼ା ଓ ଦନ୍ତୁରଞ୍ଜି ଭଳି ଅନେକ ଗ୍ରାମର ପିଲାଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟଠାରୁ ଦୂରେଇ ରହିଥିବା ଜଣାପଡିଛି ।

ଏପରି ଦୁର୍ଗମ ଅଞ୍ଚଳରେ ଉପେକ୍ଷିତ ଶିଶୁଙ୍କୁ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ତୁରନ୍ତ ଛାତ୍ରାବାସରେ ସ୍ଥାନ ଦେଇ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରତି ସରକାର ସମ୍ମାନ ଜଣାଇବା ଆବଶ୍ୟକ ବୋଲି ମତ ରଖିଛନ୍ତି ଅବସରପ୍ରାପ୍ତ ଶିକ୍ଷକ । ସେହିପରି ଅଙ୍ଗନବାଡ଼ି କେବଳ ଖାଦ୍ୟ ଦେବାରେ ସୀମିତ ନ ରହି ପ୍ରାକ୍ ବିଦ୍ୟାଳୟର ଭୂମିକା ନେଇଥିବା ଯୋଗୁଁ ପ୍ରତି ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲି ସେବା ଯୋଗାଇଦେବା ନିହାତି ଜରୁରୀ ବୋଲି ଏକତା ସଂଗଠନର ସମ୍ପାଦକ ଜଗନ୍ନାଥ ମିଶ୍ର ସ୍ପଷ୍ଟ କରିଛନ୍ତି । ଶିକ୍ଷାରୁ ବଞ୍ଚିତ ଥିବା ପିଲାଙ୍କୁ ଚିହ୍ନଟ କରି ଶିକ୍ଷା ଭଳି ମୌଳିକ ଅଧିକାର ସେମାନଙ୍କୁ ପ୍ରଦାନ କରିବାର ସମୟ ଆସିଛି । ସବୁ ପିଲା ଶିକ୍ଷା ଗ୍ରହଣ କଲେ ସରକାରଙ୍କ ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରା ସଫଳ ହେବ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details