ଭୁବନେଶ୍ବର: ବହୁଚର୍ଚ୍ଚିତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା । ଆସିଲା କଣ୍ଟାବାଞ୍ଜି ଜେଲ ତଦନ୍ତ ରିପୋର୍ଟ । ଅତିରିକ୍ତ ପୋଲିସ ଡିଜି ଦିପ୍ତେଶ ପଟ୍ଟନାୟକଙ୍କୁ ୪ ପୃଷ୍ଠା ସମ୍ବଳିତ ତଦନ୍ତ ରିପୋର୍ଟ ଦେଇଛନ୍ତି ସମ୍ବଲପୁର ଜେଲ ଡିଆଇଜି ଅନୁସୂୟା ଜେନା । ବିଶେଷ କରି ୱାର୍ଡର ଅକ୍ଷୟ ମହାନ୍ତିଙ୍କ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ କଣ୍ଟାବାଞ୍ଜି ଜେଲ ୱାର୍ଡର ଅକ୍ଷୟ ମହାନ୍ତିଙ୍କୁ ନିଲମ୍ବିତ କରିଛି କାରାଗାର ନିର୍ଦ୍ଦେଶାଳୟ । ଏନେଇ ସୂଚନା ଦେଇଛନ୍ତି ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର ।
ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ୍ରେ ଗତକାଲି ଦିନ ୧୦.୩୦ରୁ ୧୧ଟା ମଧ୍ୟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଝରକାରେ ଗାମୁଛା ଦେଇ ଆତ୍ମହତ୍ୟା କରିଛି ଗୋବିନ୍ଦ । ଦୁଇଟି ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେବେ ଏହା କେବଳ ଜେଲ୍ର ତଦନ୍ତ ରିପୋର୍ଟ । ଏହାପରେ ଆହୁରି ଦୁଇଟି ତଦନ୍ତ ହେବ ଏବଂ ରିପୋର୍ଟ ପ୍ରସ୍ତୁତ କରାଯିବ । ପୋଲିସ ତଦନ୍ତ କ୍ରାଇମବ୍ରାଞ୍ଚ କରିବ । ଅନ୍ୟଟି ମାନବାଧିକାର କମିଶନର ତଦନ୍ତ ରିପୋର୍ଟ ମଧ୍ୟ ପ୍ରସ୍ତୁତ ହେବ । ତେବେ ଜେଲ୍ ବିଭାଗ ରିପୋର୍ଟ ପରେ ଅନେକ ଦିଗକୁ ନେଇ ପ୍ରଶ୍ନ ଉଠିଛି । କାରଣ କେବଳ ୱାର୍ଡନଙ୍କୁ ନିଲମ୍ବିତ କରାଯାଇଛି । କାରଣ ସେ ଡ୍ୟୁଟିରେ ଥିଲେ । ସେହି ସବ୍ ଜେଲ୍ରେ ଜେଲର୍ ବା ଆସିଷ୍ଟାଣ୍ଟ ଜେଲର୍ ମଧ୍ୟ ନିଯୁକ୍ତ ହୋଇନାହାନ୍ତି ।