ଭୁବନେଶ୍ବର: ଡ୍ରାଇଭର ଏକତା ମହାମଞ୍ଚ ସେମାନଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ପାଖରେ ବିଭିନ୍ନ ଦାବି ରଖିଥିଲେ । ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଅନେକ ଥର ପ୍ରସ୍ତାବ ଦେଇଥିଲେ । ଏଥିପାଇଁ ସାରା ରାଜ୍ୟରେ ତିନି ଥର ଷ୍ଟିୟରିଂ ଛାଡ ଆନ୍ଦୋଳନ ମଧ୍ୟ କରିଥିଲେ। ଆନ୍ଦୋଳନ ପରେ ଲିଖିତ ପ୍ରତିଶ୍ରୁତି ମିଳିଲା ହେଲେ କୌଣସି ସୁଫଳ ମିଳିଲା ନାହିଁ । ସେମାନଙ୍କର ଦାବି ପୂରଣ ନେଇ ସରକାର ଦିନ ପରେ ଦିନ ଗଡ଼ାଉଥିବା ବେଳେ ଏହି ମିଛ ପ୍ରତିଶୃତିକୁ ବିରୋଧ କରି ଧାରଣରେ ବସି ରହିଛନ୍ତି ଡ୍ରାଇଭର ଏକତା ମଞ୍ଚର ସଦସ୍ୟ ।
ଡ୍ରାଇଭର ଏକତା ମହମଞ୍ଚର ବିଭିନ୍ନ ଦାବି ପୂରଣ ନେଇ ଗତ ସୋମବାର ଠାରୁ ଏହି ଧାରଣା ଆରମ୍ଭ ହୋଇଥିବା ବେଳେ ଆଜି ତୃତୀୟ ଦିନରେ ପହଞ୍ଚିଛି । ବିଭିନ୍ନ ଜିଲ୍ଲାରୁ ଶତାଧିକ ଡ୍ରାଇଭର ଆସି ଧାରଣାରେ ସାମିଲ ହୋଇଛନ୍ତି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଧାରଣା ଚାଲିବ । ୩୦ ତାରିଖ ଭିତରେ ଯଦି ସମାଧାନ ନହୁଏ ତେବେ ୧ ତାରିଖରୁ ଏକ ବଡ ଧରଣର ଆନ୍ଦୋଳନ ସହ ବନ୍ଦ ପାଳନ ହେବ ବୋଲି କହିଛି ଡ୍ରାଇଭର ସଂଘ । ଏନେଇ ଓଡ଼ିଶା ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି କହିଛନ୍ତି, "ସରକାର ଆମକୁ ପ୍ରତିଶୃତି ଦେଇ ଭୁଲି ଯାଇଛନ୍ତି । ତେଣୁ ଆମେ ଧାରଣାରେ ବସି ରହିଛୁ । ଯେ ପର୍ଯ୍ୟନ୍ତ ସାମଧାନ ନ ହୋଇଛି ଏଭଳି ଧାରଣାରେ ବସି ରହିବୁ ।"