ଭୁବନେଶ୍ୱର:ରାଜ୍ୟକୁ ପୁଣି ଫେରିବ ହାଡଭଙ୍ଗା ଶୀତ । କମିବ ଦିନ ତାପମାତ୍ରା । ବଢିବ ଶୀତ । ଘନ କୁହୁଡିର ଚାଦର ତଳେ ସାରା ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ଦେଖାଦେଇଛି ଏଭଳି ପାଗ । ଆସନ୍ତାକାଲି ପର୍ଯ୍ୟନ୍ତ ଅତି ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଝାରସୁଗୁଡ଼ା, ସୁନ୍ଦରଗଡ, ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
ବର୍ତ୍ତମାନ ମେଘମୁକ୍ତ ଆକାଶ ରହିଥିବା ବେଳେ ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଦୁଇଦିନ ପରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ କିଛି ଜିଲ୍ଲାରେ ହାଡଭଙ୍ଗା ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଗତକାଲି ରାଜଧାନୀ ଭୁବନେଶ୍ୱର ସମେତ କଟକ, କେନ୍ଦ୍ରାପଡା, ରାଉରକେଲା, ଅନୁଗୋଳ ଓ ଫୁଲବାଣୀରେ ଘନ କୁହୁଡି ଦେଖିବାକୁ ମିଳିଥିଲା । ଭୁବନେଶ୍ୱରରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ଶହେ ମିଟର ରେକର୍ଡ ହୋଇଛି । ଘନ କୁହୁଡି ଯୋଗୁଁ ଗାଡି ଚଳାଚଳରେ ବାଧା ଉପୁଜିଥିଲା ।
ଏହା ମଧ୍ୟ ପଢନ୍ତୁ....ହ୍ରାସ ହେବ ତାପମାତ୍ରା, ପୁଣି ବଢିବ ଶୀତର ପ୍ରକୋପ
ଏହା ମଧ୍ୟ ପଢନ୍ତୁ....3 ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ହେବନି ପରିବର୍ତ୍ତନ, ରହିବ ଘନ କୁହୁଡ଼ି