ETV Bharat / state

ହ୍ରାସ ହେବ ତାପମାତ୍ରା, ପୁଣି ବଢିବ ଶୀତର ପ୍ରକୋପ

author img

By ETV Bharat Odisha Team

Published : Jan 10, 2024, 5:18 PM IST

Odisha Weather Update: ରାଜ୍ୟରେ ପୁଣି ବଢିବ ଶୀତର ପ୍ରକୋପ । ବାୟୁ ଚଳାଚଳରେ ପରିବର୍ତ୍ତନ ହେତୁ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରାରେ ୨ରୁ ୩ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାର ସମ୍ଭାବନା ଥିବା ନେଇ ପୂର୍ବାନୁମାନ ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

ପୁଣି ବଢିବ ଶୀତର ପ୍ରକୋପ
ପୁଣି ବଢିବ ଶୀତର ପ୍ରକୋପ

ପୁଣି ବଢିବ ଶୀତର ପ୍ରକୋପ

ଭୁବନେଶ୍ବର: ରାଜ୍ୟରେ ପୁଣି ବଢିବ ଶୀତର ପ୍ରକୋପ । ହ୍ରାସ ହେବ ତାପମାତ୍ରା, ବଦଳିବ ପାଗ । ଆସନ୍ତା 13 ତାରିଖରୁ ପାଣିପାଗରେ ପରିବର୍ତ୍ତନ ହେବା ସହ ଓଡ଼ିଶାକୁ ଫେରିବ ଶୀତର ଲହରୀ । ସେହିପରି ଆଗାମୀ ୩ ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ସମୟରେ ବାୟୁ ଚଳାଚଳରେ ପରିବର୍ତ୍ତନ ହେତୁ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରାରେ ୨ରୁ୩ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାର ସମ୍ଭାବନା ଥିବା ନେଇ ପୂର୍ବାନୁମାନ ପାଣିପାଗ ବିଭାଗ । ଏହାସହ ରାଜ୍ୟରେ ଜାରି ରହିବ ଘନ କୁହୁଡ଼ିର ପ୍ରଭାବ ।

ସେପଟେ ଆଜି ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । କଟକ ଓ ଭୁବନେଶ୍ବରରେ ଘନ କୁହୁଡି଼ ଦୃଶ୍ୟମାନ ହୋଇଛି । କୁହୁଡି଼ର ଘନତା ଏପରି ଥିଲା ଯେ, କିଛି କିଛି ସ୍ଥାନରେ କୁହୁଡି଼ ବର୍ଷା ହେଉଥିବା ଦେଖିବାକୁ ମିଳିଥିଲା । ଘନ କୁହୁଡ଼ିକୁ ନେଇ ରାସ୍ତା ଦୃଶ୍ୟମାନ ହେଇନଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଲୋକଙ୍କୁ ଯାତାୟତରେ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି । ଭୁବନେଶ୍ବରରେ ୧୦୦ ମିଟର ଘନ କୁହୁଡି଼ ଦୃଶ୍ୟମାନ ହେଉଥିବା ବେଳେ କଟକରେ ୫୦ ମିଟର ଦୃଶ୍ୟମାନ ହୋଇଛି । ସେହିପରି କେନ୍ଦ୍ରାପଡା, ରାଉରକେଲା, ଅନୁଗୋଳ ଓ ଫୁଲବାଣୀରେ ୧୦୦ ମିଟର କୁହୁଡି଼ ଦୃଶ୍ୟମାନ ହୋଇଛି । ଅନ୍ୟପକ୍ଷେ ଖୋର୍ଦ୍ଧା ଓ ଢେଙ୍କାନାଳରେ ୨୦ ମିଟର, ଚାନ୍ଦବାଲିରେ ୪୦ ମିଟର କୁହୁଡି଼ ଦୃଶ୍ୟମାନ ହୋଇଛି । ସକାଳ ସମୟରେ କୁହୁଡି଼ର ମାତ୍ରା ଅଧିକ ରହୁଥିବାରୁ ଏହି ସମୟରେ ସତର୍କତାର ସହ ଯାତାୟାତ କରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ.....3 ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ହେବନି ପରିବର୍ତ୍ତନ, ରହିବ ଘନ କୁହୁଡ଼ି

ଆଗାମୀ ୨୪ ଘଣ୍ଟାରେ ଘନ କୁହୁଡି଼ ଉପକୂଳ ଓଡିଶା ସମେତ ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଦୃଶ୍ୟମାନ ହେବାକୁ ଥିବା ବେଳେ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡ଼ିକ ହେଲା ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ବର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୋଳ, ଢେଙ୍କାନାଳ, ଦେଓଗଡ଼, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଏବଂ କୋରାପୁଟ । ସେହିପରି ଏବେ ବି କିଛିକାଂଶରେ ଶୀତ ଜାରି ରହିଥିବା ବେଳେ ଦୁଇଟି ସହର ଜି. ଉଦୟଗିରି ଓ କୋରାପୁଟରେ ୧୦ ଡ଼ିଗ୍ରୀ ତଳେ ତାପମାତ୍ରା ରେକର୍ଡ ହୋଇଛି । ସମତଳ ଅଞ୍ଚଳରେ ଫୁଲବାଣୀରେ ସର୍ବନିମ୍ନ ୧୧.୫ ଓ ପାହାଡିଆ ଅଞ୍ଚଳରେ ଜି. ଉଦୟଗିରିରେ ସର୍ବନିମ୍ନ ୮.୮ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.