ETV Bharat / state

3 ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ହେବନି ପରିବର୍ତ୍ତନ, ରହିବ ଘନ କୁହୁଡ଼ି

author img

By ETV Bharat Odisha Team

Published : Jan 9, 2024, 8:51 PM IST

Odisha Weather Update: ଗତ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ସ୍ବାଭାବିକ ଠାରୁ ଦୁଇ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ତାପମାତ୍ରା ବୃଦ୍ଧି ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ରାଜ୍ୟର କିଛି କିଛି ସ୍ଥାନରେ ଶୀତର ଲହରୀ ଜାରି ରହିଛି । ଅଧିକ ପଢ଼ନ୍ତୁ

ଘନ କୁହୁଡ଼ି
ଘନ କୁହୁଡ଼ି

ଘନ କୁହୁଡ଼ି

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ସ୍ବାଭାବିକଠାରୁ ଦୁଇ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ତାପମାତ୍ରା ବୃଦ୍ଧି ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ରାଜ୍ୟର କିଛି କିଛି ସ୍ଥାନରେ ଶୀତର ଲହରୀ ଜାରି ରହିଛି । ଏହାସହ ରାଜ୍ୟରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ତେବେ ଗତ ୨୪ ଘଣ୍ଟାରେ ଓଡ଼ିଶାର ୨ଟି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଦୃଶ୍ୟମାନ ଦୂରତା ୫୦ ରୁ ୨୦୦ ମିଟର ମଧ୍ୟରେ ରହିଛି । ବର୍ତ୍ତମାନ ରାଜ୍ୟରେ ଘନ କୁହୁଡି ପାଇଁ ପାଗ ଅନୁକୂଳ ଥିବାରୁ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡି ଦୃଶ୍ୟମାନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଆଗାମୀ 3 ଦିନ ମଧ୍ୟରେ ରାତିର ତାପାମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ।

ତେବେ ରାଜ୍ୟରେ ଘନ କୁହୁଡି଼ ବଢ଼ୁଥିବାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ଦୁଇ ଦିନ ଯାଏ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତା ୨୪ ଘଣ୍ଟାରେ ୨୨ଟି ଜିଲ୍ଲାରେ ଘନ କୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲାଗୁଡ଼ିକ ହେଉଛି କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, କନ୍ଧମାଳ, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, କୋରାପୁଟ, ରାୟଗଡା, ଅନୁଗୋଳ, ନବରଙ୍ଗପୁର, ଭଦ୍ରକ, ପୁରୀ, ବଲାଙ୍ଗୀର, ନୟାଗଡ, ଗଜପତି ଏବଂ ଗଞ୍ଜାମ ।

ଏହା ମଧ୍ୟ ପଢନ୍ତ.......ଘନ କୁହୁଡିର ମେଘମାଳାରେ ଅସ୍ତବ୍ୟସ୍ତ ଜନଜୀବନ, ଶୀତୁଆ ସକାଳରେ ଫିଟ୍ ପାଇଁ ଚାଲିଛି ଏକ୍ସରସାଇଜ୍‌

ସେହିପରି ଆସନ୍ତାକାଲି ଘନ କୁହୁଡିକୁ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସକାଳ ସମୟରେ କୁହୁଡିର ମାତ୍ରା ଅଧିକ ରହୁଥିବାରୁ ଏହି ସମୟରେ ସତର୍କତାର ସହ ଯାତାୟାତ କରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟାରେ ଜି. ଉଦୟଗିରି ଓ କୋରାପୁଟ ଏହି ୨ଟି ଜିଲ୍ଲାରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ଏହି ସ୍ଥାନ ଗୁଡିକରେ ଘନ କୁହୁଡି ମଧ୍ୟ ଦୃଶ୍ୟମାନ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ସମତଳ ଅଞ୍ଚଳର ଫୁଲବାଣୀରେ ସର୍ବନିମ୍ନ ୧୧.୦ ଡିଗ୍ରୀ ଓ ପାହାଡିଆ ଅଞ୍ଚଳର କୋରାପୁଟରେ ସର୍ବନିମ୍ନ ୮.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଦିନ ବେଳା କଟକରେ ୨୭.୦ ଓ ଭୁବନେଶ୍ୱରରେ ୨୭.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ଆକାଶ ନିର୍ମଳ ଥିବାରୁ ଆଗାମୀ ୭ ଦିନ ଯାଏଁ ପାଗ ଶୁଖିଲା ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.