ETV Bharat / state

ଘନ କୁହୁଡିର ମେଘମାଳାରେ ଅସ୍ତବ୍ୟସ୍ତ ଜନଜୀବନ, ଶୀତୁଆ ସକାଳରେ ଫିଟ୍ ପାଇଁ ଚାଲିଛି ଏକ୍ସରସାଇଜ୍‌

author img

By ETV Bharat Odisha Team

Published : Dec 29, 2023, 3:44 PM IST

Dense Fog In Boudh: ପ୍ରବଳ ଜାଡରେ ଥରୁଛି ସାରା ବୌଦ୍ଧ ଜିଲ୍ଲା । ଜାଡ଼ ସହ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘନ କୁହୁଡି଼ କବଳରେ କବଳିତ ହୋଇ ରହୁଛି ଜିଲ୍ଲା । ସେପଟେ ଶୀତୁଆ ସକାଳରେ ନିଜକୁ ଫିଟ୍ ରଖିବା ପାଇଁ ଚାଲିଛି ଏକ୍ସରସାଇଜ୍‌ । ଅଧିକ ପଢ଼ନ୍ତୁ

Dense Fog In Boudh
Dense Fog In Boudh

Dense Fog In Boudh

ବୌଦ୍ଧ: ରାଜ୍ୟରେ ତାପମାତ୍ରା ବଢିଥିଲେ ମଧ୍ୟ ଜାରି ରହିଛି ଶୀତର ଲହରୀ । କିଛି କିଛି ସ୍ଥାନରେ ଥଣ୍ଡାର ପରିମାଣ କମ ଅନୁଭୂତ ହେଉଥିବା ବେଳେ ଆଉ କିଛି କିଛି ସ୍ଥାନରେ ଲାଗି ରହିଛି ପ୍ରବଳ ଶୀତ । ଏହାରି ଭିତରେ ପ୍ରବଳ ଜାଡରେ ଥରୁଛି ସାରା ବୌଦ୍ଧ ଜିଲ୍ଲା । ଜାଡ଼ ସହ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘନ କୁହୁଡି଼ କବଳରେ କବଳିତ ହୋଇ ରହୁଛି ଜିଲ୍ଲା । କୁହୁଡ଼ିର ଆସ୍ତରଣ ଆଚ୍ଛାଦିତ ହୋଇ ରହୁଥିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିବା ସହିତ ସଡକ ଦୁର୍ଘଟଣାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ଶୀତୁଆ ସକାଳର କୁହୁଡିଆ ପରିବେଶ ମଧ୍ୟରେ ନିଜକୁ ଫିଟ୍ ରଖିବାକୁ ପାର୍କ, ରାସ୍ତା ଓ ଖେଳ ପଡିଆରେ ବିଭିନ୍ନ ବର୍ଗର ଲୋକଙ୍କୁ ଦେଖିବାକୁ ମିଳୁଛି ।

ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବର୍ତ୍ତମାନ କୁହୁଡିର ଚାଦରରେ ଘୋଡାଇ ହୋଇ ରହିଛି । ଆଉ ଏଭଳି ସମୟରେ ସକାଳୁ ସକାଳୁ ନିଜକୁ ଫିଟ୍ ରଖିବାକୁ ବିଭିନ୍ନ ପାର୍କ, ରାସ୍ତା ଓ ଖେଳ ପଡିଆରେ ଲୋକଙ୍କୁ ଦେଖିବାକୁ ମିଳିଛି । ଶୀତର ପ୍ରକୋପ ସହିତ ସାରା ଜିଲ୍ଲାରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ କୁହୁଡି ଆଚ୍ଛାଦିତ ହୋଇ ରହୁଛି । ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଓଡ଼ିଶାର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେବା ସହିତ ଦିନ 10ଟା ପର୍ଯ୍ୟନ୍ତ ଘନ କୁହୁଡି ଘେରି ହୋଇ ରହୁଛି । ସକାଳୁ ମୁହଁ କୁ ମୁହଁ ଦେଖାଯାଉ ନଥିବା ଅବସ୍ଥାରେ ରହିଥିବା ବେଳେ କୁହୁଡିଆ ମେଘମାଳାରୁ କାକର ବୁନ୍ଦା ପଡୁଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ.....ପ୍ରବଳ ଜାଡରେ ଥରୁଛି ସାରା ଓଡ଼ିଶା; ବୌଦ୍ଧରେ ଜନଜୀବନ ଅସ୍ତବ୍ୟସ୍ତ, ଜି. ଉଦୟଗିରିରେ ସର୍ବାଧିକ ଥଣ୍ଡା

ପ୍ରବଳ ଜାଡରେ ସାରା ଜିଲ୍ଲା ଥରୁଥିବା ବେଳେ ଗରିବ ଅସହାୟ ଲୋକଙ୍କ ଦୁଃଖ ବେଶ ବଢିଯାଇଛି । ଶୀତର ଜାଡରୁ ରକ୍ଷା ପାଇବାକୁ ଲୋକେ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ବସିଥିବା ବେଳେ ଘନ କୁହୁଡି ଯୋଗୁଁ ସଡକ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢିଯାଇଛି । ସେପଟେ ଶୀତୁଆ ସକାଳରେ ନିଜକୁ ଫିଟ୍ ରଖିବା ପାଇଁ ବିଶେଷ ଭାବରେ ଯୁବ ବର୍ଗମାନେ ଖେଳ ପଡିଆରେ ଖେଳ କସରତ ଓ ବ୍ୟାୟାମ ସହିତ ଯୋଗ ପ୍ରାଣାୟାମ କରୁଥିବା ଦେଖାଯାଉଛି । ସେହିଭଳି ଥଣ୍ଡା ପାଗ ସହ ଗରମ ଗରମ ଚାର ମଜା ନେଉଛନ୍ତି ଲୋକ । ଶୀତୁଆ ସକାଳେ ଚା ପିଇବା ସହ ସାଙ୍ଗ ସାଥୀମାନଙ୍କ ସହ ଖଟ୍ଟି ଚାଲିଛି । ତେବେ ଏହି ଶୀତୁଆ ସକାଳର କୁହୁଡିଆ ପରିବେଶ ସମଗ୍ର ପରିବେଶକୁ ଅଧିକ ମନଲୋଭା କରିଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନ ଆହୁରି ଅଧିକ ଆକର୍ଷଣୀୟ ‌‌ହୋଇଉଠିଛି । ଯାହା ପ୍ରକୃତିପ୍ରେମୀ ତଥା କବି ଭାବୁକଙ୍କୁ ଆନମନା କରୁଛି । ଆଉ ରାଜ୍ୟ ବାହାରରୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ଜିଲ୍ଲାର ଶୀତ ଋତୁ ବେଶ ଆକର୍ଷିତ କରୁଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.