ଭୁବନେଶ୍ବର: ସମ୍ବଲପୁର ପ୍ରସଙ୍ଗରେ ବିଜେପିର ସାମ୍ବାଦିକ ସମ୍ମିଳନୀକୁ ନିନ୍ଦା କରିଛି ବିଜେଡି । ଶାନ୍ତି ଫେରି ଆସୁଥିବାବେଳେ ଏହା କରି ଲୋକଙ୍କୁ ପୁଣିଥରେ ଉସୁକାଇବାକୁ ଚାହୁଁଛି ବିଜେପି । ସ୍ପର୍ଶକାତର ପ୍ରସଙ୍ଗରୁ ରାଜନୈତିକ ଫାଇଦା ନେବାକୁ ବିଜେପିର ଏହା ରଣନୀତି । ସାଢ଼େ ଚାରି କୋଟି ଓଡ଼ିଆଙ୍କ ହିତରେ ବିଜେପି ନେତା କେବେ ମୁହଁ ଖୋଲନ୍ତି ନାହିଁ ବୋଲି ବିଜେଡି କହିଛି ।
ସମ୍ବଲପୁରରେ ଘଟିଥିବା ଅତ୍ୟନ୍ତ ସ୍ପର୍ଶକାତର ଘଟଣା ପରେ ଶାନ୍ତି ଫେରି ଆସୁଥିବାବେଳେ ଓଡ଼ିଶା ବିଜେପି ଆଜି ସାମ୍ବାଦିକ ସମ୍ମିଳନୀ କରି ପୁଣିଥରେ ଏହି ପ୍ରସଙ୍ଗକୁ ତେଜିବାକୁ ଚାହୁଁଛି । ଏଥିରୁ ରାଜନୈତିକ ଫାଇଦା ନେବାକୁ ଉଦ୍ୟମ କରୁଛି । ଏହା ସଦାବେଳେ ସେମାନଙ୍କର ରଣନୀତି ରହିଆସିଛି ବୋଲି ଆଜି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ବିଜେଡି ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି ଯେ, ସମ୍ବଲପୁରରେ ଘଟିଥିବା ଏହି ସ୍ପର୍ଶକାତର ଘଟଣା ପଛର ଅପରାଧୀମାନଙ୍କ ବିରୋଧରେ ପୁଲିସ କିଭଳି କଠୋର କାର୍ଯ୍ୟାନୁଷ୍ଠାନ ନେଇଛି, ତାହା ସମ୍ବଲପୁରବାସୀ ଦେଖିଛନ୍ତି । ତେଣୁ ଏଭଳି ସାମ୍ବାଦିକ ସମ୍ମିଳନୀ କରି ସମ୍ବଲପୁରବାସୀଙ୍କୁ ଭ୍ରମିତ କରିବାକୁ ସେମାନେ କେବେବି ସଫଳ ହେବେ ନାହିଁ । ଯେହେତୁ ଏହି ମାମଲାରେ ସଂପୃକ୍ତ ଅପରାଧୀମାନେ ଗିରଫ ହୋଇ ସାରିଲେଣି, ସ୍ବାଭାବିକ ଭାବେ ସେମାନଙ୍କୁ ଉସୁକାଇଥିବା ଲୋକମାନେ ବି ଖୁବଶୀଘ୍ର ଧରା ପଡ଼ିଯିବେ ବୋଲି ଆଶା କରାଯାଉଛି । ଏହାକୁ ନେଇ ଓଡ଼ିଶା ବିଜେପି ବିବ୍ରତ ହୋଇପଡ଼ିଛି । ଏହି କାରଣରୁ ସେମାନେ ଏଭଳି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରୁଛନ୍ତି ବୋଲି ବିଜେଡି କହିଛି ।