ଝାରସୁଗୁଡା :ମହିଳାଙ୍କୁ ଏସିଡ ଆକ୍ରମଣ ଘଟଣା। ଗତ ଫେବୃଆରୀ 7 ତାରିଖ ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକର କାଦୋବାହାଲ ଜଙ୍ଗଲରେ ମୋହିନୀ ବାଗଙ୍କୁ ହୋଇଥିଲା ଏସିଡ ଆକ୍ରମଣ । ଏହି ଘଟଣାରେ 4 ଜଣ ଅଭିଯୁକ୍ତଙ୍କୁ ଝାରସୁଗୁଡା ଜିଲ୍ଲା ଲଇକେରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ତେବେ ଗିରଫ ଅଭିଯୁକ୍ତମାନେ ଏସିଡ ଆକ୍ରମଣ ପାଇଁ ଯୋଜନା କରିଥିବା ସମ୍ବଲପୁର ଜିଲ୍ଲା ମହୁଲପାଳି ଥାନା ଅଞ୍ଚଳର ପୂର୍ଣ୍ଣମୀ କେଛୋ ଓ ବିଜୟ ଭଁଏସା ଏବଂ ଏସିଡି ଫିଙ୍ଗି ଥିବା ଯୁବକ ଦ୍ବୟ ସୁନ୍ଦରଗଡ଼ ଜିଲ୍ଲା ଧୁରୁଆଡ଼ିହି ଥାନା ଅଞ୍ଚଳର ସୁଶାନ୍ତ ବନଛୋର ଓ ଆଲୋକ ବନଛୋର ବୋଲି ଝାରସୁଗୁଡା SP ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l
ସୂଚନା ଅନୁଯାୟୀ ପୀଡିତା ମୋହିନୀ ବାଗ ଓ ଅଭିଯୁକ୍ତ ପୂର୍ଣ୍ଣମୀ କେଛୋ ମଧ୍ୟରେ କୌଣସି କାରଣ ବଶତଃ ଅନେକ ଦିନରୁ କଳହ ଥିଲା l ଫଳରେ ପୂର୍ଣ୍ଣମୀ ପ୍ରତିଶୋଧ ନେବା ପାଇଁ ନିଜର ଜଣେ ବନ୍ଧୁ ବିଜୟଙ୍କ ସହ ମିଶି ଏସିଡ଼ ଆକ୍ରମଣ ପାଇଁ ଯୋଜନା କରିଥିଲେ l ଏନେଇ ସୁଶାନ୍ତ ବନଛୋର ଓ ଆଲୋକ ବନଛୋର କୁ ସୁପାରୀ ଦେଇଥିଲେ l ଏହାପରେ ଆଲୋକ ଓ ସୁଶାନ୍ତ ଏହି ଏସିଡ଼ ଆକ୍ରମଣ କରିଥିଲେ lଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକର ଅର୍ଡା ସରକାରୀ ହାଇସ୍କୁଲରେ ପିଅନ ଭାବେ କାର୍ଯ୍ୟ କରୁଥିଲେ ବିଧବା ମହିଳା ମୋହିନୀ ବାଗ। ସେ ଗତ ଫେବୃଆରୀ ୭ ତାରିଖ ଅପରାହ୍ନରେ ସ୍କୁଲରୁ ଫେରୁଥିବା ସମୟରେ ଏସିଡ ମାଡର ଶିକାର ହୋଇଥିଲେ l ସେ ନିଜ ସ୍କୁଟିରେ ଏକାକି ଘରକୁ ଫେରୁଥିବା ବେଳେ କାଦୋବାହାଲ ଜଙ୍ଗଲ ମେଟାକାନି ମନ୍ଦିର ନିକଟରେ ତାଙ୍କୁ ଅଟକାଇ ଥିଲେ 2 ଦୁର୍ବୁତ୍ତ ଆଲୋକ ଓ ସୁଶାନ୍ତ l ହେଲେ ମୋହିନୀ କିଛି ବୁଝିବା ପୂର୍ବରୁ ଦୁର୍ବୁତ୍ତ ଦ୍ବୟ ସାଙ୍ଗରେ ଆଣିଥିବା ଏକ ଏସିଡ଼ ବୋତଲରୁ ମୋହିନୀଙ୍କ ଉପରେ ଏସିଡ ଫିଙ୍ଗି ଫେରାର ହୋଇଯାଇଥିଲେ l