ETV Bharat / bharat

Saradha Scam: ଘୋଟାଲରେ ସମ୍ପୃକ୍ତ ମମତା ! କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେନ୍ଦୁ ଅଧିକାରୀଙ୍କ ଚିଠି

author img

By

Published : Mar 6, 2023, 6:11 PM IST

ମମତା ବାନାର୍ଜୀ ସାରଦା ଚିଟଫଣ୍ଡ ଘୋଟାଲାରେ ସମ୍ପୃକ୍ତ ଅଭିଯୋଗ ଆଣିଲେ ଶୁଭେନ୍ଦୁ ଅଧିକାରୀ । କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି । ଅଧିକ ପଢନ୍ତୁ

ମମତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶୁଭେନ୍ଦୁ ଅଧିକାରୀ
ମମତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା: ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ସାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ତଦନ୍ତ ଦାବି କରିଛି ବିଜେପି । ଆଜି(ସୋମବାର) ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ମମତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ନିବେଦନ କରିଛନ୍ତି । ସାରଦା ଚିଟଫଣ୍ଡ ସ୍କାମରେ ମୁଖ୍ୟମନ୍ତ୍ରୀ ମମତାଙ୍କର ସମ୍ପୃକ୍ତି ଥିବା ଓ ସେ ହିଁ ଏହି ଘୋଟାଲାରୁ ସର୍ବାଧିକ ଲାଭାନ୍ବିତ ହୋଇଥିବା ଅଭିଯୋଗ କରିଛନ୍ତି ଶୁଭେନ୍ଦୁ ଅଧିକାରୀ ।

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ଉଠାଇଛନ୍ତି ଶୁଭେନ୍ଦୁ ଅଧିକାରୀ । ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ତିନି ପୃଷ୍ଠା ସମ୍ବଳିତ ଚଠିରେ ଶୁଭେନ୍ଦୁ ଉଲ୍ଲେଖ କରିଛନ୍ତି, ଏହି ମାମଲାର ତଦନ୍ତ ମନ୍ଥର ଗତିରେ ଜାରି ରହିଛି । ଯାହା ଏହି ଘୋଟାଲାରେ ପ୍ରଭାବିତଙ୍କୁ ମଧ୍ୟ ନିରାଶ କରିଛି । ଏହି ଘୋଟାଲାରେ ସର୍ବାଧିକ ଲାଭାନ୍ବିତ ହୋଇଥିବା ଅଭିଯୁକ୍ତଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଗିରଫ କରିବାରେ ସଫଳ ହୋଇପାରିନାହିଁ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ତେବେ ସେ ଏହି ଘୋଟାଲରେ ସର୍ବାଧିକ ଲାଭ ପାଇଥିବା ଅଭିଯୁକ୍ତ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୋଲି ମଧ୍ୟ ଅଧିକାରୀ ପ୍ରତ୍ୟେକ୍ଷରେ ଉଲ୍ଲେଖ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା କାରଣରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହୁଏତ ତଦନ୍ତକାରୀ ସଂସ୍ଥା ପଛଘୁଞ୍ଚା ଦେଇଛି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ସେହିପରି ଏହି ଘୋଟାଲାରେ କୌଣସି ପ୍ରଭାବଶାଳୀ ବ୍ୟକ୍ତି ଥିଲେ ସୁଦ୍ଧା ତାଙ୍କୁ ତଦନ୍ତ ପରିସରକୁ ଆଣି ପ୍ରଭାବିତଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ବୋଲି ଶୁଭେନ୍ଦୁ ଚିଠିରେ ଲେଖିଛନ୍ତି ।

ଅଧିକାରୀ ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି, କେନ୍ଦ୍ରରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ-2 ସରକାରରେ ମମତା ବାନାର୍ଜୀ ରେଳ ମନ୍ତ୍ରୀ ଦାୟିତ୍ବରେ ଥିଲେ । ଏହି ସମୟରେ ସେ ଏହି ଘୋଟାଲାରେ ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରେ ସିବିଆଇ ଜାଣିବାକୁ ପାଇଥିଲା । ମମତାଙ୍କ ରେଳ ମନ୍ତ୍ରୀ କାର୍ଯ୍ୟକାଳରେ IRCTC ଓ ସାରଦା ଚିଟ୍‌ଫଣ୍ଡ ମଧ୍ୟରେ ଲିଙ୍କ୍‌ ଥିବା ତଦନ୍ତରୁ ଜଣା ପଡିଥିଲା । 2010ରେ ଏକ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଉଭୟ ସଂସ୍ଥା ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା । ତେବେ ଏହି ଘୋଟାଲାରେ ମୁଖ୍ୟମନ୍ତ୍ରୀ ମମତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଧିକାରୀ ଲେଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.