ଓଡିଶା

odisha

ଦେଶରେ ପୁଣି ଏକ ଚାଷୀ ଆନ୍ଦୋଳନର ରହିଛି ଆବଶ୍ୟକତା, କିଷାନ ମହାପଞ୍ଚାୟତରେ ଖୋଲା ଆହ୍ବାନ

By ETV Bharat Odisha Team

Published : Nov 27, 2023, 7:04 AM IST

ଦେଶରେ ପୁଣି ଏକ ଚାଷୀ ଆନ୍ଦୋଳନର ରହିଛି ଆବଶ୍ୟକତା । ଗଞ୍ଜାମରେ ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘ ପକ୍ଷରୁ ଆୟୋଜିତ କିଷାନ ମହାପଞ୍ଚାୟତରେ ଦିଆଗଲା ଖୋଲା ଆହ୍ବାନ । ସରକାରଙ୍କ ଉପରେ ବର୍ଷିଲେ କୃଷକ ନେତା । ପଢନ୍ତୁ ପୁରା ଖବର

କିଷାନ ମହାପଞ୍ଚାୟତରେ ଖୋଲା ଆହ୍ବାନ
କିଷାନ ମହାପଞ୍ଚାୟତରେ ଖୋଲା ଆହ୍ବାନ


ବ୍ରହ୍ମପୁର:ଦେଶରେ ପୁଣି ମୁଣ୍ଡ ଟେକିପାରେ ବିଶାଳ ଚାଷୀ ଆନ୍ଦୋଳନ । 2020 ନଭେମ୍ବର ମାସରୁ ଆରମ୍ଭ ହୋଇ ଦୀର୍ଘ 1 ବର୍ଷ ଧରି ଚାଲିଥିବା ବିଶାଳ ଆନ୍ଦୋଳନ ଭଳି ପୁଣି ଆଉ ଏକ ଆନ୍ଦୋଳନର ଆବଶ୍ୟକତା ରହିଛି । ଦେଶରେ କୃଷକ ବିରୋଧି କଳା ଆଇନର ପ୍ରତ୍ୟାହାର ହୋଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକ ମାନଙ୍କୁ ଲିଖିତ ଆକାରରେ ଦିଆଯାଇଥିବା ଦାବିଗୁଡିକ ଅଦ୍ୟାବଧି କାର୍ଯ୍ୟକାରୀ କରାଯାଇନାହିଁ । ଯେଉଁଥିପାଇଁ ପୁଣି ଏକ ବିଶାଳ ଆନ୍ଦୋଳନ କରିବା ନେଇ ଖୋଲା ଆହ୍ବାନ ଦେଇଛି ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘ ।

ରବିବାର ଦିନ ଗଞ୍ଜାମ ଜିଲ୍ଲାର ରମ୍ଭା ରେଳ ଷ୍ଟେସନ ନିକଟରେ ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘ ପକ୍ଷରୁ ଏକ କିଷାନ ମହାପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟର କୃଷକ ନେତା ମାନେ ଯୋଗ ଦେବା ସହ କୃଷକମାନଙ୍କୁ ଆନ୍ଦୋଳନ କରିବା ପାଇଁ ଆହ୍ବାନ ଦେଇଥିଲେ । ଏଥିରେ ପଞ୍ଜାବରୁ ଜଗଜିତ ସିଂ ଦଲବାଲ, କର୍ଣ୍ଣାଟକରୁ ପର୍ଶୁରାମ, ମଧ୍ୟପ୍ରଦେଶରୁ ସଂଙ୍କେଲ୍ସ ଦରବାର ଓ ରବି ଦତ୍ତ, ଶିବ କୁମାର ଶର୍ମାଙ୍କ ସମେତ ପାଞ୍ଚଟି ରାଜ୍ୟରୁ ଅନେକ କୃଷକ ନେତା ଉପସ୍ଥିତ ରହିଥିଲେ।

ସଚିନ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ତଥା ରାଜ୍ୟରେ କୃଷି ଓ କୃଷକର ସ୍ଥିତି ଏବଂ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ତେବେ କୃଷକ ନେତାଙ୍କ କହିବାନୁଯାୟୀ, "ଓଡ଼ିଶାରେ ୭୦ ଭାଗ କୃଷକ କୃଷି ଉପରେ ନିର୍ଭରଶୀଳ ମାତ୍ର କୃଷକମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ରହିଛି । ଗଞ୍ଜାମ ଜିଲ୍ଲାର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ଏପରିକି ଜିଲ୍ଲାର ୪୦ ଭାଗ କୃଷକ କୃଷିକ୍ଷେତ୍ର ଛାଡି ଦାଦନ ପାଇଁ ଅନ୍ୟ ରାଜ୍ୟକୁ ପଳାୟନ କରୁଛନ୍ତି । କୃଷିକ୍ଷେତ୍ରକୁ ଜଳସେଚନ, ଜଳ ନିଷ୍କାସନ, ମଣ୍ଡିର ଅବ୍ୟବସ୍ଥା, ମରୁଡ଼ିର ସ୍ଥିତି ଉଦବେଗଜନକ । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା କୃଷକ ବାର୍ଷିକ ବା ମାସିକ ଆୟ ସର୍ବନିମ୍ନ ସ୍ତରରେ ମାତ୍ର ସରକାର କୃଷି କର୍ମଣ ପୁରସ୍କାର ପାଇ ଚାଲିଛନ୍ତି । କୃଷକର ଏ ପ୍ରକାର ହୀନ ଅବସ୍ଥା ପାଇଁ ସରକାର ଯେତିକି ଦାୟୀ ଆମର ନିଷ୍କ୍ରିୟତା ମଧ୍ୟ ଅଧିକ ଦାୟୀ ।"

ଏହାମଧ୍ୟ ପଢନ୍ତୁ.. ହରିୟାଣା କୁରୁକ୍ଷେତ୍ରରେ MSP ଦାବିରେ ରାସ୍ତାକୁ ଓହ୍ଲାଇଲେ କୃଷକ, ଦେଖନ୍ତୁ ଭିଡିଓ

ସେ ଆଉ ମଧ୍ୟ କହିଛନ୍ତି , "ସର୍ବନିମ୍ନ ସ୍ତର ସରକାରୀ କର୍ମଚାରୀଙ୍କଠାରୁ କୃଷକ ହୀନ ଜୀବନଯାପନ କରୁଛନ୍ତି । ଏହାର ମୁଖ୍ୟ କାରଣ ଚାକିରିଆ ଗୋଷ୍ଠୀ ସଂଗଠିତ ସଂଗ୍ରାମ କରୁଥିବା ବେଳେ କୃଷକ ନିରବ ନିଶ୍ଚଳ ହୋଇ ଭାଗ୍ୟର ଦ୍ୱାହି ଦେଇ ବଞ୍ଚିଛି । ଏଣୁ ରାଜନୀତିରୁ ଉର୍ଦ୍ଧ୍ବରେ ରହି ଅଣ ରାଜନୈତିକ ଭାବେ ସଂଗଠନ ପଲ୍ଲୀରୁ ଦିଲ୍ଲୀ ଯାଏ ସଂଗ୍ରାମ ଜାରି ରଖିଛି । ଏହାର ପ୍ରମାଣ ଦିଲ୍ଲୀରେ ହୋଇଥିବା ୧୩ ମାସ ଲଗାତର ଆନ୍ଦୋଳନ ଏବଂ ୭୫୦ ଜଣରୁ ଊର୍ଦ୍ଧ୍ଵ କୃଷକ ଶହୀଦ ହୋଇ ଏହାର ପ୍ରମାଣ ଦେଇ ସାରିଛନ୍ତି । ଯାହାଫଳରେ ସରକାରଙ୍କ ଦ୍ଵାରା ପାରିତ ତିନୋଟି କୃଷକ କଳାବିଲ୍‌କୁ ପ୍ରତ୍ୟାହାର କରିବା ପାଇଁ ବାଧ୍ଯ ହୋଇଥିଲେ । ଏହା କୃଷକମାନଙ୍କୁ ଏକ ନୂତନ ଦିଗ୍‌ଦର୍ଶନ ପ୍ରଦାନ କରିଛି । ଏହି ଆନ୍ଦୋଳନର ସୁଫଳ ତଥା କୃଷକର ନାର୍ଯ୍ୟ ଅଧିକାର ଓଡ଼ିଶା କୃଷକଙ୍କ ନିକଟରେ ବୈପ୍ଲବିକ ଢଙ୍ଗରେ ଗଢ଼ି ତୋଳିବା ପାଇଁ ଏଭଳି କୃଷକ ମହାପଞ୍ଚାୟତ ଅନୁଷ୍ଠିତ ହେବ ।"

କୃଷକ ମଜଦୁର ମହାସଂଘର ଓଡ଼ିଶା ଶାଖା ରାଜ୍ୟ ସଭାପତି ସଚ୍ଚିନ ମହାପାତ୍ର ଓ ରାଷ୍ଟ୍ରୀୟ କୃଷକ ନେତୃମଣ୍ଡଳୀ ଯୋଗ ଦେଇ ରାଜ୍ୟର ପ୍ରଥମ ମହାପଞ୍ଚାୟତରେ ସର୍ବନିମ୍ନ ସହାୟକ ମୂଲ୍ୟ (M.S.P)ରେ କୃଷକର ଉତ୍ପାଦିତ ସମସ୍ତ ଶସ୍ୟ ସରକାର ବାଧ୍ୟତାମୂଳକ କ୍ରୟ କରିବା , ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୫୦୦୦ ଟଙ୍କା କରିବା , ସମସ୍ତ କୃଷିଋଣ ଛାଡ଼ କରିବା, ଗଞ୍ଜାମ ଜିଲ୍ଲାକୁ ମରୁଡ଼ି ଘୋଷଣା କରାଯାଇ କ୍ଷତିଗ୍ରସ୍ତ କୃଷକଙ୍କୁ ଏକର ପ୍ରତି ୧୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ବାର୍ଦ୍ଧକ୍ୟ ଭତ୍ତା ୫୦୦ ରୁ ୩୦୦୦ ହଜାରକୁ ବୃଦ୍ଧି କୃଷକ ଭତ୍ତା ୫୦୦୦ ଟଙ୍କା କରିବା ଦାବି କରିଛନ୍ତି । ଆଉ ମଧ୍ୟ ମଣ୍ଡିରେ କଟନି ଛଟନି ବନ୍ଦ କରାଯିବା ସହିତ ଯୁଦ୍ଧକାଳୀନ ଭିତ୍ତିରେ ଜଳସେଚନ, ଜଳ ନିଷ୍କାସନ ଶୀତଳ ଭଣ୍ଡାରର ସୁବ୍ୟବସ୍ଥା କରାଯିବାକୁ ଦାବି କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଶ୍ବସ୍ତି ସୁନ୍ଦର ସିୟା, ବିଜୟ କୁମାର ବିଶ୍ଵାଳ, ବାନାମ୍ବର ପଲେଇ, ସୌରୀ କୁମାର ସାହୁ, ସିମାଞ୍ଚଳ ନାହାକ, ଅଶୋକ କୁମାର ବିଷୋୟୀ, ରବି ସାହୁ, ସନାତନ ପ୍ରଧାନ, ରାଜୁ ମଲ୍ଲିକ, ରାମପ୍ରସାଦ, ପୂର୍ଣ୍ଣଚନ୍ଦ୍ର, କିଶୋର ସାହୁ, ନାଗେଶ୍ଵର ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details