ଓଡିଶା

odisha

କଳାଧନ ସମ୍ପର୍କରେ ଆଜି SITର ଗୁରୁତ୍ୱପୂର୍ଣ୍ଣ ବୈଠକ: ଅର୍ଚ୍ଚନା ନାଗ ମାମଲାରେ ହୋଇପାରେ ଆଲୋଚନା

By

Published : Mar 18, 2023, 9:55 AM IST

କଳାଧନ ସମ୍ପର୍କରେ ଆଜି SITର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି କଟକରେ କଳାଧନ ସମ୍ପର୍କରେ ଏସଆଇଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏଥିରେ ଅର୍ଚ୍ଚନା ନାଗ ମାମଲାରେ ଆଲୋଚନା ହୋଇପାରେ । ଅଧିକ ପଢନ୍ତୁ

କଟକ:ଆଜି କଳାଧନ ସମ୍ପର୍କିତ SITର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ କଟକରେ ଥିବା ତାଙ୍କ ବାସଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏଥିରେ କଳାଧନ କାରବାର ସମ୍ପର୍କରେ ଆଲୋଚନା ହେବ । ବୈଠକରେ ED, IT, CBI, ଏକ୍ସସାଇଜ୍, କଷ୍ଟମ୍ , ଟାଇରେକ୍ଟ ଟ୍ୟାକ୍ସେସ୍ ଭଳି କେନ୍ଦ୍ରୀୟ ସଂସ୍ଥାର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେବେ । ଏହାସହିତ ଓଡ଼ିଶାରୁ ପୋଲିସ ଡିଜି, ଖଣି, କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସର ନିର୍ଦ୍ଦେଶକ ସାମିଲ ହେବାର ସୂଚନା ମିଳିଛି । ଦେଶରେ କଳାଧନର କାରବାର ରୋକିବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ଏହି SIT ଗଠନ କରିଛନ୍ତି । SIT ବୈଠକରେ କଳାଧନ ସମ୍ପର୍କିତ ଅନ୍ୟ ପ୍ରସଙ୍ଗ ସହ କିଛି ସାମ୍ପ୍ରତିକ ପ୍ରସଙ୍ଗ ବାବଦରେ ଆଲୋଚନା ହୋଇପାରେ ବୋଲି ଜଣାପଡିଛି ।

ବିଶେଷକରି ଦେଶରେ ନିର୍ବାଚନ ସମୟରେ ହୋଇଥିବା କଳାଧନ କାରବାର ଓ ଜବତ ଟଙ୍କା ବାବଦରେ ଆଲୋଚନା ହେବ । ଏହାସହିତ ଅର୍ଚ୍ଚନା ନାଗ ମାମଲା ମଧ୍ୟ ଆଲୋଚନାରେ ସ୍ଥାନ ପାଇପାରେ । ଅର୍ଚ୍ଚନା ନାଗ ଠାରୁ ଜବତ ହୋଇଥିବା କୋଟି କୋଟି ଟଙ୍କାର କଳାଧନର ମୂଳ ସୂତ୍ରକୁ ଠାବ କରିବା ପାଇଁ SITଙ୍କ ନିର୍ଦ୍ଦେଶକ୍ରମେ ED ଏହି ମାମଲାର ତଦନ୍ତ କରୁଛି । ପୂର୍ବରୁ କଟକରେ ବସିଥିବା ଏହି ବୈଠକରେ ଦେଶରେ କଳାଧନର ସ୍ଥିତି ଓ ଏହାର ମୁଳୋତ୍ପାଟନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । GST ଠକେଇ ଓ ନିଶା କାରବାର କ୍ଷେତ୍ରରେ କଳାଧନର ବ୍ୟାପକ କାରବାର ହେଉଥିବା ଜଣାପଡିବା ପରେ ଏ ଦିଗରେ ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ।

ଦେଶର ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବ୍ୟାପକ ପରିମାଣର ନିଶା କାରବାର ହେଉଥିବାରୁ ଏହାକୁ ନେଇ ବୈଠକରେ ଚିନ୍ତା ପ୍ରକଟ କରାଯିବା ସହ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏଣିକି ଇଡି ଓ ଆୟକର ବିଭାଗକୁ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଉପାଧ୍ୟକ୍ଷ । ଦେଶରେ ଦ୍ରୁତଗତିରେ ନିଶା କାରବାର ବଢି ଚାଲିଛି । ବିଶେଷ କରି ଓଡ଼ିଶାରେ ଏହି କାରବାର ବିପଦ ଜଣକ ସ୍ଥିତିରେ ପହଞ୍ଚିଛି । ଯାହାକି କଳାଧନର ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । କଳାଧନ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ SITର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ଚାଞ୍ଚଳ୍ୟକର ସତ ସାମ୍ନାକୁ ଆସିଛି ।

ପୂର୍ବରୁ କଟକରେ ବସିଥିବା ଏହି ବୈଠକରେ ଓଡ଼ିଆ IPS ଅଫିସର ତଥା ନାର୍କୋଟିକ୍ସ ବିଭାଗର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ ଓ ଓଡ଼ିଶା କ୍ୟାଡର IPS ତଥା ନର୍କୋଟିକ୍ସ ବିଭାଗର ଡେପୁଟି ଡ଼ାଇରେକ୍ଟର ସଞ୍ଜୟ ସିଂଙ୍କ ପକ୍ଷରୁ ପ୍ରଦାନ କରାଯାଇ ଥିବା ତଥ୍ୟ ନିଶା କାରବାର ସାମ୍ରାଜ୍ୟ ବାବଦରେ ସମସ୍ତଙ୍କ ଧାରଣାକୁ ପରିବର୍ତ୍ତିତ କରିଦେଇଥିଲା । ଯାହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଜଷ୍ଟିସ ଅରିଜିତ ପଶାୟତ ।

ନିଶା କାରବାର ସହିତ GST ଠକେଇ କରି କୋଟି କୋଟି ଟଙ୍କାର କଳାଧନ ସଂଗୃହିତ କରାଯାଉଛି । ଗତ ୨ ବର୍ଷ ଭିତରେ ଦେଶରେ ୨୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଜିଏସଟି ଠକେଇ ହୋଇଥିବା କଥା GST ବିଭାଗ ପକ୍ଷରୁ SITଙ୍କୁ ଅବଗତ କରାଯାଇଥିଲା । ତେବେ କଳାଧନକୁ ଲୁଚାଇ ରଖିବା ପାଇଁ ପନାମା ଓ ପାଣ୍ଡେରା ପେପର୍ସର ତଦନ୍ତ କ୍ଷେତ୍ରରେ ଆଖି ଦୃଶିଆ ଅଗ୍ରଗତି ହୋଇଥିବା ବିଭାଗୀୟ ଅଧିକାରୀମାନେ SITକୁ ଅବଗତ କରାଇଥିଲେ । ପାନାମା ପେପର୍ସ କ୍ଷେତ୍ରରେ ୪୦୦ରୁ ଉର୍ଦ୍ଧ୍ବ ମାମଲା ରୁଜୁ ହୋଇଛି ଏବଂ ଏହା ଭିତରୁ ପ୍ରାୟ ୩୦୦ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେହିପରି ପଣ୍ଡୋରା ପେପର୍ସ ମାମଲାରେ ମାସକ ଭିତରେ ୭୦ଟି ମାମଲା ରୁଜୁ ହୋଇଥିବା କହିଥିଲେ ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details