ଓଡିଶା

odisha

ଆଇନଜୀବୀ ଆର୍ଯ୍ୟ ଭୂଷଣ ମୃତ୍ୟୁର ଖୋଲିଲା ଗୁମର, ଜମି ବିବାଦରୁ ହତ୍ୟା କରିଥିଲା ଅଭିଯୁକ୍ତ

By

Published : Mar 22, 2023, 6:52 AM IST

ସରକାରୀ ଜମିକୁ ବେଆଇନ ଭାବରେ ବିକ୍ରି କରିବା ନେଇ ଆଇନଜୀବୀ ଆର୍ଯ୍ୟ ଭୂଷଣ ଚୌଧୁରୀଙ୍କୁ ହତ୍ୟା ହୋଇଥିବା ସୂଚନା ଦେଲେ କଟକ ଡିସିପି ପିନାକ ମିଶ୍ର । ଘଟଣାର ମୁଖ୍ୟ ଅଭିଯୁକ୍ତ ସୁକାନ୍ତ ଦାସ ନାମକ ଜଣେ ଜମି ଦଲାଲକୁ ଗିରଫ କରିଛି ବିଡାନାସୀ ଥାନା ପୋଲିସ । ଅଧିକ ପଢ଼ନ୍ତୁ

ଜମି ବିବାଦ କାରଣରୁ ଆଇନଜୀବୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ
ଜମି ବିବାଦ କାରଣରୁ ଆଇନଜୀବୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ

ଜମି ବିବାଦ କାରଣରୁ ଆଇନଜୀବୀଙ୍କୁ ହତ୍ୟା

କଟକ: ଆଇନଜୀବୀ ଆର୍ଯ୍ୟ ଭୂଷଣ ଚୌଧୁରୀ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କଟକ କମିଶନରେଟ ପୋଲିସ । କଟକ ବିଡାନାସୀ ନୂଆସାହି ଠାରେ ଘଟିଥିବା ଏହି ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସରକାରୀ ଜମିକୁ ବେଆଇନ ଭାବରେ ବିକ୍ରି କରିବା ଏହି ହତ୍ୟାକାଣ୍ଡର ମୂଳ କାରଣ ବୋଲି ସ୍ପଷ୍ଟ କରିଛି ପୋଲିସ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁକାନ୍ତ ଦାସ ନାମକ ଜଣେ ଜମି ଦଲାଲକୁ ଗିରଫ କରିଛି ବିଡାନାସୀ ଥାନା ପୋଲିସ ।

ଏନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, "ଆର୍ଯ୍ୟ ନୂଆସାହିରେ ଏକ ସରକାରୀ ଜମିକୁ ଜବରଦଖଲ କରି ସେଠାରେ ଏକ ଘର ନିର୍ମାଣ କରିଥିଲେ । ସେହି ଜମିକୁ ୫ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଅଭିଯୁକ୍ତ ଜମି ଦଲାଲ ସୁକାନ୍ତ ଦାସର ସହାୟତା ନେଇଥିଲେ ଆଇନଜୀବୀ । ସୁକାନ୍ତ ଜମିକୁ ବିକ୍ରି କରିବା ପାଇଁ ଗ୍ରାହକ ଠିକ କରିବା ସହ ଗ୍ରାହକଙ୍କ ଠାରୁ ୫୦ ହଜାର ଟଙ୍କା ଆଡଭାନ୍ସ ଆକାରରେ ଆଣି ଆର୍ଯ୍ୟ ଭୂଷଣକୁ ଦେଇଥିଲେ । କିନ୍ତୁ ଆର୍ଯ୍ୟ ଭୂଷଣକୁ ଜମି ବିକ୍ରିରେ ଜାଲିଆତି କରିଥିବା ଅଭିଯୋଗ କରି ସୁକାନ୍ତ ପ୍ରଥମେ ତାଙ୍କୁ ଏକ କଟୁରିରେ ଆକ୍ରମଣ କରିଥିଲା । ଆର୍ଯ୍ୟ ଭୂଷଣଙ୍କ ମୃତ୍ୟୁ ହେବାପରେ ତାଙ୍କ ମୃତଦେହକୁ ସେହି ଜମି ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲା ।" ତେବେ ଏନେଇ ସମସ୍ତ ପ୍ରକାର ପ୍ରମାଣ ସଂଗ୍ରହ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

ଗତ ୧୫ ତାରିଖରୁ ନିଖୋଜ ଥିବା ଆଇନଜୀବୀ ଆର୍ଯ୍ୟ ଭୂଷଣ ଚୌଧୁରୀଙ୍କ ମୃତଦେହ ଗତ ୧୮ ତାରିଖ ଦିନ ଉଦ୍ଧାର ହୋଇଥିଲା । କଟକ ବିଡାନାସୀ ନୂଆସାହି ଠାରେ ଥିବା ତାଙ୍କ ଅସ୍ଥାୟୀ ଘର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା । କେହି ହତ୍ୟା କରି କୂଅରେ ପକାଇ ଥାଇପାରେ ବୋଲି ସେତେବେଳେ ଅଭିଯୋଗ କରିଥିଲେ ଆର୍ଯ୍ୟଙ୍କ ପରିବାର ଲୋକେ । ମୃତ ଆର୍ଯ୍ୟ ପେଶାରେ ଜଣେ ଆଇନଜୀବୀ ଓ କିଛିଦିନ ଧରି ସେ ନିଖୋଜ ଥିଲେ । ତାଙ୍କ ମୃତଦେହ ଘର ନିକଟସ୍ଥ କୂଅରୁ ଠାବ କରାଯାଇଥିଲା । ଘଟଣାସ୍ଥଳରେ ବିଡାନାସୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହାସହ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ସବୁ ଦିଗକୁ ନେଇ ତଦନ୍ତ କରିଥିଲା । ମୃତକଙ୍କ ମାଆ ଅଭିଯୋଗ କରିଥିଲେ ଯେ, ଜମିଜମା କାରଣରୁ ତାଙ୍କ ପୁଅକୁ ହତ୍ୟା କରାଯାଇଛି । ୪ ଦିନ ଧରି ନିଖୋଜ ରହିଥିଲେ ଆର୍ଯ୍ୟ । ଏନେଇ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ କରିଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details