ବଲାଙ୍ଗୀର:କାର୍ଯ୍ୟରତ ଶିକ୍ଷୟିତ୍ରୀଙ୍କ ଗଳା କାଟି ଲହୁଲୁହାଣ କରିଛନ୍ତି ସ୍ବାମୀ । ପୁଇଁତଳା ବ୍ଲକ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀ ସଞ୍ଜୁରାଣୀ ଦେବତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଶିକ୍ଷୟିତ୍ରୀଙ୍କ କହିବାନୁସାରେ ଏକ ବର୍ଷ ପୂର୍ବେ ଆଗଲପୁର ବନ୍ଧବାହାଲ ଅଞ୍ଚଳର ପ୍ରଦୀପ ପଣ୍ଡାଙ୍କ ସହ ବିବାହ ହୋଇଥିଲା । ତାଙ୍କ ସ୍ବାମୀ ଟିଟିଲାଗଡ଼ର ଏକ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି ।
ତେବେ ଶିକ୍ଷୟିତ୍ରୀଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିବାରୁ ସେ ଛାଡପତ୍ର ପାଇଁ କୋର୍ଟରେ ଫାଇଲ କରିଥିଲେ । ଏବଂ ଆଜି (ବୁଧବାର) ତାଙ୍କ ସ୍ଵାମୀ ସ୍କୁଲରେ ପହଞ୍ଚି ସମସ୍ତଙ୍କୁ ଛୁରୀ ଦେଖାଇ ଭୟଭୀତ କରିଥିଲେ । ଏବଂ ତାଙ୍କ ସ୍ତ୍ରୀ ସଞ୍ଜୁରାଣୀ ଦେବତା ସ୍କୁଲରେ ପାଠ ପଢ଼ାଉଥିବାବେଳେ ତାଙ୍କ ସ୍ତ୍ରୀଙ୍କ ଚୁଟିକୁ ଧରି ବେକକୁ ଧାରୁଆ ଛୁରୀରେ କାଟି ଦେଇଥିଲେ ।
ପରେ ଘଟଣାସ୍ଥଳରେ ସ୍କୁଲର ଅନ୍ୟ ଶିକ୍ଷକ ଓ ଗ୍ରାମବାସୀ ତାଙ୍କୁ ଧରି ପୋଲିସକୁ ଜଣାଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ବାମୀଙ୍କୁ କାବୁ କରିବା ସହ ଲୁହା ଚେନ ଓ ପେଟ୍ରୋଲ ମଧ୍ୟ ଜବତ କରାଯାଇଥିବା ଜଣାପଡିଛି l ସେପଟେ ପୁଇଁନ୍ତଳା ପୋଲିସ ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ନେଇ ସୂଚନା ମିଳିଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ