ଓଡିଶା

odisha

ପ୍ରକଳ୍ପ ଥାଇ ବି ଚାଷୀକୁ ମିଳୁନି ପାଣି, ନାଲି ଫିତା ତଳେ ସରକାରୀ ଯୋଜନା

By

Published : Oct 24, 2021, 12:58 PM IST

ଜଳସେଚନ ପ୍ରକଳ୍ପ ଥାଇ ବି ଚାଷ ଜମିକୁ ଆସୁନି ପାଣି । ଜଳସେଚନ ଅଭାବରୁ ପଡିଆ ପଡୁଛି ଶହ ଶହ ଏକର ଜମି । ଅନୁଗୋଳ ଜିଲ୍ଲାରୁ ସାମ୍ନାକୁ ଆସିଛି ଏହି ଚାଷୀ ସମସ୍ୟା । ଦେଖନ୍ତୁ ରିପୋର୍ଟ...

ପ୍ରକଳ୍ପ ଥାଇ ବି ଚାଷୀକୁ ମିଳୁନି ପାଣି, ନାଁକୁ ମାତ୍ର ସରକାରୀ ଘୋଷଣା ନାମା
ପ୍ରକଳ୍ପ ଥାଇ ବି ଚାଷୀକୁ ମିଳୁନି ପାଣି, ନାଁକୁ ମାତ୍ର ସରକାରୀ ଘୋଷଣା ନାମା

ଅନୁଗୋଳ:ବିସ୍ତୃତ ଜଳ ଭଣ୍ଡାର ଥାଇ ମଧ୍ୟ ଶହ ଶହ ଏକର ଜମି ପଡିଆ ପଡୁଛି । ଦୀର୍ଘ ବର୍ଷ ଧରି ଚାଷୀମାନେ ଦାବି କରି ଆସୁଛନ୍ତି । ହେଲେ କେହି ଶୁଣୁନାହାନ୍ତି ସେମାନଙ୍କ ଗୁହାରି । ଚଳିତ ଖରିଫ ଋତୁରେ ମଧ୍ୟ ବର୍ଷା ଅଭାବରୁ ଶହ ଶହ ଏକର ଜମି ପଡିଆ ପଡିଲା ସିନା ପ୍ରକଳ୍ପରୁ ସୁବିଧା ପାଇପାରିଲେନି ଚାଷୀକୂଳ । ଏହାକୁ ନେଇ ଚାଷୀମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଅନୁଗୋଳ ଜିଲ୍ଲାର ତଳମୂଳ ଓ ତା'ର ଆଖପାଖ ଚାଷୀଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖାଯାଇଛି ।

ପ୍ରକଳ୍ପ ଥାଇ ବି ଚାଷୀକୁ ମିଳୁନି ପାଣି, ନାଁକୁ ମାତ୍ର ସରକାରୀ ଘୋଷଣା ନାମା

ଏଠାରେ ପ୍ରାୟ ୧୦୦ ଏକର ବିଶିଷ୍ଟ ଏକ ବିଶାଳ ପୋଖରୀ ରହିଛି । ଦୀର୍ଘ ୪୦ ବର୍ଷ ପୂର୍ବେ ଜଳସେଚନ ବିଭାଗ ତରଫରୁ ଏହାକୁ ଜଳସେଚନ ପ୍ରକଳ୍ପ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା । ଦୁଇଟି କେନାଲ ନିର୍ମାଣ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ବନ୍ଦ ହୋଇଗଲା । କହିବାକୁ ଗଲେ ଜଳ ସେଚନର ସବୁ ସୁବିଧା ଥାଇ ବି ଚାଷୀ ପାଇ ତା'ର ଉପକାର ପାରୁନାହାନ୍ତି ।

ସରକାରୀ ଭାବେ ଏହି ପୋଖରୀର ଆଇକଟ ଏରିଆ ପ୍ରାୟ ୪୧ ହେକ୍ଟର । ଅର୍ଥାତ ଏହାର ପାଣିରେ ପ୍ରାୟ ୨୦୦ହେକ୍ଟର ଜମିରେ ଜଳସେଚିତ ହୋଇପାରିବ । କିନ୍ତୁ ସ୍ଥାନୀୟ ଚାଷୀଙ୍କ କହିବା କଥା ଏହି ପୋଖରୀର ପୁନରୁଦ୍ଧାର କରାଗଲେ ତଳମୂଳ ଗାଁର ପ୍ରାୟ ୧ ହଜାର ହେକ୍ଟର ଜମି ଓ ଆଖପାଖ ପ୍ରାୟ ୫ ଖଣ୍ଡ ଗାଁର ଆଉ ୧ ହଜାର ହେକ୍ଟରରୁ ଅଧିକ ଜମିରେ ଜଳସେଚିତ ହୋଇପାରିବ ।

ବର୍ଷା ଅଭାବରୁ ଚାଷ ଜମି ପଡିଆ ପଡୁଛି । କିନ୍ତୁ ଏହି ପୋଖରୀ ପାଣି ସଠିକ ବ୍ୟବହାର ହୋଇ ପାରିଲେ ବର୍ଷରେ ଦୁଇଥର ଧାନ ଫସଲ ହୋଇ ପାରିବ । ଏବେ ସେହି ପୋଖରୀ ପାଣିକୁ କିଛି ଚାଷୀ ନିଜ ଉଦ୍ୟମରେ ପମ୍ପ ସାହାଯ୍ୟରେ ପାଣି ମଡ଼ାଇ ଧାନ ଚାଷ କରି ପାରିଛନ୍ତି । କିନ୍ତୁ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନାହିଁ ।

ଏନେଇ ମଧ୍ୟମ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ କହିଛନ୍ତି, ସେହି ପୋଖରୀକୁ ବର୍ତ୍ତମାନ ସ୍ଥିତିରେ ପୁନଃରୁଦ୍ଧାର କରି ଜଳ ଯୋଗାଇ ଦେବାର କୌଣସି ସରକାରୀ ସ୍କିମ ନାହିଁ । ତଥାପି ଆମେ ନିଜ ତରଫରୁ ଏହାର ବ୍ୟୟ ଅଟକଳ ପ୍ରସ୍ତୁତ କରି ସରକାରଙ୍କୁ ପଠେଇବୁ । ସରକାର ଯାହା ନିଷ୍ପତ୍ତି ନେବେ ।

ଚଳିତ ବର୍ଷ ସଠିକ ସମୟରେ ବର୍ଷା ନ ହେବାରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ସେତେବେଳେ ସରକାର ସମସ୍ତ ଜଳସେଚନ ପ୍ରକଳ୍ପଗୁଡିକର ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେହି ନିଷ୍ପତ୍ତି କେବଳ ଫାଇଲ ତଳେ ରହିଗଲା ବୋଲି ଚାଷୀ ଅଭିଯୋଗ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details