ନୂଆଦିଲ୍ଲୀ: ଟି୨୦ ବିଶ୍ବକପ୍ ୨୦୨୪ ପରେ ପରେ ଶ୍ରୀଲଙ୍କା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଜୁଲାଇ ୨୦୨୪ରେ ଟିମ୍ ଇଣ୍ଡିଆ ଏହି ଗସ୍ତ କରିବାକୁ ଥିବାବେଳେ ଏଥିରେ ଉଭୟ ରାଷ୍ଟ୍ର ୩ଟି ଲେଖାଏଁ ଦିନିକିଆ ଏବଂ ଟି୨୦ ମ୍ୟାଚ୍ ଖେଳିବେ । ଏନେଇ ବୁଧବାର ଶ୍ରୀଲଙ୍କା କ୍ରିକେଟ୍ (SLC) ପକ୍ଷରୁ ୨୦୨୪ ବର୍ଷର କ୍ରିକେଟ୍ କ୍ୟାଲେଣ୍ଡର ଜାରି କରାଯିବା ପରେ ସ୍ପଷ୍ଟ ହୋଇଛି । ଶ୍ରୀଲଙ୍କା କ୍ରିକେଟ୍ ଦ୍ବାରା ପ୍ରକାଶିତ ପୁରୁଷ ଅନ୍ତର୍ଜାତୀୟ କ୍ୟାଲେଣ୍ଡର ଅନୁସାରେ, ଶ୍ରୀଲଙ୍କା ୨୦୨୪ ବର୍ଷରେ ୧୦ଟି ଟେଷ୍ଟ, ୨୧ ଦିନିକିଆ ଏବଂ ୨୧ ଟି୨୦ ସହିତ ୫୨ଟି ଦ୍ବିପାକ୍ଷିକ ମ୍ୟାଚ୍ ଖେଳିବ । ତେବେ ଶ୍ରୀଲଙ୍କା କ୍ରିକେଟ୍କୁ ଆଇସିସି ନିଲମ୍ବନ କରି ରଖିଛି । ତଥାପି ସେମାନେ ସେମାନଙ୍କର ପୁରୁଷ ଏବଂ ମହିଳା କ୍ରିକେଟ୍ର ଅନ୍ତର୍ଜାତୀୟ ପ୍ରତିଶ୍ରୁତି ପୂରଣ କରିପାରିବେ ।
୨୦୨୪ରେ ଟିମ୍ ଇଣ୍ଡିଆର ବିଜି ସେଡ୍ୟୁଲ୍: ୨୦୨୪ରେ ଭାରତୀୟ ଦଳର ଖେଳସୂଚୀ ବ୍ୟସ୍ତବହୁଳ ରହିବ । କାରଣ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଭାରତୀୟ ଦଳ । ସେଠାରେ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ଓ ଦିନିକିଆ ଶୃଙ୍ଖଳା ପରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ ଟିମ୍ ଇଣ୍ଡିଆ । ଏହି ଗସ୍ତ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଚାଲିବ । ଏହାପରେ ସେହି ଜାନୁଆରୀରେ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ପାଇଁ ଭାରତ ଗସ୍ତରେ ଆସିବ ଆଫଗାନିସ୍ତାନ ଟିମ୍ । ଏହାପରେ ଇଂଲଣ୍ଡ ବିପକ୍ଷରେ ଭାରତର ଟେଷ୍ଟ ସିରିଜ ରହିଛି । ଏସବୁ ପରେ ଆଇପିଏଲ୍ ମଧ୍ୟ ଆରମ୍ଭ ହୋଇଯିବ । ସେହିଭଳି ଆଇପିଏଲ୍ ପରେ ପରେ ଟି୨୦ ବିଶ୍ବକପ୍ ଖେଳାଯିବ । ଏପଟେ ବିଶ୍ବକପ୍ ପରେ ଶ୍ରୀଲଙ୍କା ଗସ୍ତ ସ୍ପଷ୍ଟ ହେବାପରେ ୨୦୨୪ ଭାରତୀୟ ଦଳର ବ୍ୟସ୍ତବହୁଳ ବର୍ଷ ହେବାକୁ ଯାଉଥିବା ଜଣାପଡ଼ିଛି ।