ETV Bharat / sports

ଦିନିକିଆ ଓ ଟି ୨୦ରୁ ବ୍ରେକ୍‌ ନେବେ ବିରାଟ ! ରୋହିତଙ୍କ ଯୋଜନା କଣ ?

author img

By ETV Bharat Odisha Team

Published : Nov 29, 2023, 5:59 PM IST

ସୀମିତ ଓଭର କ୍ରିକେଟ୍‌ରୁ ବ୍ରେକ୍‌ ନେବାପାଇଁ ଚିନ୍ତା କରିଛନ୍ତି ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଓ ଟି ୨୦ ଶୃଙ୍ଖଳା ନଖେଳିବା ପାଇଁ ବିସିସିଆଇକୁ ଜଣାଇଥିବା ରିପୋର୍ଟ ପ୍ରକାଶ ପାଇଛି । ସେପଟେ ଏହି ଶୃଙ୍ଖଳା ନେଇ ରୋହିତଙ୍କ ନଷ୍ପତ୍ତି କଣ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଯାହାକୁ ନେଇ ପ୍ରଶଂସକ ଚିନ୍ତାରେ ପଡ଼ିଛନ୍ତି । ଅଧିକ ପଢ଼ନ୍ତୁ

ଦିନିକିଆ ଓ ଟି ୨୦ରୁ ବ୍ରେକ୍‌ ନେବେ କୋହଲି !
ଦିନିକିଆ ଓ ଟି ୨୦ରୁ ବ୍ରେକ୍‌ ନେବେ କୋହଲି !

ନୂଆଦିଲ୍ଲୀ: ଅପ୍ରତ୍ୟାଶିତ ବିଶ୍ବକପ୍‌ ପରାଜୟ ଭୁଲି ନାହାନ୍ତି ଭାରତୀୟ କ୍ରିକେଟ୍‌ ପ୍ରେମୀ । ଏହାରି ଭିତରେ ପ୍ରଶଂସକଙ୍କୁ ନିରାଶ କରିବା ଭଳି ପୁଣି ଏକ ଅଶୁଭ ଖବର ପ୍ରକାଶ ପାଇଛି । ସୀମିତ ଓଭର କ୍ରିକେଟ୍‌ରୁ ଷ୍ଟାର ବ୍ୟାଟର ବିରାଟ କୋହଲି କିଛି ସମୟ ପାଇଁ ବ୍ରେକ୍‌ ନେବେ ବୋଲି ସୂତ୍ରରୁ ଜଣା ପଡ଼ିଛି । ଏନେଇ ସେ ବିସିସିଆଇକୁ ଜଣାଇ ସାରିଥିବା ମଧ୍ୟ କୁହାଯାଉଛି । ଫଳରେ ଆଗାମୀ ଡିସେମ୍ବର ୧୦ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ଓ ଦିନିକିଆ ସିରିଜ୍‌ ପାଇଁ ଅନୁପସ୍ଥିତ ରହିବେ ଭାରତୀୟ ଦଳର ଏହି ଷ୍ଟାର ବ୍ୟାଟର । ଯାହା ପ୍ରଶଂସକଙ୍କୁ ଚିନ୍ତାରେ ପକାଇଦେଇଛି । ତେବେ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ଖେଳିବାକୁ ଫେରିବେ ବୋଲି ସୂଚନା ମିଳିଛି ।

ବ୍ରେକ୍‌ ନେବେ କୋହଲି !: ବିଶ୍ବକପ୍‌ ୨୦୨୩ ଶେଷ ହେବାପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳାଯାଉଛି । ବିଶ୍ବକପ୍‌ ଖେଳିଥିବା ସମସ୍ତ ବରିଷ୍ଠ ଖେଳାଳିଙ୍କୁ ଏହି ସିରିଜ୍‌ ପାଇଁ ବିଶ୍ରାମ ଦିଆଯାଇଛି । ଫଳରେ ପ୍ରଥମ ଥର ପାଇଁ ଦଳର ନେତୃତ୍ବ ନେଉଛନ୍ତି ସୂର୍ଯ୍ୟକୁମାର ଯାଦବ । ଏହି ଶୃଙ୍ଖଳା ପରେ ପରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଟିମ୍‌ ଇଣ୍ଡିଆ । ସେଠାରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ପରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଏବଂ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳାଯିବ । ଏହି ସିରିଜ୍‌ ପାଇଁ ସମସ୍ତ ବରିଷ୍ଠ ଖେଳାଳି ଦଳକୁ ଫେରିବେ ବୋଲି ଅନୁମାନ କରାଯାଉଛି । ହେଲେ ହଠାତ କୋହଲିଙ୍କ ଏଭଳି ନିଷ୍ପତ୍ତି ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଟିମ୍‌ ଇଣ୍ଡିଆକୁ ଫେରିଲେ ଦ୍ରାବିଡ୍‌, ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ବଢ଼ାଇଲା BCCI

ରୋହିତ ଶର୍ମାଙ୍କ ଯୋଜନା କଣ ?: ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟି୨୦ ଏବଂ ଦିନିକିଆ ଦଳ ଚୟନ ପୂର୍ବରୁ ବିସିସିଆଇକୁ ବିଶ୍ରାମ ପାଇଁ ଜଣାଇଛନ୍ତି ଷ୍ଟାର୍‌ ବ୍ୟାଟର ବିରାଟ କୋହଲି । ସେ ଏହି ଦିନିକିଆ ଏବଂ ଟି୨୦ ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି । ଶେଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ବିରାଟଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ ନିଜେ ବିରାଟ କିମ୍ବା ବିସିସିଆଇ ସୂତ୍ରରୁ କିଛି ସ୍ପଷ୍ଟ ହୋଇନାହିଁ । ହେଲେ ଏହାରି ଭିତରେ ରୋହିତ ଶର୍ମାଙ୍କ ଯୋଜନା କଣ ହେବ, ସେନେଇ ଚିନ୍ତାରେ ପଡ଼ିଛନ୍ତି ଫ୍ୟାନ୍ସ । ତେଣୁ ଆଗାମୀ ଦିନରେ ଭାରତୀୟ ସ୍କ୍ବାଡ୍‌ ଘୋଷଣା ପରେ ହିଁ ସଠିକ୍‌ ଚିତ୍ର ସ୍ପଷ୍ଟ ହେବ ।

ଛୁଟିରେ ରୋହିତ-କୋହଲି: ବିଶ୍ବକପ୍‌ ୨୦୨୩ରେ ଭାରତକୁ ଚମ୍ପିଆନ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ ବିରାଟ ଓ ରୋହିତ । ହେଲେ ଫଳାଫଳ ଏପରି ହେବ ବୋଲି କାହାରି ଆଶା ନଥିଲା । କୋହଲି ବିଶ୍ବକପ୍‌ରେ ୧୧ ମ୍ୟାଚ୍‌ ଖେଳି ୩ ଶତକ ସହିତ ୭୬୫ ରନ ସଂଗ୍ରହ କରିଥିଲେ । ଯାହା କୌଣସି ବିଶ୍ବକପ୍‌ରେ ଜଣେ ବ୍ୟାଟରଙ୍କ ଦ୍ବାରା ସର୍ବାଧିକ ସ୍କୋର ଥିଲା । ୫୦ତମ ଦିନିକିଆ ଶତକ ହାସଲ କରିବା ସହ ସେ ପ୍ଲେୟର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ହେବାର ରେକର୍ଡ ମଧ୍ୟ କରିଥିଲେ । ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ପ୍ରତି ମ୍ୟାଚ୍‌ରେ ବିସ୍ଫୋରକ ଆରମ୍ଭ କରି ଦଳର ବିଜୟ ଏକ ପ୍ରକାର ସୁନିଶ୍ଚିତ କରୁଥିଲେ । ଏହା ସତ୍ତ୍ବେ ବିଶ୍ବକପ୍‌ ଫଳାଫଳ ଉଭୟଙ୍କୁ ବହୁ କଷ୍ଟ ଦେଇଛି । ଏହାପରେ ଉଭୟ କ୍ରିକେଟ୍‌ରୁ ଛୁଟିରେ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସୋସିଆଲ୍‌ ମିଡିଆକୁ ଫେରିଲେ ରୋହିତ ଶର୍ମା, ବିଶ୍ବକପ୍‌ ପରାଜୟ ପରେ କଲେ ପ୍ରଥମ ପୋଷ୍ଟ

ଭବିଷ୍ୟତ ରୋଡ୍‌ମ୍ୟାପ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଓ ଟି-୨୦ ଶୃଙ୍ଖଳାରେ ଅଧିନାୟକ ରୋହିତ ଶର୍ମାଙ୍କ ଉପଲବ୍ଧି ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେ ଏବେ ବିଦେଶରେ ଛୁଟିରେ ରହିଥିବା ଜଣାପଡ଼ିଛି । ରିପୋର୍ଟରେ କୁହାଯାଇଛି, ବିସିସିଆଇ ସଚିବ ଜୟ ଶାହ ଭାରତୀୟ ଦଳର ଭବିଷ୍ୟତ ରୋଡ୍‌ମ୍ୟାପ୍‌ ନେଇ ଖୁବ ଶୀଘ୍ର ରୋହିତ ଓ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ସହ ଆଲୋଚନା କରିବେ ।

ଦକ୍ଷିଣ ଆଫ୍ରିକା ବନାମ ଭାରତ ଟି୨୦ ଶୃଙ୍ଖଳା:

ପ୍ରଥମ ମ୍ୟାଚ୍‌- ଡିସେମ୍ବର ୧୦ (ଡର୍ବାନ)

ଦ୍ବିତୀୟ ମ୍ୟାଚ୍‌- ଡିସେମ୍ବର ୧୨ (ସେଣ୍ଟ୍‌ ଜର୍ଜ୍‌ ପାର୍କ୍‌)

ତୃତୀୟ ମ୍ୟାଚ୍‌- ଡିସେମ୍ବର ୧୪ (ଜୋହାନସ୍‌ବର୍ଗ)

ଦକ୍ଷିଣ ଆଫ୍ରିକା ବନାମ ଭାରତ ଦିନିକିଆ ଶୃଙ୍ଖଳା:

ପ୍ରଥମ ମ୍ୟାଚ୍‌- ଡିସେମ୍ବର ୧୭ (ଜୋହାନର୍ସବର୍ଗ)

ଦ୍ବିତୀୟ ମ୍ୟାଚ୍‌- ଡିସେମ୍ବର ୧୯ (ସେଣ୍ଟ୍‌ ଜର୍ଜ୍‌ ପାର୍କ୍‌)

ତୃତୀୟ ମ୍ୟାଚ୍‌- ଡିସେମ୍ବର ୨୧ (ପର୍ଲ)

ଦକ୍ଷିଣ ଆଫ୍ରିକା ବନାମ ଭାରତ ଟେଷ୍ଟ ଶୃଙ୍ଖଳା:

ପ୍ରଥମ ମ୍ୟାଚ୍‌- ଡିସେମ୍ବର ୨୧ରୁ ଡିସେମ୍ବର ୩୦ (ସେଞ୍ଚୁରିଅନ୍‌)

ଦ୍ବିତୀୟ ମ୍ୟାଚ୍‌- ଜାନୁଆରୀ ୩ରୁ ଜାନୁଆରୀ ୭ (କେପ୍‌ ଟାଉନ୍‌)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.