ETV Bharat / sports

ଟିମ୍‌ ଇଣ୍ଡିଆକୁ ଫେରିଲେ ଦ୍ରାବିଡ୍‌, ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ବଢ଼ାଇଲା BCCI

author img

By ETV Bharat Odisha Team

Published : Nov 29, 2023, 3:56 PM IST

ଦ୍ରାବିଡ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ବଢ଼ାଇଲା BCCI
ଦ୍ରାବିଡ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ବଢ଼ାଇଲା BCCI

BCCI extends contracts of Rahul Dravid: ପୁଣିଥରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ଫେରିଛନ୍ତି ରାହୁଲ ଦ୍ରାବିଡ୍‌ । ରାହୁଲଙ୍କ ସହ ବୋଲିଂ କୋଚ୍‌ ପରାସ ମହାମ୍ବ୍ରେ, ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ଏବଂ ଫିଲ୍ଡିଂ କୋଚ୍‌ ଟି. ଦିଲ୍ଲୀପଙ୍କ ଭଳି ସମସ୍ତ ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛି ବିସିସିଆଇ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଦିନିକିଆ ବିଶ୍ବକପ୍‌ ୨୦୨୩ ପରେ ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦ ନେଇ ଆରମ୍ଭ ହୋଇଥିବା ସବୁ କଳ୍ପନା ଜଳ୍ପନାର ହେଲା ଅନ୍ତ । ଆଉ କେହି ନୁହେଁ, ରାହୁଲ ଦ୍ରାବିଡ୍‌ ହିଁ ରହିବେ ଭାରତୀୟ ଦଳର ମୁଖ୍ୟ କୋଚ୍‌ । ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ବଢିବା ନେଇ ଗ୍ରୀନ୍‌ ସିଗ୍‌ନାଲ୍‌ ଦେଇଛି ବିସିସିଆଇ । କେବଳ ଦ୍ରାବିଡ୍‌ ନୁହଁନ୍ତି, ବୋଲିଂ କୋଚ୍‌ ପରାସ ମହାମ୍ବ୍ରେ, ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ଏବଂ ଫିଲ୍ଡିଂ କୋଚ୍‌ ଟି. ଦିଲ୍ଲୀପଙ୍କ ଭଳି ସମସ୍ତ ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ଫଳରେ ଭିଭିଏସ୍‌ ଲକ୍ଷ୍ମଣ କିମ୍ବା ଅନ୍ୟ କେହି ମୁଖ୍ୟ ପ୍ରଶିକ୍ଷକ ହେବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

୨ ବର୍ଷର ରାହୁଲଙ୍କ କାର୍ଯ୍ୟକାଳ: ଟି୨୦ ବିଶ୍ବକପ୍‌ ୨୦୨୧ର ହାର୍ଟବ୍ରେକ୍‌ ପରେ ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଥିବା ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ହେଲେ ଏହାପରେ ତାଙ୍କର ଆଉ କାର୍ଯ୍ୟକାଳ ବୃଦ୍ଧି ନକରି ପୂର୍ବତନ କିମ୍ବଦନ୍ତୀ ବ୍ୟାଟର ରାହୁଲ ଦ୍ରାବିଡଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦରେ ନିଯୁକ୍ତ କରିଥିଲା ବିସିସିଆଇ । ନଭେମ୍ବର ୧୭, ୨୦୨୧ ତାରିଖରୁ ଭାରତୀୟ ସିନିୟର ପୁରୁଷ କ୍ରିକେଟ୍‌ ଦଳର କୋଚ୍‌ ଭାର ସମ୍ଭାଳିଥିଲେ ଦ୍ରାବିଡ୍‌ । ଏହାପରେ ବିଭିନ୍ନ ଦ୍ବିପାକ୍ଷିକ ଶୃଙ୍ଖଳାରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିଥିଲା । ଟିମ୍‌ର ବେଞ୍ଚ ଷ୍ଟ୍ରେନ୍ଥ୍‌ ବଢାଇବା ଉପରେ ମଧ୍ୟ ଯଥେଷ୍ଟ କାମ କରିଥିଲେ ଦ୍ରାବିଡ । ତାଙ୍କ ପ୍ରଶିକ୍ଷଣରେ ଟିମ୍‌ ଇଣ୍ଡିଆ କ୍ରମାଗତ ଭଲ ପ୍ରଦର୍ଶନ କରିବା ସହିତ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି ଓ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ ଖେଳିଥିଲା । ଟି୨୦ ବିଶ୍ବକପ୍‌ ୨୦୨୨ ସେମିଫାଇନାଲ୍‌ରେ ମଧ୍ୟ ପହଞ୍ଚିଥିଲେ ମେନ୍‌ ଇନ୍‌ ବ୍ଲ୍ୟୁ । ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ବକପ୍‌ରେ ଏକମାତ୍ର ଦଳ ଭାବେ ସେମିଫାଇନାଲ ଯାଏଁ ସର୍ବଶ୍ରେଷ୍ଠ ଦଳ ପ୍ରମାଣିତ ହୋଇଥିଲା ଟିମ୍‌ ଇଣ୍ଡିଆ । ହେଲେ ଅଷ୍ଟ୍ରେଲିଆର ଅପ୍ରତ୍ୟାଶିତ ପରାଜୟ ସହ ରାହୁଲ ଦ୍ରାବିଡ୍‌ଙ୍କ ୨ ବର୍ଷିଆ କାର୍ଯ୍ୟକାଳ ଶେଷ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...କୋଚ୍‌ ପଦ ପାଇଁ ଲକ୍ଷ୍ମଣ ପ୍ରସ୍ତୁତ, IPL କମ୍‌ବ୍ୟାକ୍‌ ଲକ୍ଷ୍ୟରେ ଦ୍ରାବିଡ୍‌

'ଦ୍ରାବିଡ୍‌ ଆଣ୍ଡ୍‌ କୋ'ଙ୍କ ୨ୟ ଇନିଂସ୍‌: ଆସନ୍ତା ବର୍ଷ ଟି୨୦ ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ଦ୍ରାବିଡଙ୍କ କାର୍ଯ୍ୟକାଳ ବଢାଇବା ପାଇଁ ବିସିସିଆଇ ଅଫର ଦେଇଥିଲା । ହେଲେ ଏହି ଅଫରକୁ ଦ୍ରାବିଡ୍‌ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳା ପାଇଁ ପୂର୍ବତନ କ୍ରିକେଟର ତଥା ଏନ୍‌ସିଏ ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ପ୍ରଶିକ୍ଷକ ଦାୟିତ୍ବ ଦିଆଯାଇଥିଲା । ଏହାପରେ ଲକ୍ଷ୍ମଣ ହିଁ ନିୟମିତ ମୁଖ୍ୟ କୋଚ୍‌ ପଦରେ ରହିବେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । ଶେଷରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛି ବିସିସିଆଇ । ପୁଣିଥରେ ଦ୍ରାବିଡ୍‌ଙ୍କୁ କୋଚ୍‌ ପଦରେ ରହିବା ଲାଗି ବିସିସିଆଇ ପକ୍ଷରୁ କରାଯାଇଥିବା ଅନୁରୋଧରେ ଦ୍ରାବିଡ୍‌ ରାଜି ହୋଇଥିଲେ । ତେବେ କୋଚ୍‌ ଭାବେ ଟିମ୍‌ ଇଣ୍ଡିଆ ସହିତ ୨ୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଦ୍ରାବିଡ୍‌ ଓ ତାଙ୍କ ସହଯୋଗୀ ଥିବା ବ୍ୟାଟିଂ କୋଚ୍‌, ବୋଲିଂ କୋଚ୍‌ ଓ ଫିଲ୍ଡଂ କୋଚ୍‌ଙ୍କ ଭଳି ସମସ୍ତ ସପୋର୍ଟ ଷ୍ଟାଫ୍‌ । ଯଦିଓ କେତେ ବର୍ଷ ପର୍ଯ୍ୟନ୍ତ ଏମାନେ ଦଳ ସହ ରହିବେ ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ, ଆସନ୍ତା ବର୍ଷ ହେବାକୁଥିବା ଟି୨୦ ବିଶ୍ବକପ୍‌ ୨୦୨୪ ଯାଏଁ ସମସ୍ତ ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.