ଓଡିଶା

odisha

ଶ୍ରୀମନ୍ଦିରରେ ଦର୍ଶନ ଅବ୍ୟବସ୍ଥା, ସବୁ ଦ୍ୱାର ଖୋଲିବାକୁ ଦାବି

By

Published : Mar 18, 2022, 3:16 PM IST

ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ବିଭ୍ରାଟ ଘଟିଛି । ଫଳରେ ଶ୍ରୀମନ୍ଦିର ସିଂହଦ୍ୱାର ସମୁଖରେ ସ୍ଥିତି ଅସମ୍ଭାଳ ହୋଇଥିଲା । ଏହାକୁ ନେଇ ଭକ୍ତ ଓ ସେବାୟତ ମହଲରେ ତୀଵ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ଦର୍ଶନ ଅବ୍ୟବସ୍ଥା
ଶ୍ରୀମନ୍ଦିରରେ ଦର୍ଶନ ଅବ୍ୟବସ୍ଥା

ପୁରୀ: ଶ୍ରୀମନ୍ଦିରରେ ଭକ୍ତଙ୍କ ମଧ୍ୟରେ ଦଳା ଚକଟା ଘଟଣା । ତୁରନ୍ତ ଭକ୍ତଙ୍କ ପ୍ରବେଶ ପାଇଁ ଶ୍ରୀମନ୍ଦିର ସବୁ ଦ୍ୱାର ଖୋଲିବାକୁ ଦାବି ହୋଇଛି । ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ବିଭ୍ରାଟ ଘଟିଛି । ଫଳରେ ଶ୍ରୀମନ୍ଦିର ସିଂହଦ୍ୱାର ସମୁଖରେ ସ୍ଥିତି ଅସମ୍ଭାଳ ହୋଇଥିଲା । ଏହାକୁ ନେଇ ଭକ୍ତ ଓ ସେବାୟତ ମହଲରେ ତୀଵ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

ଶ୍ରୀମନ୍ଦିରରେ ଦର୍ଶନ ଅବ୍ୟବସ୍ଥା

ସୂଚନା ଅନୁଯାୟୀ ମହାପ୍ରଭୁଙ୍କର ଚାଚେରୀ ବେଶ ଓ ଭୋଗ ନୀତି ବିଳମ୍ବିତ ହୋଇ ଥିବାରୁ ଆଜି ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ହୋଇଥିଲା । ଫଳରେ ଦିର୍ଘ ସମୟ ବ୍ୟାରିକେଡରେ ଖରାରେ ଠିଆ ହୋଇ ହନ୍ତସନ୍ତ ହୋଇଥିଲେ ଭକ୍ତ । କେତେକ ଭକ୍ତ ବ୍ୟାରିକେଡରେ ଠିଆ ନ ହୋଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସେବାୟତଙ୍କ ଯାତାୟତ ନେଇଥିବା ବ୍ୟାରିକେଡ ନିକଟରେ ଏକାଠି ହୋଇ ରହିଥିଲେ। ଯେତେବେଳେ ଦର୍ଶନ ପାଇଁ ଭକ୍ତଙ୍କୁ ଛଡା ଗଲା ସେବାୟତ ଯାଉଥିବା ବ୍ୟାରିକେଡରେ କେତେକ ଭକ୍ତ ଧସେଇ ପସିଥିଲେ। ଉକ୍ତ ସମୟ ଦୁଇ ଜଣ ମହିଳା ତଳେ ପଡି ଯିବାରୁ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ପରେ ପୋଲିସ ସ୍ଥିତି ନିୟନ୍ତ୍ରଣ କରିଥିଲା ।

ଶ୍ରୀମନ୍ଦିରରେ ଆଜି ଏକ ବଡ଼ ଧରଣର ଅଘଟଣ ଟଳି ଯାଇଥିଲେ ମଧ୍ୟ ଏହି ପରିସ୍ଥିତି ପାଇଁ ସେବାୟତମାନେ ଜିଲ୍ଲା ପ୍ରଶାସନକୁ ଦୋଷ ଦେଇଛନ୍ତି । ପୂବରୁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲା ରହୁଥିଲା । ଭକ୍ତମାନେ ସବୁ ଦ୍ୱାର ଦେଇ ଯିବା ଆସିବା କରୁଥିଲେ । ଫଳରେ ଭିଡ଼କୁ ଏଡାଇ ଦିଆଯାଉଥିଲା । ତେବେ ଜିଲ୍ଲା ପ୍ରଶାସନ କେବଳ ସିଂହଦ୍ୱାର ଦେଇ ପ୍ରବେଶ ନିୟମ କରିଥିବାରୁ ଅଧିକ ଭିଡ଼ ହେଉଛି। ଫଳରେ ଲୋକମାନେ ଧୌର୍ଯ୍ୟଚ୍ୟୁତ ହୋଇ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବା ଭଳି ସ୍ଥିତି ଉପୁଜିଲା । ସେହିପରି ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ଥିବା ବେଳେ ଯଦି ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ନ୍ତେ ତେବେ ଭକ୍ତମାନେ ପାର୍ଶ୍ୱ ଦେବଦେବୀ ଦର୍ଶନ କରି ପରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରନ୍ତେ । ହେଲେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ବାରମ୍ବାର ଦାବି ହେଉଥିଲେ ମଧ୍ୟ ପ୍ରଶାସନ ଏହା ନ ଶୁଣିବା ଦୁଃଖ ବିଷୟ ବୋଲି କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ।

ଏହା ବି ପଢନ୍ତୁ...ଦୋଳ ପୂର୍ଣ୍ଣିମାରେ ସିଂହଦ୍ବାରରେ ଦଳାଚକଟା, ଭାଙ୍ଗିଦେଲେ ବ୍ୟାରିକେଡ଼ ପଡିଗଲେ 2 ମହିଳା

ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ନୀତି ବିଳମ୍ବ ଯୋଗୁଁ ଏହି ସ୍ଥିତି ହୋଇଛି । ଆଗାମୀ ନୀତି ଶୃଙ୍ଖଳା ଓ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ବୈଠକରେ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପରିଚଳନା କମିଟି ସଦସ୍ୟ ଦୁର୍ଗା ଦାସ ମହାପାତ୍ର କହିଛନ୍ତି । ଘଟଣା ପରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ଓ ଅତିରିକ୍ତ ଏସପି । ବର୍ତ୍ତମାନ ସ୍ଥିତି ଭଲ ଅଛି ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ ଚାଲିଥିବା କହିଛନ୍ତି ଅତିରିକ୍ତ ଏସପି ପ୍ରଫୁଲ୍ଲ କୁମାର ବଡ଼ଜେନା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details