ଓଡିଶା

odisha

କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା, ଗାନ୍ଧୀ ନା ଅଣଗାନ୍ଧୀ କିଏ ହେବେ ଦଳର ମଙ୍ଗୁଆଳ ?

By

Published : Sep 21, 2022, 7:50 PM IST

କିଏ ହେବ କଂଗ୍ରେସର ନୂଆ ଅଧ୍ୟକ୍ଷ ? ଏହାକୁ ନେଇ ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି (speculation for congress president election )। ଗାନ୍ଧୀ ପରିବାରରୁ ପୁଣି କିଏ ଅଧ୍ୟକ୍ଷ ହେବେ ନା ଅଣଗାନ୍ଧୀ ମଙ୍ଗୁଆଳଙ୍କୁ ବାଛିବେ କାର୍ଯ୍ୟକାରିଣୀ ସଦସ୍ୟ ? ଅଧିକ ପଢ଼ନ୍ତୁ

କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା, କିଏ ହେବ ଦଳର ମଙ୍ଗୁଆଳ ?
କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା, କିଏ ହେବ ଦଳର ମଙ୍ଗୁଆଳ ?

ଭୁବନେଶ୍ବର: କଂଗ୍ରେସ ଅଧ୍ୟକ୍ଷ ପଦ ଏବେ କିଏ ସମ୍ଭାଳିବ ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । କୌଣସି ଅଣଗାନ୍ଧୀ ନା ପୁଣି ଗାନ୍ଧୀ ପରିବାର ସଦସ୍ୟଙ୍କୁ କଂଗ୍ରେସର ମଙ୍ଗୁଆଳ କରାଯିବ ? ତାହାକୁ ନେଇ ଏବେ କଂଗ୍ରେସର କେତେକ ତୁଙ୍ଗ ନେତାଙ୍କ ନାମ ଆଗକୁ ଆସୁଛି (speculation for congress president election) । ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌ ଗାନ୍ଧୀ ପରିବାରର ନିକଟତର ଥିବାରୁ ଅଧ୍ୟକ୍ଷ ରେସ୍‌ରେ ତାଙ୍କ ନାମ ସର୍ବାଗ୍ରେ ରହିଛି । ସେପଟେ ବର୍ତ୍ତମାନ ଶଶି ଥରୁରଙ୍କ ନାମ ତାଲିକାରେ ସାମିଲ ହୋଇଛି । କିନ୍ତୁ କଂଗ୍ରେସର ଦ୍ବନ୍ଦ୍ବ ଦୂର ପାଇଁ ସଚିନ ପାଇଲଟ୍‌ଙ୍କୁ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା, କିଏ ହେବ ଦଳର ମଙ୍ଗୁଆଳ ?

ଗେହଲୋଟ ହେବେ କଂଗ୍ରେସ ଅଧ୍ୟକ୍ଷ !

ବର୍ତ୍ତମାନ ରାଜସ୍ତାନ ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଅଛନ୍ତି ଅଶୋକ ଗେହଲୋଟ । ଅଶୋକ ଗେହଲୋଟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଥିଲେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ସିଟ୍‌ ଛାଡ଼ିବାକୁ ନାରାଜ ଥିବା ଆଲୋଚନା ହେଉଛି (Ashok Gehlot Name for congress president election) । ରାଜସ୍ତାନରେ ବିଧାନସଭା ନିର୍ବାଚନ ପାଇଁ ହାତରେ ଆଉ ବର୍ଷେ ସମୟ ରହିଲା । କଂଗ୍ରେସ ନିଜ ଗଡ଼ ବଞ୍ଚାଇବାକୁ ପୂରା ଜୋର୍‌ ଲଗାଇବ । ତେବେ ଏଥର ସଚିନ ପାଇଲଟ୍‌ଙ୍କୁ ଦାୟିତ୍ବ ଦେଇ ଅଶୋକ ଗେହଲୋଟ ଅଧ୍ୟକ୍ଷ ପଦ ପାଇଁ ମନ ବଳାଇଥିଲେ କଂଗ୍ରେସର ଦ୍ବନ୍ଦ୍ବ ଦୂର ହୋଇ ପାରନ୍ତା । ତେବେ ଅଶୋକ ଗେହଲୋଟ ଏହାକୁ ନେଇ କୌଣସି ସ୍ପଷ୍ଟ ଆଭିମୁଖ୍ୟ ରଖି ନାହାନ୍ତି ।

ଚର୍ଚ୍ଚାରେ ଶଶି ଥରୁର

ଗତକାଲି ବରିଷ୍ଠ ନେତା ତଥା ସାଂସଦ ଶଶୀ ଥରୁର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବା ପରେ ତାଙ୍କ ପ୍ରାର୍ଥୀତ୍ବକୁ ଗ୍ରୀନ୍‌ ସିଗନାଲ ମିଳିଥିବା ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କିମ୍ବା କେହି ପ୍ରତିକ୍ରିୟା ଦେଇ ନାହାନ୍ତି (Sashi Tharoor for congress president election)। ଅଶୋକ ଗେହେଲୋଟ ଓ ଶଶି ଥରୁର୍‌ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବା ନେଇ ଆଲୋଚନା ହେଉଛି ।

ଏହା ବି ପଢ଼ନ୍ତୁCongress President Election: କିଏ ହେବେ କଂଗ୍ରେସର କମାଣ୍ଡର-ଇନ୍-ଚିଫ୍, ଗାନ୍ଧୀ ପରିବାର ନା ଅଣଗାନ୍ଧୀ ସଦସ୍ୟ

ଲଢ଼ିବେ କି ସଚିନ୍‌ ?

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଅଶୋକ ଗେହଲୋଟ ଓ ଶଶି ଥରୁରଙ୍କ ନାମ ଶିରୋନାମା ପାଲଟିଥିବା ବେଳେ ସଚିନ ପାଇଲଟଙ୍କ ନାମ ଉପରେ ବିଚାର କରିବାକୁ ରାଜନୈତିକ ସମୀକ୍ଷକ ପରାମର୍ଶ ଦେଇଛନ୍ତି (Sachin Pilot for congress president election)। ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଇଁ ହାତରେ ଆଉ ମାତ୍ର ବର୍ଷେ ସମୟ ରହିଲା । ଗେହଲୋଟ୍‌ ରାଜସ୍ଥାନ ମଙ୍ଗ ଛାଡ଼ିବାକୁ ଚାହୁଁ ନାହାନ୍ତି । ଏଭଳି ସ୍ଥିତିରେ ସଚିନ ପାଇଲଟ୍‌ଙ୍କୁ ଦାୟିତ୍ବ ଦେଇ କଂଗ୍ରେସ ଶୁଭ ଚିନ୍ତା କରି ହେବ ବୋଲି ସମୀକ୍ଷକଙ୍କ ମତ ରହିଛି ।

ଏହାକୁ ନେଇ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "କଂଗ୍ରେସ ଦଳର ଭିତରେ ଗାନ୍ଧୀ ପରିବାରର ପ୍ରଭାବ ରହୁଛି । ଦଳର କର୍ମୀ ରାହୁଲ ଗାନ୍ଧୀଙ୍କୁ ଏକ ସର୍ବୋଚ୍ଚ ସ୍ଥାନରେ ଦେଖିବାକୁ ଚାହୁଁଛନ୍ତି । ଗାନ୍ଧୀ ପରିବାରୁ କେହି ପ୍ରାର୍ଥୀ ହେଲେ ଶଶି ଥରୁର ପ୍ରାର୍ଥୀ ହେବେ ନାହିଁ । ଅଶୋକ ଗେହଲୋଟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ପଦ ଛାଡ଼ିଲେ ସଚିନ ପାଇଲଟ୍‌ଙ୍କୁ ଦାୟିତ୍ବ ଦେବେ କି ନାହିଁ ସନ୍ଦେହ । ରାହୁଲ ଗାନ୍ଧୀ ନେତୃତ୍ବ ନେଇ ସଚିନ ପାଇଲଟ୍‌ଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଇବା ଉଚିତ୍‌ । ଏହାଦ୍ବାରା କଂଗ୍ରେସର ମଙ୍ଗଳ ହେବ ।"

ଲଢ଼ିବେନି ରାହୁଲ ଗାନ୍ଧୀ ?

କନ୍ୟାକୁମାରୀରୁ କଂଗ୍ରେସ ଭାରତଯୋଡ଼ ଅଭିଯାନ ଆରମ୍ଭ ହେବାପରେ ରାହୁଲ ଗାନ୍ଧୀ ସେଥିରେ ବ୍ୟସ୍ତ ରହିଛନ୍ତି । ବର୍ତ୍ତମାନ ଏହି ଅଭିଯାନ କେରଳରେ ପହଞ୍ଚିଛି । ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ସେ ଦିଲ୍ଲୀ ଯିବେ ନାହିଁ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ ପାଇଛି । ଏଣୁ ଏଥର ଦଳକୁ ଅଣଗାନ୍ଧୀ ଅଧ୍ୟକ୍ଷ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

'ରାହୁଲ ରେସ୍‌ରେ ନଥିଲେ ପଡ଼ିବନି ପ୍ରଭାବ'

ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ରେସ୍‌ ନଥିବା ଆଲୋଚନା ହେଉଛି । ତେବେ ଏହାଦ୍ବାରା ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବରିଷ୍ଠ କଂଗ୍ରେସ ନେତା ମତ ଦେଇଛନ୍ତି । ଭାରତଯୋଡ଼ ଭଳି ଅଭିଯାନରେ ସାରା ଦେଶରେ ନିଜର ଛାପ ଛାଡ଼ିଛନ୍ତି ରାହୁଲ ଗାନ୍ଧୀ ବୋଲି କଂଗ୍ରେସ ନେତା କହିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଛନ୍ତି, "ଅତୀତରେ ଅଣଗାନ୍ଧୀ ନେତୃତ୍ବ ପାଇଛି କଂଗ୍ରେସ । ଖୁବ୍‌ କମ୍‌ ସମୟ ପାଇଁ ମୋତିଲାଲ ନେହୁର କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ବରେ ଥିଲେ । ଏହାପରେ ଜବାହରଲାଲ ନେହୁର ମଧ୍ୟ ଖୁବ୍‌ ସମୟ ପାଇଁ ଅଧ୍ୟକ୍ଷ ଦାୟିତ୍ବରେ ରହିଥିଲେ । ପୂର୍ବରୁ ବାବୁ ଜଗଜୀବନ ରାମଙ୍କ ନାମରେ ନିର୍ବାଚନ ଲଢ଼ିଛି କଂଗ୍ରେସ । ତା ସହିତ ସୀତାରାମ କେଶରୀ ମଧ୍ୟ କଂଗ୍ରେସ ତୁଙ୍ଗ ନେତା ଥିଲେ । ରାହୁଲ ଅଧ୍ୟକ୍ଷ ପଦ ରେସ୍‌ରେ ନ ରହିବା ଦ୍ବାରା ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।"

କଂଗ୍ରେସରେ ଘଟିବ କି ପରିବର୍ତ୍ତନ ?

ଜାତୀୟ କଂଗ୍ରେସରେ ଗୋଟିଏ ଗୋଷ୍ଠୀ ଜାତୀୟ ଦଳର ପରମ୍ପରାରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି । ଅଣଗାନ୍ଧୀଙ୍କ ହାତରେ କଂଗ୍ରେସ ଡୋର ଦେଲେ ଦଳ ପାଇଁ ଶୁଭଙ୍କର ହେବ ବୋଲି ମତ ରଖିଥିଲେ । କଂଗ୍ରେସର ଅସନ୍ତୁଷ୍ଟ ଏଭଳି କିଛି ଚିଠି ଲେଖିଥିବା ପୂର୍ବରୁ ନଜିର ରହିଛି । ସେପଟେ ଅନ୍ୟ ଏକ ଗୋଷ୍ଠୀ ଏବେ ବି ରାହୁଲ ଗାନ୍ଧୀଙ୍କୁ ସଙ୍ଗଠନ ଦାୟିତ୍ବ ଦେବାକୁ ଅଡ଼ି ବସିଛନ୍ତି । ତେବେ ଅଧ୍ୟକ୍ଷ ପ୍ରାର୍ଥୀ ରେସ୍‌ କେଉଁ ସବୁ ନେତା ରହିଛନ୍ତି ତାହା ପ୍ରାର୍ଥୀପତ୍ର ଦାଖଲ ବେଳେ ଜଣାପଡ଼ିବ ।

ଅଧ୍ୟକ୍ଷ ପଦ ନିର୍ବାଚନ ପ୍ରକ୍ରିୟା

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ସେପ୍ଟେମ୍ବର ୨୪ ତାରିଖରୁ ୩୦ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବ । ଏହାପରେ ଅକ୍ଟୋବର ୧ ତାରିଖରେ ଚୂଡ଼ନ୍ତ ତାଲିକା ପ୍ରକାଶ ପାଇବା ପରେ ଅକ୍ଟୋବର ୧୭ରେ ମତଦାନ ଓ ୧୯ ତାରିଖରେ ଫଳାଫଳ ଘୋଷଣା ହେବ ।

2014ରେ କଂଗ୍ରେସ୍‌ 9ଟି ରାଜ୍ୟରେ ନିଜ ଦମ୍‌ରେ ସରକାର ତିଆରି କରିଥିଲା । ଏବେ ମାତ୍ର 2ଟି ରାଜ୍ୟରେ ନିଜ ଦମ୍‌ରେ ସରକାର ଚଲାଇଛି କଂଗ୍ରେସ । ତେଣୁ ଏଭଳି ସ୍ଥିତିରେ ଅଣଗାନ୍ଧୀ ଅଧ୍ୟକ୍ଷ ହେଲେ ଦଳ ର ସ୍ଥିତି କଣ ହେବ ତାକୁ ନେଇ ରାଜନୈତିକ ମହଲରେ ତର୍ଜମା ଆରମ୍ଭ ହୋଇଯାଇଛି ।

ABOUT THE AUTHOR

...view details