Congress President Election: କିଏ ହେବେ କଂଗ୍ରେସର କମାଣ୍ଡର-ଇନ୍-ଚିଫ୍, ଗାନ୍ଧୀ ପରିବାର ନା ଅଣଗାନ୍ଧୀ ସଦସ୍ୟ

author img

By

Published : Aug 31, 2022, 8:37 PM IST

mixed reaction in Odisha PCC on Congress President Election

୨୦୨୪ ନିର୍ବାଚନ ପାଇଁ ଏବେଠାରୁ ସଜବାଜ ଆରମ୍ଭ । ଖୋଜା ପଡ଼ିଛି ଜାତୀୟ କଂଗ୍ରେସର କିଏ ହେବେ କ୍ୟାପଟେନ୍ । ସୋନିଆ ଓ ରାହୁଲଙ୍କ ନେତୃତ୍ବ ଫେଲ୍‌ ମାରିବା ପରେ ସୃଷ୍ଟି ହୋଇଛି ଏକ ବଡ଼ ଶୂନ୍ୟସ୍ଥାନ (Congress President Election) । ତେବେ ହାଇକମାଣ୍ଡ ଚିହ୍ନଟ ପ୍ରକ୍ରିୟାରେ ପୁନଃ ବଂଶବାଦ ଜାରି ରହିବ ନା ଅଣଗାନ୍ଧୀ ସଦସ୍ୟଙ୍କୁ ମଙ୍ଗ ଧରିବାର ସୁଯୋଗ ମିଳିବ ତାହା ସବୁଠ ବଡ଼ ପ୍ରଶ୍ନ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ୨୦୨୪ ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତ ହେଉଛି ଜାତୀୟ କଂଗ୍ରେସ । ଗତ ଦୁଇ ଦୁଇଥର ସାଧାରଣ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ପରେ କଂଗ୍ରେସରେ ଏକ ବଡ଼ ପରିବର୍ତ୍ତନ ଆଶା କରାଯାଉଛି । ୨୦୧୯ ନିର୍ବାଚନ ପରେ ଅଧ୍ୟକ୍ଷ ପଦ ଛାଡ଼ିଥିଲେ ରାହୁଲ ଗାନ୍ଧୀ(Congress President Election) । ତାଙ୍କ ବଦଳରେ ସୋନିଆ ଗାନ୍ଧୀ ଅନ୍ତରୀଣ ଅଧ୍ୟକ୍ଷା ଦାୟିତ୍ବ ତୁଲାଇ ଆସୁଛନ୍ତି । ବର୍ତ୍ତମାନ ସ୍ଥାୟୀ ହାଇକମାଣ୍ଡ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁ ପ୍ରଦେଶ କଂଗ୍ରେସରେ ମଧ୍ୟ ମିଶ୍ରିତ ପ୍ରତିକ୍ରିୟା ରଖୁଛନ୍ତି ନେତାଏ ।

Congress President Election: ଦଳ ସଜାଡୁଛି କଂଗ୍ରେସ, ଖୋଜା ପଡ଼ିଛି ନେତୃତ୍ବ

ଅଣଗାନ୍ଧୀଙ୍କୁ ମିଳିବ କି କଂଗ୍ରେସ ମଙ୍ଗ ?

କିଏ ନେବ କଂଗ୍ରେସର ନେତୃତ୍ବ, ତାହା ନେଇ ନାନା ପୂର୍ବାନୁମାନ କରାଯାଉଛି । ଅଧ୍ୟକ୍ଷ ପଦ ରେସ୍‌ରେ ଅନେକ ଜଣାଶୁଣା ହେଭିୱେଟ୍‌ ରହିଛନ୍ତି । ପୂର୍ବ ଭଳି ବଂଶାନୁବାଦ ଜାରି ରଖି ଗାନ୍ଧୀ ପରିବାର ହିଁ କାହାକୁ ଦାୟିତ୍ବ ମିଳିବ ନା ଅଣଗାନ୍ଧୀ ନେତାଙ୍କ ହାତରେ କଂଗ୍ରେସ ମଙ୍ଗ ପଡ଼ିବ ତାହାରି ଉପରେ ରହିଛି ସଭିଁଙ୍କ ନଜର । ଯଦି ଅଣଗାନ୍ଧୀଙ୍କ କଥା ଉଠେ ତେବେ ଏହି ତାଲିକାରେ ସଚିନ ପାଇଲଟ, ଅଶୋକ ଗେହଲୋଟ, ଅମ୍ବିକା ସୋନି ଏବଂ ଏକେ ଆଣ୍ଟୋନୀ ଭଳି ତୁଙ୍ଗ ନେତା ରହିଛନ୍ତି ।

କଂଗ୍ରେସରେ ଘଟିବ କି ପରିବର୍ତ୍ତନ ?

ଜାତୀୟ କଂଗ୍ରେସରେ ଗୋଟିଏ ଗୋଷ୍ଠୀ ଜାତୀୟ ଦଳର ପରମ୍ପରାରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି । ଅଣଗାନ୍ଧୀଙ୍କ ହାତରେ କଂଗ୍ରେସ ଡୋର ଦେଲେ ଦଳ ପାଇଁ ଶୁଭଙ୍କର ହେବ ବୋଲି ମତ ରଖିଥିଲେ । କଂଗ୍ରେସର ଅସନ୍ତୁଷ୍ଟ ଏଭଳି କିଛି ଚିଠି ଲେଖିଥିବା ପୂର୍ବରୁ ନଜିର ରହିଛି । ସେପଟେ ଅନ୍ୟ ଏକ ଗୋଷ୍ଠୀ ଏବେ ବି ରାହୁଲ ଗାନ୍ଧୀଙ୍କୁ ସଙ୍ଗଠନ ଦାୟିତ୍ବ ଦେବାକୁ ଅଡ଼ି ବସିଛନ୍ତି । ତେବେ ଅଧ୍ୟକ୍ଷ ପ୍ରାର୍ଥୀ ରେସ୍‌ କେଉଁ ସବୁ ନେତା ରହିଛନ୍ତି ତାହା ପ୍ରାର୍ଥୀପତ୍ର ଦାଖଲ ବେଳେ ଜଣାପଡ଼ିବ ।

ଅଧ୍ୟକ୍ଷ ପଦ ନିର୍ବାଚନ ପ୍ରକ୍ରିୟା

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ସେପ୍ଟେମ୍ବର ୧୯ ତାରିଖରେ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ସେପ୍ଟେମ୍ବର ୨୪ ତାରିଖରୁ ୩୦ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବ । ଏହାପରେ ଅକ୍ଟୋବର ୧ ତାରିଖରେ ଚୂଡ଼ନ୍ତ ତାଲିକା ପ୍ରକାଶ ପାଇବା ପରେ ଅକ୍ଟୋବର ୧୭ରେ ମତଦାନ ଓ ୧୯ ତାରିଖରେ ଫଳାଫଳ ଘୋଷଣା ହେବ । ଏହାକୁ ଓଡ଼ିଶା ଗସ୍ତ ବେଳେ ସୂଚନା ପ୍ରଦାନ କରିଥିଲେ କଂଗ୍ରେସ ସାଂସଦ ନୀରଜ ଡାଙ୍ଗି ।

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, "ରାହୁଲ ଗାନ୍ଧୀ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ହେବା ଦରକାର । ମୁଁ ତାଙ୍କ ସହ କାମ କରିଛି । ତାଙ୍କ ପାଖରେ ଦକ୍ଷତା ରହିଛି । ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ବ । ସେ ନେତୃତ୍ବ ନେଲେ ଜାତୀୟ କଂଗ୍ରେସ ଆହୁରି ସୁଦୃଢ଼ ହେବ । ରାଜନୀତିରେ ହାରଜିତ ଲାଗି ରହିଛି । ତାଙ୍କରି ନେତୃତ୍ବରେ ଦଳ ମଧ୍ୟ ପ୍ରଦେଶ, ରାଜସ୍ତାନ ଓ ଛତିଶଗଡ଼ରେ ବିଜୟ ହାସଲ କରିଛି କଂଗ୍ରେସ ।"

ସେପଟେ ଏହାକୁ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "AICCରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନର୍ବାଚନ ହୋଇ ଆସିଛି । ସବୁଠୁ ଭଲ ନେତା ନିର୍ବାଚିତ ହୁଅନ୍ତି । ପଟ୍ଟାଭୀ ସିତାରାମାୟାଙ୍କୁ ହରାଇ ସୁବାଷ ବୋଷ ବିଜୟ ହାସଲ କରିଥିଲେ । ଏହା ପ୍ରମାଣିତ କରୁଛି କଂଗ୍ରେସରେ କେତେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚନ ହୁଏ । ଏଥର ମଧ୍ୟ ଦଳକୁ ଭଲ ନେତା ମିଳିବ । ଏଥିରେ କୌଣସି ଦ୍ବିମତ । କଂଗ୍ରେସରେ ଯେଉଁ ପ୍ରକ୍ରିୟାରେ ନିର୍ବାଚନ ହୁଏ, ତାହା ଆଉ କେଉଁ ଦଳରେ ହୁଏ ନାହିଁ ।"

ସେପଟେ ରାଜାନୀତି ସମୀକ୍ଷକ ରାଜରାମ ଶତପଥୀ ମଧ୍ୟ ଏହାକୁ ନେଇ ଭିନ୍ନ ମତ ରଖିଛନ୍ତି । ସେ କହିଛନ୍ତି, "ଲୋକେ ସକ୍ଷମ ନେତା ଚାହାନ୍ତି । ଯେଉଁମାନେ ଅକ୍ଷମ ନେତା ସେମାନେ ଶ୍ବେଚ୍ଛାଚାରିତା ଆପଣାଇ ନିଅନ୍ତି । କଂଗ୍ରେସ ପ୍ରଥମ ଜାତୀୟ ରାଜନୈତିକ ଦଳ । ନେତୃତ୍ବ ନିଶ୍ଚିତ ଭାବରେ ଗାନ୍ଧୀ ପରିବାରୁ ବାହାରି ଅନ୍ୟ ହାତକୁ ଯିବା ଦରକାର । କିନ୍ତୁ ସମ୍ଭାବ୍ୟ ବିଦ୍ରୋହକୁ ଏଡ଼ାଇବା ପାଇଁ ଲୋକ ଯଦି ଜାଣିବେ ଅନ୍ୟ କାହାକୁ ଦାୟିତ୍ବ ଦିଆଯାଇଛି ତେବେ ଦଳ ପାଇଁ ଅଡ଼ୁଆ ସୃଷ୍ଟି ହୋଇପାରେ । ସ୍ବାଧୀନ ଚେତା ବ୍ୟକ୍ତି ହିଁ ଏହି ଦଳର ନେତୃତ୍ବ ନେଇ ପାରିବେ ।"

୨୦୧୪ ଓ ୨୦୧୪ ପରେ କ୍ଷମତା ହାସଲ କରିବାକୁ ପୁଣି ୨୦୨୪ରେ ଜୋର ଲଗାଇବ କଂଗ୍ରେସ । ତେବେ ଏଥିପାଇଁ ଶକ୍ତିଶାଳୀ ନେତୃତ୍ବ । କିଏ ନେବ କଂଗ୍ରେସ ନେତୃତ୍ବ ତାହାକୁ ନେଇ ନାନା ଆଲୋଚନା ଜାରି ରହିଛି । ଅକ୍ଟୋବରରେ ଅଧ୍ୟକ୍ଷ ପଦ ନିର୍ବାଚନ ଫଳାଫଳ ପରେ ଜଣା ପଡ଼ିବ କିଏ ହେବ କଂଗ୍ରେସର କ୍ୟାପଟେନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.