ଓଡିଶା

odisha

2024ରେ ନିର୍ଣ୍ଣାୟକ ଲଢେଇ ହେବ, ମୁଁ ବି ନିର୍ବାଚନ ଲଢିବି: ବିଜୟ ମହାପାତ୍ର

By

Published : Sep 23, 2022, 9:54 PM IST

Updated : Sep 23, 2022, 10:37 PM IST

ଆସନ୍ତା 2024 ରେ ନିର୍ଣ୍ଣାୟକ ଲଢେଇ ହେବ । ମୁଁ ବି ନିର୍ବାଚନ ଲଢିବି କହିଲେ ବିଜୟ ମହାପାତ୍ର । ବିଜୟଙ୍କ ଏହି ବୟାନ ପରେ ରାଜ୍ୟ ରାଜନୀତି ସରଗରମ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଆସନ୍ତା 2024 ରେ ନିର୍ଣ୍ଣାୟକ ଲଢେଇ ହେବ । ମୁଁ ବି ନିର୍ବାଚନ ଲଢିବି କହିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ବିଜୟଙ୍କ ଏହି ବୟାନ ପରେ ରାଜ୍ୟ ରାଜନୀତି ସରଗରମ । ଏବେ ତିନି ପ୍ରମୁଖ ରାଜନୈତିକ ଦଳ ନିର୍ବାଚନ ପାଇଁ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଜାତୀୟ ଦଳ ହିସାବରେ ବିଜେପି ପୁରୀରେ ନେତା ଓ କର୍ମୀଙ୍କ ପ୍ରଶିକ୍ଷଣ ଶିବିର କରି 2024 ନିର୍ବାଚନ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିସାରିଲାଣି । ଏପରିକି ଦଳର ବରିଷ୍ଠ ନେତାମାନେ ବିଜେଡି ବିରୋଧରେ ରଣହୁଙ୍କାର ଦେବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଗଣମାଧ୍ୟମରେ ବୟାନ ରଖି ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି । ବଂଶଲ ମଧ୍ୟ ଓଡିଶା ଗସ୍ତରେ ଆସି ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି । ଆଉ ଆଜି ବିଜୟ ମହାପାତ୍ରଙ୍କ ଏହି ମନ୍ତବ୍ୟ ବିଜେପି ଶିବିରକୁ ସୁହାଇପାରେ ।

2024ରେ ନିର୍ଣ୍ଣାୟକ ଲଢେଇ ହେବ, ମୁଁ ବି ନିର୍ବାଚନ ଲଢିବି: ବିଜୟ ମହାପାତ୍ର

ବିଜେପିର ଏହି ବରିଷ୍ଠ ରାଜନେତା ଯଦିଓ ଏବେ ସକ୍ରିୟ ରାଜନୀତିରୁ ଦୂରରେ ଅଛନ୍ତି । କିନ୍ତୁ ରାଜନୀତିରେ ଥିବା ସ୍ପଷ୍ଟ କରିଛନ୍ତି । ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉନଥିଲେ ସୁଦ୍ଧା ଏକ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ଥିବା ସଂକେତ ଦେଇଛନ୍ତି । 2019 ରେ କେନ୍ଦ୍ରାପଡା ପାଟକୁରା ଆସନରୁ ଲଢି, ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ଠାରୁ ପରାସ୍ତ ହୋଇଥିଲେ ବିଜୟ । ସାବିତ୍ରୀ ଅଗ୍ରଓ୍ବାଲ 96 ହଜାର 17 ଖଣ୍ଡ ଭୋଟ ପାଇଥିବା ବେଳେ ବିଜୟ ମହାପାତ୍ର ପାଇଥିଲେ 78 ହଜାର 97 ଖଣ୍ଡ ଭୋଟ । 17 ହଜାର 920 ଖଣ୍ଡ ଭୋଟରେ ହାରିଥିଲେ ବିଜୟ ମହାପାତ୍ର । ଆଗକୁ ଆସୁଛି 2024 ନିର୍ବାଚନ । ଏଥିପାଇଁ ବିଜେଡି ବିଜେପି ଓ କଂଗ୍ରେସ ଆରମ୍ଭ କରିଛନ୍ତି ଜୋରଦାର ପ୍ରସ୍ତୁତି ।

ସେପଟେ କଂଗ୍ରେସ ମଧ୍ୟ ଦଳକୁ ସଂଗଠିତ ସୁଦୃଢ କରିବା ପାଇଁ ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା ମାଧ୍ୟମରେ ରାଜ୍ୟରୁ ରାଜ୍ୟ ବୁଲି କଂଗ୍ରେସକୁ ମଜବୁତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଓଡିଶା ଆସି ଉତ୍ସାହିତ କରୁଛନ୍ତି ଦିଗବିଜୟ ସିଂହ ଏବଂ ଜୟରାମ ରମେଶଙ୍କ ପରି ବରିଷ୍ଠ ନେତା । ବିଜେଡି ମଧ୍ୟ ଯାଜପୁରରେ ପ୍ରଶିକ୍ଷଣ ଶିବିର ଆରମ୍ଭ କରିଛି । ମୋଟିଭେସନାଲ ସ୍ପିକର ଜରିଆରେ କେମିତି ସେବା କରାଯିବ ସେନେଇ ନେତା ଓ କର୍ମୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଏଥି ସହିତ ନେତା ଓ ମନ୍ତ୍ରୀଙ୍କୁ ଜିଲ୍ଲାର ଦାୟିତ୍ବ ବଣ୍ଟନ କରିସାରିଛି ବିଜେଡି ।

ଆଉ ଏହାରି ଭିତରେ ବିଜେପିର ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ଏହି ବୟାନ ରାଜ୍ୟ ରାଜନୀତିର ପାରା ବଢାଇ ଦେଇଛି । ‘ଆଜି ଇଟିଭି ଭାରତକୁ ସାକ୍ଷାତକାର ଦେଇ ବିଜୟ କହିଛନ୍ତି, "2024 ରେ ଓଡିଶାରେ ଏକ ନିର୍ଣ୍ଣାୟକ ଲଢେଇ ହେବାକୁ ଯାଉଛି ।’’

ତେବେ ବେଶ କିଛି ଦିନ ଧରି ନୀରବ ଥିବା ବିଜୟଙ୍କ ଏହି ମନ୍ତବ୍ୟ ବେଶ ଗୁରୁତ୍ବପୂର୍ଣ୍ଣ ବହନ କରୁଛି । ଯଦିଓ ବିଜେପିରେ ଥିଲେ ମଧ୍ୟ ସେମିତି କୌଣସି ଦଳୀୟ କାର୍ଯ୍ୟକ୍ରମରେ ଭାଗ ନେଉନାହାଁନ୍ତି । ଏପରିକି ଆକ୍ଟିଭ ଥିବାର କୌଣସି ସଂକେତ ଦେଖିବାକୁ ମିଳୁନାହିଁ । ଏପଟେ ଇଟିଭି ଭାରତର ପ୍ରଶ୍ନର ଉତ୍ତର ଦେଇ ବିଜୟ କହିଛନ୍ତି, "2024 ନିର୍ବାଚନରେ ଲଢିବେ କି ନାହିଁ, ସକ୍ରିୟ ରାଜନୀତିରେ ରହିବେ କି ନାହିଁ ଏହାର ଜବାବରେ ବିଜୟ ସିଧା ସିଧା କହିଥିଲେ ସକ୍ରିୟ ରାଜନୀତିରେ ରହିବି ନାହିଁ ବୋଲି ମୁଁ କହିନାହିଁ । ସକ୍ରିୟ ରାଜନୀତିରେ ରହିବି ।" ଟିକେଟ ମିଳିଲେ ଲଢିବେ କି ନାହିଁ ବୋଲି ପ୍ରଶ୍ନରେ ବିଜୟ ରୋକଠୋକ କହିଥିଲେ, ମୋ କଥା ଛାଡନ୍ତୁ 2024ରେ ଓଡିଶାରେ ନିର୍ଣ୍ଣାୟକ ଲଢେଇ ହେବାକୁ ଯାଉଛି । ତେବେ କାହା କାହା ଭିତରେ ଲଢେଇ ହେବ ସେନେଇ ବିଜୟ କିଛି ସ୍ପଷ୍ଟ କରିନଥିଲେ ।

ସାଧାରଣ ନିର୍ବାଚନକୁ ଆହୁରି ଦେଢ ବର୍ଷରୁ ଅଧିକ ସମୟ ରହିଛି । ନିର୍ବାଚନ ପାଇଁ ରାଜ୍ୟର 3 ପ୍ରମୁଖ ଦଳ ନିଜ ନିଜ କାର୍ଯ୍ୟକ୍ରମକୁ ତୀବ୍ର କରିଛନ୍ତି। ଏପରି ସ୍ଥିତିରେ ବିଜୟଙ୍କ ବୟାନ ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ ବହନ କରୁଛି । ତେବେ ଦେଖିବାର କଥା ଆସନ୍ତା ନିର୍ବାଚନରେ କି ପ୍ରକାର ଲଢେଇ ହେଉଛି । ଆଉ ଲଢେଇରେ କିଏ ବାଜିଗର ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 23, 2022, 10:37 PM IST

ABOUT THE AUTHOR

...view details