ଭୁବନେଶ୍ବର:ପୌର ନିର୍ବାଚନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ୱାର୍ଡ ସଂରକ୍ଷଣ ( ward reservation) ଓ ସୀମା ପୁନଃ ନିର୍ଦ୍ଧାରଣ ତାଲିକା ପ୍ରକାଶ କରିଛି ନଗର ଉନ୍ନୟନ ବିଭାଗ । ଆଉ ଏହାକୁ ନେଇ କୁହୁଳିବାରେ ଲାଗିଛି ଅସନ୍ତୋଷ । ୱାର୍ଡ ସଂରକ୍ଷଣ ଓ ସୀମା ପୁନଃ ନିର୍ଦ୍ଧାରଣ ବିରୋଧରେ ମେଳି କଲେଣି ପୂର୍ବତନ କର୍ପୋରେଟର । ରାଜନୈତିକ ପ୍ରଣୋଦିତ ତାଲିକା ପ୍ରକାଶ କରାଯାଇଥିବା ଅଭିଯୋଗ କରିଛନ୍ତି ଏହି ପୂର୍ବତନ କର୍ପୋରେଟର । ଆବଶ୍ୟକ ପଡିଲେ କୋର୍ଟ ଯିବାକୁ ଚେତାବନୀ ଦେଲେଣି ଏମାନେ ।
ପୌର ନିର୍ବାଚନ ନେଇ ଭୁବନେଶ୍ବର ମହାନଗର ନିଗମ ( Bhubaneswar Municipal Corporation) ର ତାଲିକା ପ୍ରକାଶ ପାଇଛି । ୱାର୍ଡ ସଂରକ୍ଷଣ ଓ ସୀମା ପୁନଃ ନିର୍ଦ୍ଧାରଣ ତାଲିକା ପ୍ରକାଶ ପାଇଛି । ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ତାଲିକାକୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି । ରାଜନୈତିକ ଜୀବନ ପୂର୍ଣ୍ଣଛେଦ ପଡିବା ଆଶଙ୍କା କରିଛନ୍ତି କିଛି ପୂର୍ବତନ କର୍ପୋରେଟର । ଯେଉଁ ଭଳି ଢଙ୍ଗରେ ୱାର୍ଡ ସଂରକ୍ଷଣ ଓ ସୀମା ପୁନଃ ନିର୍ଦ୍ଧାରଣ କରାଯାଇଛି, ଅଧାରୁ ଅଧିକ ପୂର୍ବତନ କର୍ପୋରେଟରଙ୍କ ସ୍ଥିତି ଦୋହଲି ଯାଇଛି । ଯଦି ପ୍ରକାଶ ପାଇଥିବା ତାଲିକା ଅନୁସାରେ ସଂରକ୍ଷଣ ହୁଏ ତେବେ ଉକ୍ତ ୱାର୍ଡରେ ନିଜେ କିମ୍ବା ସମ୍ପର୍କୀୟ ନିର୍ବାଚନ ଲଢିପାରିବେନି ।
ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ଭୁବନେଶ୍ବର ମହାନଗର ନିଗମରେ ବେଶ ଭଲ କାର୍ଯ୍ୟ କରିଥିବା ଓ ଦବଦବା ଥିବା କିଛି ପୂର୍ବତନ କର୍ପୋରେଟରଙ୍କ କ୍ଷମତା ସଙ୍କୁଚିତ କରିବା ଲାଗି ଏହି ତାଲିକା ପ୍ରକାଶ କରାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି କିଛିଦିନ ତଳେ ମେଳି ବାନ୍ଧିଥିଲେ 20 ରୁ ଅଧିକ ପୂର୍ବତନ କର୍ପୋରେଟର ।
ଜୟଦେବ ବାଟିକାରେ ଆୟୋଜିତ ହୋଇଥିବା ଏହି ମେଳିରେ ଭୁବନେଶ୍ବର 3 ନିର୍ବାଚନ ମଣ୍ଡଳୀର ପୂର୍ବତନ କର୍ପୋରେଟର ସାମିଲ ହୋଇଥିଲେ । ଭୁବନେଶ୍ବର ଏକାମ୍ର, ଭୁବନେଶ୍ବର ମଧ୍ୟ ଓ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର ଅସନ୍ତୁଷ୍ଟ ପୂର୍ବତନ କର୍ପୋରେଟର ଏକଜୁଟ ହୋଇଥିଲେ । ଏହି ତାଲିକାକୁ ବିରୋଧ କରି ନିଜ ନିଜ ବିଧାୟକଙ୍କ ନିକଟରେ ଫେରାଦ ହେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।