ଭୁବନେଶ୍ବର:ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ । ଆନ୍ଧ୍ରପ୍ରଦେଶର କଳିଙ୍ଗପାଟ୍ଟନମ୍ର ୨୦ କିମି ଉତ୍ତରକୁ ଓ ଓଡ଼ିଶାର ଗୋପାଳପୁରର ଦକ୍ଷିଣ ପଶ୍ଚିମରେ ୧୬୦ କିମି ଦୂର ସନ୍ଥଗୁଡ଼ାଠାରେ ବାତ୍ୟା ‘ଗୁଲାବ’ ଲ୍ୟାଣ୍ଡଫଲ କରିଛି । ରବିବାର ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇଥିଲା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଯାହା ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୪ କିମି ରହିଥିଲା । ସ୍ଥଳ ବିଶେଷରେ କଳିଙ୍ଗପଟ୍ଟନମ୍ରେ ପବନର ବେଗ ସର୍ବାଧିକ ୯୪ କିମି ରେକର୍ଡ କରାଯାଇଛି । ମଧ୍ୟ ରାତିରେ ମାଲକାନଗିରି, କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫ୍ଲାଶ ଫ୍ଲଡ଼ର ସମ୍ଭାବନା ମଧ୍ୟ ରହିଛି ।
୨୭ ତାରିଖରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର କହିଛି । ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆର୍ସି) ପ୍ରଦୀପ ଜେନା କହିଛନ୍ତି ଯେ ବାତ୍ୟା ପ୍ରଭାବ ଯେତିକି ପଡ଼ିବ ବୋଲି ଆକଳନ କରାଯାଉଥିଲା ସେଭଳି ହୋଇନାହିଁ । ଦକ୍ଷିଣ ଓଡ଼ିଶା ଜିଲ୍ଳା ଗୁଡ଼ିକରେ ଅଳ୍ପ ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି ୩୦ କିମି ରହିଛି । ଗଭୀର ଅବପାତ ବାତ୍ୟା ରୂପ ନେବା ସମୟରେ ଏହାର ଗତି ଘଣ୍ଟା ପ୍ରତି ୭ କିମି ରହିଥିଲା । ଯେଉଁଥିପାଇଁ ମଧ୍ୟରାତିରେ ଲ୍ୟାଣ୍ଡଫଲ୍ କରିବା ନେଇ ଆକଳନ କରାଯାଇଥିଲା। ତେବେ ମଧ୍ୟାହ୍ନ ୧୨ଟା ପରେ ବାତ୍ୟାର ବେଗ ବଢିବାରୁ ୩ ଘଣ୍ଟା ଆଗରୁ ଲ୍ୟାଣ୍ଡଫଲ୍ କରିଛି।