ଓଡିଶା

odisha

ଆଇନ ଉପରେ ଭରସା ରଖି ଆନ୍ଦୋଳନ ବନ୍ଦ କରନ୍ତୁ କୁସ୍ତିଯୋଦ୍ଧା: ଅନୁରାଗ ଠାକୁର

By

Published : May 15, 2023, 9:27 PM IST

ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫ ଦାବିରେ କୁସ୍ତିଯୋଦ୍ଧାଙ୍କ ଧାରଣା ୨୩ ଦିନରେ ପହଞ୍ଚିଛି । ତେବେ ଆନ୍ଦୋଳନ ବନ୍ଦ କରିବା ସହ ଆଇନ ଶୃଙ୍ଖଳା ଉପରେ ବିଶ୍ବାସ ରଖିବା ପାଇଁ ଧାରଣାରତ କୁସ୍ତିଯୋଦ୍ଧାଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ଅଧିକ ପଢ଼ନ୍ତୁ

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ନେଇ ଏମିତି କହିଲେ କ୍ରୀଡ଼ାମନ୍ତ୍ରୀ
କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ନେଇ ଏମିତି କହିଲେ କ୍ରୀଡ଼ାମନ୍ତ୍ରୀ

ଶିମ୍‌ଲା: ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫ ଦାବିରେ ଦିଲ୍ଲୀର ଯନ୍ତରମନ୍ତରରେ କୁସ୍ତିଯୋଦ୍ଧାଙ୍କ ଧାରଣା ଜାରି ରହିଛି । ତେବେ ଗତକାଲି (ରବିବାର) ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ନିକଟକୁ ଚିଠି ଲେଖି ସମର୍ଥନ ଲୋଡିଛନ୍ତି କୁସ୍ତିଯୋଦ୍ଧା । ତେବେ କେବଳ ସ୍ମୃତି ଇରାନୀ ନୁହନ୍ତି, ସମସ୍ତ ମହିଳା ସାଂସଦଙ୍କୁ ଚିଠି ଲେଖି ସମର୍ଥନ ମାଗିବେ ବୋଲି ଧାରଣାରତ କୁସ୍ତିଯୋଦ୍ଧା କହିଛନ୍ତି । ଏପଟେ ଆନ୍ଦୋଳନ ବନ୍ଦ କରିବା ସହ ଆଇନ ଶୃଙ୍ଖଳା ଉପରେ ବିଶ୍ବାସ ରଖିବା ପାଇଁ ଧାରଣାରତ କୁସ୍ତିଯୋଦ୍ଧାଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ହିମାଚଳ ପ୍ରଦେଶର ହାମିର୍‌ପୁରରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକମାନଙ୍କୁ କହିଛନ୍ତି, "ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇ ସେମାନଙ୍କ ଅଭିଯୋଗ ଶୁଣାଯାଇଥିଲା । ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିବା ପାଇଁ ଇଣ୍ଡିଆନ୍‌ ଅଲିମ୍ପିକ୍‌ ଆସୋସିଏସନ୍‌ ଦ୍ବାରା ଗୋଟିଏ ଆଡ୍‌-ହକ୍‌ କମିଟି ଗଠନ କରାଯାଇଛି । କ୍ରୀଡ଼ାବିତ୍‌ମାନଙ୍କ ପାଇଁ ବିଚାର ଆରମ୍ଭ ହୋଇଛି । ଏହାଛଡ଼ା, ସୁପ୍ରିମ୍‌ କୋର୍ଟ ମଧ୍ୟ ତାଙ୍କର ରାୟ ଶୁଣାଇଛନ୍ତି । ଦିଲ୍ଲୀ ପୋଲିସ ମଧ୍ୟ ମାମଲା ରୁଜୁ କରି ବୟାନ ରେକର୍ଡ କରୁଛି । ଖେଳାଳୀ ମାନେ ଆଇନ ଶୃଙ୍ଖଳା ପ୍ରତି ଭରସା ରଖିବା ସହ ପ୍ରତିବାଦ ଅବସାନ କରିବା ଉଚିତ ।

ଏହା ମଧ୍ୟ ପଢ଼ନ୍ତୁ...Wrestlers Protest: ଚିଠି ମାଧ୍ୟମରେ ସ୍ମୃତି ଇରାନୀଙ୍କ ସମର୍ଥନ ଲୋଡିଲେ କୁସ୍ତି ଯୋଦ୍ଧା

ପ୍ରକାଶ ଥାଉ କି, ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ବିନେଶ ଫୋଗାଟ୍‌ ଏବଂ ସାକ୍ଷୀ ମଲ୍ଲିକ୍‌ଙ୍କ ସମେତ ଅନ୍ୟ କୁସ୍ତିଯୋଦ୍ଧାମାନେ ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ତାଙ୍କୁ ଗିରଫ କରିବା ଦାବିରେ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି । ଗତ ଶନିବାର ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ବ୍ରିଜଭୂଷଣ ଶରଣ ସିଂହଙ୍କୁ ଭାରତୀୟ କୁସ୍ତି ସଂଘର କାର୍ଯ୍ୟ ପରିଚାଳନା ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ସେପଟେ ଆସନ୍ତାକାଲି (ମେ ୧୬) କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ଦେବାକୁ ଦେଶର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାପାଇଁ ଦେଶବାସୀଙ୍କୁ ନିବେଦନ କରିଥିଲେ ବିନେଶ ଫୋଗାଟ୍‌ । ଗତ ଏପ୍ରିଲ ୨୧ ତାରିଖରେ ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଦିଲ୍ଲୀର ଯନ୍ତରମନ୍ତରରେ ଧାରଣା ଦେଇଥିଲେ କୁସ୍ତିଯୋଦ୍ଧା । ଦିଲ୍ଲୀ ପୋଲିସ ଏହି ମାମଲା ପଞ୍ଜିକୃତ ନକରିବାରୁ କୁସ୍ତିଯୋଦ୍ଧାମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାପରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ୨ଟି ମାମଲା ରୁଜୁ କରିଥିଲା ଦିଲ୍ଲୀ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details