ଓଡିଶା

odisha

ଚିକିତ୍ସାଧୀନ ବଡ଼ ଭଉଣୀଙ୍କ ଦେହାନ୍ତ, ଗାନ୍ଧୀନଗରରେ ସମସ୍ତ କାର୍ଯ୍ୟକ୍ରମ ବାତିଲ କଲେ ଶାହ

By ETV Bharat Odisha Team

Published : Jan 15, 2024, 4:13 PM IST

Union Minister Amit Shah elder sister passes away : ଅମିତ ଶାହଙ୍କ ବଡ଼ ଭଉଣୀ ରାଜେଶ୍ବରୀ ବେନଙ୍କ ଦେହାନ୍ତ । ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ହୋଇ ମୁମ୍ବାଇରେ ଥିଲେ ଚିକିତ୍ସାଧୀନ । ଅଧିକ ପଢନ୍ତୁ

ଅମିତ ଶାହଙ୍କ ବଡ ଭଉଣୀଙ୍କ ଦେହାନ୍ତ, ମକର ଉତ୍ସବ ବାତିଲ କରି ଫେରିଲେ ଶାହ
ଅମିତ ଶାହଙ୍କ ବଡ ଭଉଣୀଙ୍କ ଦେହାନ୍ତ, ମକର ଉତ୍ସବ ବାତିଲ କରି ଫେରିଲେ ଶାହ

ମୁମ୍ବାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଭଉଣୀ ରାଜେଶ୍ବରୀ ବେନଙ୍କର ଆଜି(ସୋମବାର) ମୁମ୍ବାଇରେ ଦେହାନ୍ତ ହୋଇଛି । ସେ ଗତ କିଛି ମାସ ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ହୋଇ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଆଜି ପୂର୍ବାହ୍ନରେ ତାଙ୍କର 65 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ମକର ଉତ୍ସବ ସହ ଏକାଧିକ କାର୍ଯ୍ୟକ୍ରମ ପାଇଁ ଗୃହରାଜ୍ୟ ଗସ୍ତ କରିଥିବା ଶାହ ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ମୁମ୍ବାଇର ଏକ ହସ୍ପିଟାଲରେ ଗତ କିଛି ମାସ ହେବ ରାଜେଶ୍ବରୀ ବେନ ଚିକିତ୍ସାଧୀନ ଥିଲେ । ଆଜି ପୂର୍ବାହ୍ନରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ମୃତଦେହ ଅହମ୍ମଦାବାଦକୁ ନିଆଯାଉଛି । ସେହିଠାରେ ହିଁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଶାହ ମଧ୍ୟ ଶେଷକୃତ୍ୟରେ ଅଂଶଗ୍ରହଣ କରିପାରନ୍ତି । ଘଟଣା ସମ୍ପର୍କରେ ଜଣାପଡିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତମାମ ବିଜେପି ନେତା ଶୋକ ପ୍ରକାଶ କରିଛନ୍ତି । ଗତ ସପ୍ତାହରେ ଶାହ ମୁମ୍ବାଇ ଗସ୍ତ କରି ଅସୁସ୍ଥ ଭଉଣୀଙ୍କୁ ଭେଟିଥିଲେ । ସେଠାରେ ସେ ରାଜେଶ୍ବରୀ ବେନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଟିମ ସହ ମଧ୍ୟ ଆଲୋଚନା କରି ଫେରିଥିଲେ । ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ହସ୍ପିଟାଲରେ ରାଜେଶ୍ବେରୀ ବେନଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ପିଏମ୍ ଜନମନ ଲାଭାର୍ଥୀଙ୍କୁ ପ୍ରଥମ କିସ୍ତି, ଗରିବଙ୍କ ଘରେ ଦୀପାବଳିର ମାହୋଲ କହିଲେ ମୋଦି

ମକର ସଂକ୍ରାନ୍ତି ଉତ୍ସବ ପାଇଁ ଶାହ ନିଜ ଗୃହ ସଂସଦୀୟ କ୍ଷେତ୍ର ଗାନ୍ଧୀନଗର ଗସ୍ତ କରିଥିଲେ । ସେଠାରେ ସେ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଅହମ୍ମଦାବାଦରେ ମଧ୍ୟ ଗୁଡ଼ିଉଡ଼ା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଗୁଜୁରାଟରେ ଅନ୍ୟ ଦୁଇ କାର୍ଯ୍ୟକ୍ରମରେ ଶାହଙ୍କ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା । ବନସକାନ୍ତ ଜିଲ୍ଲାର ଦେଉଦରର ବନସ ଡାଏରୀରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ କରିଥାନ୍ତେ ଶାହ । ପରେ ସେ ଗାନ୍ଧୀନଗରର ରାଷ୍ଟ୍ରୀୟ ରକ୍ଷା ବିଶ୍ବବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା । ଶାହଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିବା ବିଜେପି ପକ୍ଷରୁ ସୂଚନା ମିଳିଛି । ଶାହ ଗତକାଲିଠାରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତ କରିଥିଲେ । ସେ ଗତକାଲି ଗାନ୍ଧୀନଗର ଜଗନ୍ନାଥ ମନ୍ଦିରରେ ଦର୍ଶନ କରିଥିଲେ । ନିଜ ଗୃହ ସଂସଦୀୟ କ୍ଷେତ୍ର ଗାନ୍ଧୀନଗରରେ ସେ ବିଭିନ୍ନ ସ୍ଥାନରେ ମକର ଉତ୍ସବରେ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details