ETV Bharat / bharat

ପିଏମ୍ ଜନମନ ଲାଭାର୍ଥୀଙ୍କୁ ପ୍ରଥମ କିସ୍ତି, ଗରିବଙ୍କ ଘରେ ଦୀପାବଳିର ମାହୋଲ କହିଲେ ମୋଦି

author img

By ETV Bharat Odisha Team

Published : Jan 15, 2024, 2:15 PM IST

PM Modi Releases PM-JANMAN: ପିଏମ ଜନମନ ଲାଭାର୍ଥୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ । ଭିସି ଜରିଆରେ କିସ୍ତି ଜାରି କରିବା ସହିତ ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

PM JANMAN
ପିଏମ ଜନମନ

ନୂଆଦିଲ୍ଲୀ: ଜନମନ ଲାଭାର୍ଥୀଙ୍କୁ ପ୍ରଥମ କିସ୍ତି ଜାରି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି(ସୋମବାର) ଭିଡିଓ କନଫରେନ୍ସିଂ ଜରିଆରେ ପିଏମ ଜନମନ ଯୋଜନା ଅଧିନରେ 1ଲକ୍ଷ ଲାଭାର୍ଥୀଙ୍କୁ ପ୍ରଥମ କିସ୍ତି ଭାବେ 540 କୋଟି ଟଙ୍କା ଜାରି କରିଛନ୍ତି । ଲାଭାର୍ଥୀଙ୍କୁ ପ୍ରଥମ କିସ୍ତି ଜାରି କରିବା ସହିତ ହିତାଧିକାରୀଙ୍କ ସହିତ ବାର୍ତ୍ତାଳାପ କରିଥିଲେ ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି, "ପ୍ରତ୍ୟେକ ହିତାଧିକାରୀ ସରକାରୀ ଯୋଜନାର ଲାଭ ଉଠାଇ ପାରିବେ ତାହା ଆମ ସରକାରର ମୁଖ୍ୟ ପ୍ରୟାସ ଅଟେ । ଆପଣ ଜାଣିଛନ୍ତି ଯେ, ଏହା ମୋଦିଙ୍କର ଗ୍ୟାରେଣ୍ଟି ଅଟେ । "

ମୋଦି ତାଙ୍କ ବ୍ୟକ୍ତବ୍ୟ ରାମ୍ ରାମ୍ରୁ ଆରମ୍ଭ କରିଥିଲେ। ସେ କହିଛନ୍ତି, "ବର୍ତ୍ତମାନ ସମୟରେ ସାରା ଦେଶରେ ଉତ୍ସବର ମାହୋଲ। ଉତ୍ତରାୟଣ, ମକର ସଂକ୍ରାନ୍ତି, ବିହୁ, ପୋଙ୍ଗଲ ପାଇଁ ସାରା ଦେଶ ଉତ୍ସର ମୁଖର ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ଖୁସିକୁ ଦ୍ବିଗୁଣିତ କରିଛି । ଯେତେବେଳେ ଅଯୋଧ୍ୟାରେ ଦୀପାବଳି ପାଳନ କରାଯାଉଛି, ସେହି ସମୟରେ ମୋର ଅତିପ୍ରିୟ ଆଦିବାସୀ ସମୂହ ଏବଂ ଜନଜାତିଙ୍କ ଘରେ ମଧ୍ୟ ଆଜି ଦୀପାବଳି ପାଳନ ହେବ । ଏହା ମୋ ପାଇଁ ଅତ୍ୟନ୍ତ ଖୁସିର ବିଷୟ। ଆଜି ତାଙ୍କର ପକ୍କା ଘର ପାଇଁ ବ୍ୟାଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର କରାଯାଉଛି । ଏହି କାର୍ଯ୍ୟ ପାଇଁ ମତେ ସୁଯୋଗ ମିଳୁଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି । "

ମୋଦି ଆହୁରି ମଧ୍ୟ କହିଛନ୍ତି, "ପ୍ରତ୍ୟେକ ହିତାଧିକାରୀ ସରକାରୀ ଯୋଜନାର ଲାଭ ଉଠାଇ ପାରିବେ, ତାହା ଆମ ସରକାରର ମୁଖ୍ୟ ପ୍ରୟାସ । ଏହା ପିଏମ ଜନମନର ମୁଖ୍ଯ ଲକ୍ଷ୍ୟ । ଗତ 2 ମାସ ତଳେ ଘୋଷଣା କରାଯାଇଥିଲା, ଆଜି ତାହା ସମ୍ଭବ କରାଗଲା । ସମସ୍ତ ଆଦିବାସୀ ସମୂହ ଏବଂ ଜନଜାତିର ସୁବିଧା ପାଇଁ ଆମ ସରକାର ଏହି ଅଭିଯାନ ଆରମ୍ଭ କରିଛନ୍ତି । ଜିଲ୍ଲା ଏବଂ ରାଜ୍ୟର ସମସ୍ତ ଅଧିକାରୀଙ୍କୁ ମୁଁ ବଧାଇ ଦେଉଛି । ସେମାନଙ୍କର ସହଯୋଗରେ ଆଜି ଗରିବଙ୍କ ଘରେ ଦୀପାବଳି ପାଳନର ସମ୍ଭାବନା ସୃଷ୍ଟି ହୋଇଛି । "

ଏହା ମଧ୍ୟ ପଢନ୍ତୁ: ଅଟଳ ସେତୁ ଭାରତର ଗର୍ବ: ପ୍ରଧାନମନ୍ତ୍ରୀ ମୋଦି

ଆଦିବାସୀ ଅଞ୍ଚଳ ପିଲାମାନେ କ୍ରୀଡ଼ାରେ ଗୌରବ ଆଣିଛନ୍ତି: ହିତାଧିକାରୀଙ୍କ ସହିତ ବାର୍ତ୍ତାଳାପ କରିବା ସମୟରେ ମୋଦି କହିଛନ୍ତି, "ଆପଣମାନଙ୍କର ଖେଳକୁୁଦରେ ରୁଚି ରହିବା ଉଚିତ । ଆମ ଆଦିବାସୀ ଅଞ୍ଚଳର ପିଲାମାନେ କ୍ରୀଡ଼ାରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି, ଏହା ଆପଣମାନେ ଦେଖିଥିବେ ।"

ମନକୁନଭାରୀ ସହ କଥା ହେଲେ ମୋଦି: ବିଭିନ୍ନ ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀ ମନକୁନଭାରୀ ସହିତ ମୋଦି ବାର୍ତ୍ତାଳାପ କରିଛନ୍ତି । ତାଙ୍କୁ ମୋଦି ପଚାରିଥିଲେ, "ସରକାରଙ୍କ କେଉଁ କେଉଁ ଯୋଜନା ଦ୍ବାରା ତୁମେ ଉପକୃତ ହୋଇଛ ? " ଏହି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନା ଦ୍ବାରା ନିର୍ମିତ ପକ୍କା ଘରେ ଆମେ ବସବାସ କରୁଛୁ । ପୂର୍ବରୁ ବିଦ୍ୟୁତ ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲୁ, କିନ୍ତୁ ବର୍ତ୍ତମାନ ତାହା ମଧ୍ୟ ହେଉନାହିଁ । ଆମ ପରିବାରରେ 5ଜଣ ସହସ୍ୟ। ପୂର୍ବରୁ ଜଙ୍ଗଲକୁ ଯାଇ କାଠ ଆଣିଲେ ଆମ ଘରେ ଆହାର ପ୍ରସ୍ତୁତ ହେଉଥିଲା । କିନ୍ତୁ ଏବେ ତାହା ମଧ୍ୟ କରିବାକୁ ପଡୁନାହିଁ। ଉଜ୍ବଳା ଯୋଜନାରେ ଗ୍ୟାସ ସିଲିଣ୍ଡର ପାଇଥିବାକୁ ଶୀଘ୍ର ଏବଂ ଅତି ସହଜରେ ଖାଦ୍ୟ ପ୍ରସ୍ତୁତ କରିପାରୁଛୁ । "

ପ୍ରକାଶ ଥାଉକି, 2023 ମସିହା ନଭେମ୍ବର ମାସ 15 ତାରିଖ(ଜନଜାତି ଗୌରବ ଦିବସ)ରେ ପିଏମ ଜନମନ୍ ଯୋଜନାର ଶୁଭାରମ୍ଭ କରିଥିଲେ ମୋଦି। ଏହି ଯୋଜନା ଅଧିନରେ ସରକାର ଆଦିବାସୀ ସମୂହ ଏବଂ ଆଦିମ ଜନଜାତିଙ୍କ ନିକଟରେ ପହଞ୍ଚିବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ଦୁର୍ବଳ ଜନଜାତି ସମୂହକୁ 4.9 ଲକ୍ଷ ପକ୍କାଘର ଯୋଗାଇ ଦିଆଯିବ । ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରତି ଘର ପାଇଁ ହିତାଧିକାରୀଙ୍କୁ ମିଳିବ 2.39 ଲକ୍ଷ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.