ଓଡିଶା

odisha

ବିଶ୍ବରେ ଶିମିଳିପାଳ ସାଜିଛି ବିରଳ 'କଳା ବାଘ'ଙ୍କ ଏକମାତ୍ର ଘର: ରିପୋର୍ଟ

By

Published : Sep 27, 2021, 2:19 PM IST

ଆମେରିକା ଓ ଭାରତ ମିଳିତ ଗବେଷଣାର ରିପୋର୍ଟ ଅନୁସାରେ ବିଶ୍ବରେ ଅଧିକାଂଶ 'କଳା ବାଘ' ଶିମିଳିପାଳରେ ଦେଖିବାକୁ ମିଳିଛି । ଯାହାକି ଏହି କଳାବାଘଙ୍କ ଏକମାତ୍ର ଘର ପାଲଟିଛି । ଅଧିକ ପଢନ୍ତୁ...

ବିଶ୍ବରେ 'କଳା ବାଘ'ଙ୍କ ଏକମାତ୍ର ଘର ପାଲଟିଛି ଶିମିଳିପାଳ: ରିପୋର୍ଟ
ବିଶ୍ବରେ 'କଳା ବାଘ'ଙ୍କ ଏକମାତ୍ର ଘର ପାଲଟିଛି ଶିମିଳିପାଳ: ରିପୋର୍ଟ

ହାଇଦ୍ରାବାଦ: ବାଘ ସଂରକ୍ଷଣ ପାଇଁ ଶିମିଳିପାଳ ଦେଶର ବୃହତ ଅଭୟାରଣ୍ୟ ହୋଇପାରିଛି । ଏଠାରେ ୧୫ଟି ବାଘ ରହୁଥିବା ବେଳେ ସେଥିରୁ ୬ଟି ରହିଛନ୍ତି ବାଘ ଛୁଆ । ତେବେ ଆମେରିକା ଓ ଭାରତର ମିଳିତ ଗବେଷଣା ମାଧ୍ୟମରେ ଜଣାପଡ଼ିଛି ଯେ ଶିମିଳିପାଳରେ ରହୁଥିବା ବାଘଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ବାଘ ହେଉଛନ୍ତି କଳାବାଘ ବା ସ୍ୟୁଡୋମେଲାନିଷ୍ଟିକ । ତେବେ ପ୍ରୋସିଡିଙ୍ଗସ ଅଫ ଦି ନ୍ୟାସନାଲ ଏକାଡ଼େମୀ ଅଫ ସାଇନ୍ସ(PNAS)ର ରିପୋର୍ଟରେ ଏହା ଦର୍ଶାଯାଇଛି ।

ବିଶ୍ବରେ କଳାବାଘ କେବଳ ଶିମିଳିପାଳ ଅଭୟାରଣ୍ୟରେ ଅଧିକାଂଶ ଦେଖିବାକୁ ମିଳିଛନ୍ତି । ସ୍ୟୁଡୋମେଲାନିଜିମ (Pseudomelanism) ହେଉଛି ବାଘମାନଙ୍କର ଏକ ବିରଳ ଜେନେଟିକ୍ ଗୁଣ । ଯେଉଁଥିରେ ସେମାନଙ୍କ ଶରୀରରେ କଳା ରଙ୍ଗର ମୋଟା ରେଖା ଏକତ୍ର ହୋଇରହିଥାଏ । ଯାହାଦ୍ବାରା ବାଘଙ୍କ ଶରୀରର ରଙ୍ଗ କମଳା ଓ ବାଦାମୀ ପରିବର୍ତ୍ତେ କଳା ଦେଖାଯାଏ ଓ କମଳା ବାଦାମୀ ରଙ୍ଗ କଳା ଷ୍ଟ୍ରାଇପ୍ ମଧ୍ୟରେ କ୍ବଚିତ ଦେଖାଯାଏ ।

ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶଙ୍କ ଟ୍ବିଟ ଅନୁସାରେ ଓଡିଶାର ଶିମିଳିପାଳ ହେଉଛି ଭାରତର ଅନେକ ବୃହତ୍ତମ ଟାଇଗର ସଂରକ୍ଷଣ ଅଭୟାରଣ୍ୟ ମଧ୍ୟରେ ଗୋଟିଏ । ନିକଟରେ ହୋଇଥିବା ଏକ ଅନୁସନ୍ଧାନ ରିପୋର୍ଟ ଅନୁସାରେ ଏହା ସମ୍ଭବତଃ ଦୁନିଆର ଏକମାତ୍ର ‘କଳା’ ବାଘର ଘର ବୋଲି ସେ ଟ୍ବିଟରେ କହିଛନ୍ତି । ସେପଟେ ଏହି କଳାବାଘଙ୍କ ଉପରେ ବେଙ୍ଗାଲୁରୁର ଜାତୀୟ ଜୈବ ବିଜ୍ଞାନ କେନ୍ଦ୍ର ମଧ୍ୟ ଗବେଷଣା କରିଥିଲା । ଜେନେଟିକ୍ ବିଶ୍ଳେଷଣ ନିଶ୍ଚିତ କରିଛି ଯେ ଶିମିଳିପାଳରେ ଜେନେଟିକ ପରିବର୍ତ୍ତନ ଆସିଥିବାରୁ ଏହି କଳାବାଘଙ୍କୁ ଦେଖିବାକୁ ମିଳିଛି ।

ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ବାଘଙ୍କ ସଂରକ୍ଷଣ ପାଇଁ ଏହି ଶିମିଳିପାଳ ଅଭୟାରଣ୍ୟ ରହିଛି । ଅଭୟାରଣ୍ୟ ପ୍ରାୟ ୨୭୫୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ବେଙ୍ଗଲ ଟାଇଗର (ମହାବଳ)ଙ୍କ ଘର ଭାବେ ଜଣାଯାଏ । ଶିମିଳିପାଳରେ ଅଧିକାଂଶ କଳାବାଘ ଦେଖାଯିବା ପରେ ମହାବଳ ବିଲୁପ୍ତକୁ ନେଇ ଚିନ୍ତାପ୍ରକଟ କରାଯାଇଛି । ତେବେ କଂଗ୍ରେସ ନେତା ରମେଶଙ୍କ କହିବା ଅନୁସାରେ ବାଘଙ୍କ ଜେନେଟିକ ପୁଲ୍‌ରେ ପରିବର୍ତ୍ତନକୁ ବୃଦ୍ଧି କରିବା ସହିତ 'କଳାବାଘ'ଙ୍କ ରକ୍ଷା ଓ ଅନ୍ୟ ପ୍ରଜାତିର ବାଘଙ୍କ ସଂଖ୍ୟା ବୃଦ୍ଧି କରିବା ଆବଶ୍ୟକ ପଡ଼ିଛି । ଏଥିଲାଗି ଓଡ଼ିଶା ସରକାର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ(@moefcc) ସହିତ ମିଶି ଏ ଦିଗରେ ଆବଶ୍ୟକୀୟ ଜରୁରୀ ପଦକ୍ଷେପ ନେବା ଦରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details