ଓଡିଶା

odisha

ପ୍ରଦର୍ଶନ ଆଧାରରେ ଭୋଟ ଦେଇଛି ନୂଆ ଭାରତ: ଶାହ

By ETV Bharat Odisha Team

Published : Dec 3, 2023, 8:06 PM IST

ଜାତିବାଦ ରାଜନୀତି ନୁହେଁ ବରଂ ପ୍ରଦର୍ଶନ ରାଜନୀତିକୁ ଭୋଟ ଦେଇଛି ନୂଆ ଭାରତ । ସମସ୍ତ 4 ରାଜ୍ୟକୁ ସମର୍ଥନ ପାଇଁ ଶାହ ଦେଲେ ଧନ୍ୟବାଦ । ଅଧିକ ପଢନ୍ତୁ

ପ୍ରଦର୍ଶନ ଆଧାରରେ ଭୋଟ ଦେଇଛି ନୂଆ ଭାରତ: ଶାହ
ପ୍ରଦର୍ଶନ ଆଧାରରେ ଭୋଟ ଦେଇଛି ନୂଆ ଭାରତ: ଶାହ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ହିନ୍ଦୀ ହାର୍ଟଲ୍ୟାଣ୍ଡରେ କ୍ଲିନସ୍ବିପ୍‌ କରିଛି ଭାରତୀୟ ଜନତା ପାର୍ଟି । ସବୁ ଆକଳନକୁ ପଛରେ ପକାଇ ଦଳ ରାଜସ୍ଥାନ, ମଧ୍ୟ ପ୍ରଦେଶ, ଓ ଛତିଶଗଡରେ କ୍ଷମତା ହାସଲ କରିଛି । ଏହାକୁ ନୂଆ ଭାରତର ଭୋଟିଂ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଫଳାଫଳରୁ ସ୍ପଷ୍ଟ ହୋଉଛି ଯେ, ନୂଆ ଭାରତ ପ୍ରଦର୍ଶନ ରାଜନୀତିକୁ ଭୋଟ ଦେଇଛି ବୋଲି ଶାହ କହିଛନ୍ତି । ସେ ଏହି ବିଜୟ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଶାହ ଟ୍ବିଟ କରି କହିଛନ୍ତି, "ମୋଦିଜୀ ଲୋକଙ୍କ ହୃଦୟରେ ରହିଛନ୍ତି । ଆଜିର ଫଳାଫଳ ଏହା ସୂଚାଉଛି ଯେ, ଜାତିବାଦ ରାଜନୀତିର ଶେଷ ହୋଇଛି । ନୂଆ ଭାରତ କେବଳ ପ୍ରଦର୍ଶନ ରାଜନୀତିକୁ ହିଁ ଭୋଟ ଦେଇଛି । ଛତିଶଗଡ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶବାସୀଙ୍କୁ ଏପରି ସମର୍ଥନ ପାଇଁ ସାଲ୍ୟୁଟ୍‌ । ଭାରତୀୟ ଜନତା ପାର୍ଟିର ଏହି ବିଶାଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ।"

ଆଜି ଫଳାଫଳ ସ୍ପଷ୍ଟ ହେବା ପରେ ପ୍ରଧାନମନ୍ତ୍ରୀ ଟ୍ବିଟ କରି ଶୁଭେଚ୍ଛା ଜଣାଇଥିଲେ । ଏହାପରେ ସେ ଦଳୀୟ ମୁଖ୍ୟାଳୟରେ ମଧ୍ୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭାଜପା ମୁଖ୍ୟାଳୟରେ ଭବ୍ୟ ସ୍ବାଗତ କରିଥିଲେ କାର୍ଯ୍ୟକର୍ତ୍ତା । ଏହି ବିଶାଳ ବିଜୟକୁ ‘ମୋଦି ଗ୍ୟାରେଣ୍ଟି’ ବୋଲି ନାରା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ :- 3 ରାଜ୍ୟରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ: ଖଡଗେ

ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ଏହି ବିଜୟକୁ ଐତିହାସିକ ବୋଲି କହିବା ସହ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗକୁ ନିର୍ବାଚନୀ ମୁଦ୍ଦା କରାଯାଇଥିବା ପ୍ରସଙ୍ଗକୁ ମଧ୍ୟ ପରୋକ୍ଷରେ ଉଠାଇଥିଲେ । ଜାତି ଆଧାରରେ ସମାଜକୁ ବିଭାଜିତ କରାଯିବାକୁ ପ୍ରୟାସ କରାଯାଉଥିଲା, ମାତ୍ର ତାହା ବିଫଳ ହୋଇଛି । ବିଜେପି କେବଳ 4 ଜାତି ଜାଣେ, ସେମାନେ ହେଲେ ମହିଳା, ଯୁବା, ଗରିବ ଓ କିଷାନ । ସେମାନଙ୍କ ପାଇଁ ବିଜେପି କାମ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଫଳାଫଳ ଟ୍ରେଣ୍ଡ୍‌ରେ ବିଜେପି ଆଗରେ ରହିଥିବା ବେଳେ ବିଜେପି କାର୍ଯ୍ୟକର୍ତ୍ତାମାନେ ଉତ୍ସବ ପାଳନ ଆରମ୍ଭ କରିଦେଇଥିଲେ । ବିରୋଧୀଙ୍କ ତମାମ ପ୍ରଚାର ସତ୍ତ୍ବେ ଜନତାଙ୍କ ହୃଦୟରେ ପ୍ରଧାନମନ୍ତ୍ରୀ ମୋଦି ଅଛନ୍ତି ବୋଲି ନାରା ଦେଇଥିଲେ । ଏହି ଫଳାଫଳ କଂଗ୍ରେସ ଓ ଏହାର ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟର ଆଗାମୀ କାର୍ଯ୍ୟପନ୍ଥାକୁ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details