ହାଇଦ୍ରାବାଦ:ପୁଣି ବିଶ୍ବକୁ ମହାମାରୀ ଭୟ । ଗତ କିଛିଦିନ ତଳେ ହୁ କୋଭିଡ-୧୯କୁ ବିଶ୍ବ ମହାମାରୀ ତାଲିକାରୁ ହଟାଇଥିବା ବେଳେ ଏବେ ପୁଣି ଏକ ଚିନ୍ତାଜନକ ବିଷୟ ସାମ୍ନାକୁ ଆସିଛି। ଏହାରି ଭିତରେ ଆଉ ଏକ ମହାମାରୀ ନେଇ ବିଶ୍ବବାସୀକୁ ସତର୍କ କରାଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଟେଡ୍ରସ ଆଧାନୋମ। ସେ କହିଛନ୍ତି, " ବିଶ୍ବବାସୀଙ୍କୁ ସତର୍କ ରହିବା ଆବଶ୍ୟକ। କୋଭିଡ-19 ଠାରୁ ମଧ୍ୟ ଆହୁରି ବଡ ମହାମାରୀ ଆସିବାକୁ ଯାଉଛି। ତେଣୁ ବିଶ୍ବବାସୀ ଏବେଠାରୁ ସତର୍କ ରହିବା ଆବଶ୍ୟକ। " ପ୍ରକାଶଥାଉକି, ଗତ କିଛି ମାସର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିଥିଲା କୋରୋନା ମହାମାରୀ। ଦେଶରେ ଦୈନିକ ସଂକ୍ରମଣ 12 ହଜାର ଉପରେ ରହୁଥିଲା। କିନ୍ତୁ ପରବର୍ତ୍ତି ସମୟରେ ସଂକ୍ରମଣ ମାମଲା ପୁରା ହ୍ରାସ ପାଇଛି। ଏହାକୁ ନେଇ ବିଶ୍ବବାସୀ ଟିକେ ଆଶ୍ବସ୍ତି ପାଇଥିବା ବେଳେ ଆଜି ହୁ ପକ୍ଷରୁ ଦିଆଯାଇଥିବା ଚେତାବନୀକୁ ନେଇ ପୁଣି ବିଶ୍ବବାସୀଙ୍କ ମନରେ ଛନକା ପଶିଛି ।
ମେ 22 ତାରିଖରୁ 76 ତମ ବିଶ୍ବ ସ୍ବାସ୍ଥ୍ୟ ସଭା ସ୍ବିଜରଲ୍ୟାଣ୍ଡର ଜେନେଭାରେ ଆରମ୍ଭ ହୋଇଛି । ଏହି ସଭାରେ ଆଜି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଟେଡ୍ରସ ଆଧାନୋମ କହିଛନ୍ତି, "ଆଗକୁ ଏକ ମହାମାରୀ ଆସିବାର ସମ୍ଭାବନା ରହିଛି । ଏହି ଭୁତାଣୁ ଦ୍ବାରା ବିଶ୍ବରେ ଅନେକ ଲୋକେ ସଂକ୍ରଂମିତ ହେବେ । ଏଥିପାଇଁ ସମସ୍ତଙ୍କୁ ସଜାଗ ରିହିବାର ଆବଶ୍ୟକତା ରହିଛି । ଆମକୁ ନିର୍ଣ୍ଣାୟକ ଏବଂ ସାମୂହିକ ଭାବେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଯେମିତି ଆମେ ସବୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଛେ, ସେଭଳି ଏହି ମହାମାରୀକୁ ମାତ ଦେବା ପାଇଁ ପ୍ରୟାସ କରିବା ।"