ମୁ୍ମ୍ବାଇ:ମହାରାଷ୍ଟ୍ରରେ ଥମୁନି ରୋଗୀ ମୃତ୍ୟୁ ଘଟଣା । ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇ ସରକାରୀ ହସ୍ପିଟାଲରେ ୪୯ ଜଣ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହୋଇଛି । ଯାହା ରାଜ୍ୟ ସ୍ବାସ୍ଥ୍ୟସେବାର ଅବ୍ୟବସ୍ଥାକୁ ପଦାରେ ପକାଇଛି । ଗତକାଲି (ସୋମବାର) ନନ୍ଦେଡ ସରକାରୀ ହସ୍ପିଟାଲରେ ୧୨ ଜଣ ନବଜାତକଙ୍କ ସହ ୨୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସାମ୍ଭାଜୀନଗରର ଏକ ସରକାରୀ ହସ୍ପିଟାଲରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ସାମ୍ନାକୁ ଆସିଛି ।
ସୂଚନା ଅନୁସାରେ, ଗତକାଲିଠାରୁ ଆଜି ପୂର୍ବାହ୍ନ ମଧ୍ୟରେ ଛତ୍ରପତି ଶାମ୍ଭାଜୀନଗଗର ସ୍ଥିତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ(GMCH)ରେ ୧୮ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ ରୋଗୀଙ୍କ ହସ୍ପିଟାଲରେ ଭର୍ତ୍ତି କରିବା ପୂର୍ବରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଓ ହସ୍ପିଟାଲରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିବା ସ୍ଥାନୀୟ ହସ୍ପିଟାଲ ଅଧୀକ୍ଷକ କହିଛନ୍ତି ।
ଆଜି ୧୮ ମୃତକଙ୍କ ମଧ୍ୟରେ ୨ ଜଣଙ୍କ ମୃତ୍ୟୁ ହୃଦଘାତରେ ହୋଇଥିବା ବେଳେ ଅନ୍ୟ ଦୁଇଙ୍କର ମୃତ୍ୟୁ ନିମୋନିଆ (pneumonia) ସଂକ୍ରମଣରୁ ହୋଇଛି । ଅନ୍ୟ ୩ ଜଣ କିଡନୀ ଓ ଯକୃତ ସଂକ୍ରମଣଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଜଣେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅନ୍ୟ କିଛି ମୃତକ ବିଭିନ୍ନ ରୋଗରେ ସଂକ୍ରମିତ ହୋଇ ଗୁରୁତର ଥିଲେ । ସେହିପରି ମୃତକଙ୍କ ମଧ୍ୟରେ ଦୁଇ ଜଣ ପ୍ରି-ମ୍ୟାଚ୍ୟୁର (ଗର୍ଭାବସ୍ଥା ଅବଧି ପୂର୍ବରୁ ଜନ୍ମ) ବେବି ମଧ୍ୟ ରହିଛନ୍ତି ।