ଓ୍ବାଶିଂଟନ:ଚଳିତ ଜାତିସଂଘ ସାଧାରଣ ସଭା ଅଧିବେଶନରେ ଭାରତକୁ ମିଳିଛି ବିଭିନ୍ନ ଦେଶର ପ୍ରଶଂସା । ବର୍ତ୍ତମାନର ବୈଶ୍ବିକ ସ୍ଥିତିରେ ଭାରତ ଗ୍ରହଣ କରିଥିବା ଅର୍ଥନୀତି ଓ ବୈଦେଶିକ ନୀତିକୁ ସ୍ବାଗତ କରିବା ସହ ପ୍ରଶଂସା କରିଛନ୍ତି ବିଭିନ୍ନ ବିକଶିତ ଓ ବିକାଶଶୀଳ ଦେଶ । ବର୍ତ୍ତମାନ ସମୟରେ ଚର୍ଚ୍ଚରେ ଥିବା ବୈଶ୍ବିକ ନେତାମାନେ ଭାରତକୁ ପ୍ରଶଂସା କରିଛନ୍ତି । ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଡମିର ଜେଲେନସ୍କି, ଋଷ ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରମୁଖ ରହିଛନ୍ତି । ଏପରିକି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ ମଧ୍ୟ ସ୍ବୀକାର କରିଛନ୍ତି ଯେ, ଆଗମୀ ଦିନରେ ନିରନ୍ତର ବିକାଶ କ୍ଷେତ୍ରରେ ଭାରତ ହିଁ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିବ । ସେହିପରି ବିକାଶଶୀଳ ଦେଶ ଭାବେ ଜାମାଇକା,ପର୍ତ୍ତୁଗାଲ ପରି ଦେଶମାନେ ମଧ୍ୟ ଭାରତକୁ ପ୍ରଂଶସା କରିଛନ୍ତି ।
ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପ୍ରଧାନମନ୍ତ୍ରୀଙ୍କ ନାଁ ନେଇ ସିଧାସଳଖ ମୋଦିଙ୍କ ନେତୃତ୍ବକୁ ପ୍ରଶଂସା କରିଥିଲେ । ଯୁଦ୍ଧ ପରିସ୍ଥିତିରେ ମୋଦି ଗ୍ରହଣ କରିଥିବା ନୀତିକୁ ବର୍ତ୍ତମାନ ସମୟରେ ବେଶ ପ୍ରଭାବଶାଳୀ ଦର୍ଶାଇଥିଲେ ମାକ୍ରୋନ । SCO ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ଉଲ୍ଲେଖ କରିଥିଲେ ମାକ୍ରୋନ ।
ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ମାକ୍ରୋନ୍ କହିଛନ୍ତି, "ଏହା ପାଶ୍ଚାତ୍ୟର ପ୍ରତିଶୋଧ ନେବା କିମ୍ବା ପାଶ୍ଚାତ୍ୟକୁ ପୂର୍ବ ବିରୋଧରେ ପ୍ରବର୍ତ୍ତାଇବାର ସମୟ ନୁହେଁ । ବରଂ ଆମର ସାଧାରଣ ସାର୍ବଭୌମତ୍ବ ତଥା ବର୍ତ୍ତମାନ ସମୟରେ ଆମେ ସାମ୍ନା କରୁଥିବା ଆହ୍ବାନଗୁଡିକୁ ମୁକାବିଲା କରିବାର ସମୟ ଆସିଛି ।’’