ଓଡିଶା

odisha

Alwar Gang Rape Case: ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ, ସରଗରମ ରାଜନୀତି ମାହୋଲ

By

Published : Jan 13, 2022, 8:00 PM IST

ALWAR CASE : ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ମାମଲାରେ ରାଜ୍ୟବ୍ୟାପୀ ବିକ୍ଷୋଭ, ସୁଧୁରୁଛି ପିଡୀତାର ସ୍ବାସ୍ଥ୍ୟବସ୍ଥା
ALWAR CASE : ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ମାମଲାରେ ରାଜ୍ୟବ୍ୟାପୀ ବିକ୍ଷୋଭ, ସୁଧୁରୁଛି ପିଡୀତାର ସ୍ବାସ୍ଥ୍ୟବସ୍ଥା ()

ରାଜସ୍ଥାନର ଅଲୱରର ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ମାମଲାରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ । ସରକାରଙ୍କୁ ଘେରିଲା ବିରୋଧି ବିଜେପି । ପୀଡିତାର ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା । ଜୋର ଧରୁଛି ରାଜନୀତି । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନର ଅଲୱାରର ଦୁଷ୍କର୍ମ ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦିବ୍ୟାଙ୍ଗ ନାବାଳିକାର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ଏସମ୍ପର୍କରେ ସୂଚନା ଦେଇଛନ୍ତି, ଚିକିତ୍ସା କରୁଥିବା ଜୟପୁରର ଜେ.କେ ଲୋନ୍ ହସ୍ପିଟାଲ କର୍ତ୍ତୃପକ୍ଷ । ନାବାଳିକା ଜଣଙ୍କୁ ଅତି ଗମ୍ଭୀର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହି ପ୍ରସଙ୍ଗରେ ଜେ.କେ ଲୋନ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ଅରବିନ୍ଦ ଶୁକ୍ଳା କହିଛନ୍ତି ଯେ ହସ୍ପିଟାଲରେ ପହଞ୍ଚିବା ପରେ ନାବାଳିକାର ଅପରେସନ କରାଯାଇଥିଲା । ପରେ ତାଙ୍କୁ ଆଇସିୟୁରେ ରଖାଯାଇଥିବାବେଳେ ବର୍ତ୍ତମାନ ନାବାଳିକା ଜଣଙ୍କ ବିପଦମୁକ୍ତ ହୋଇଛନ୍ତି ।

ସମ୍ପୂର୍ଣ୍ଣ ଘଟଣାକ୍ରମ :-

ଗତ ମଙ୍ଗଳବାର ରାତିରେ ଘଟିଛି ଏପରି ପାଶବିକ ଘଟଣା । ଅଲୱରର ରେଳବାଇ ଗେଟ୍ କଲଭର୍ଟ ନିକଟରେ ଏହି ମାନସିକ ଦିବ୍ୟାଙ୍ଗ ନାବାଳିକାକୁ କ୍ଷତାକ୍ତ ଅବସ୍ଥାରେ ଠାବ କରାଯାଇଥିଲା । ସ୍ଥାନୀୟ ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ ମୁର୍ମୁଷୁ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରିବା ସହ ନିକଟସ୍ଥ ରାଜୀବ ଗାନ୍ଧୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଅବସ୍ଥା ଗମ୍ଭୀର ଥିବାରୁ ପରେ ନାବାଳିକାଙ୍କୁ ଜୟପୁରର ଜେ.କେ ଲୋନ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପାରିପାର୍ଶ୍ବିକ ସ୍ଥିତିରୁ ଏହିି ଦିବ୍ୟାଙ୍ଗ ନାବାଳିକାଙ୍କୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ରେଳବାଇ ଗେଟ୍ ଓଭରବ୍ରିଜରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିବା ସନ୍ଦେହ କରୁଛି ପୋଲିସ । ତେବେ ଏହି ଘଟଣାରେ ରାଜ୍ୟବାପୀ ଚାପ ବଢୁଥିବାବେଳେ ବିରୋଧ ମଧ୍ୟ ଜୋର ଧରିବାରେ ଲାଗିଛି ।

ହସ୍ପିଟାଲରେ ନେତା ମନ୍ତ୍ରୀଙ୍କ ଭିଡ :-

ଘଟଣା ସମ୍ପର୍କରେ ଖବର ପ୍ରଘଟ ହେବା ପରେ ହସ୍ପିଟାଲରେ ନେତା ମନ୍ତ୍ରୀଙ୍କ ଭିଡ ଦେଖିବାକୁ ମିଳିଥିଲା । ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ପାର୍ସାଡି ଲାଲ ମୀନା ମଧ୍ୟ ଗତକାଲି (ବୁଧବାର) ଡାକ୍ତରଖାନାରେ ପହଞ୍ଚି ପୀଡିତା ନାବାଳିକାର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏହା ପରେ ଆଜି (ଗୁରୁବାର) ସକାଳେ ବିଜେପି ନେତାମାନେ ମଧ୍ୟ ହସ୍ପିଟାଲରେ ମଧ୍ୟ ପହଞ୍ଚିଥିଲେ । ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ ମଧ୍ୟ ଏ ସମ୍ପର୍କରେ ଏକ ଅନୁସନ୍ଧାନ କମିଟି ଗଠନ କରିଥିବା ସୂଚନା ଦେଇଛନ୍ତି ।

ବିଜେପି ଗଠନ କଲା ଅନୁସନ୍ଧାନ କମିଟି :-

ଘଟଣାକୁ ଗମ୍ଭୀରତାର ସହ ନେଇ ରାଜ୍ୟରେ ବିରୋଧୀ ଆସନରେ ଥିବା ବିଜେପି ୪ଜଣିଆ ଟିମ ଗଠନ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ରାଜସ୍ଥାନ ବିଜେପି ନେତ୍ରୀ ଅଲକା ସିଂ ଗୁର୍ଜର, ଜାସ୍କକୌର ମୀନା, ରାମଲାଲ ଶର୍ମା ଏବଂ ଅଲକା ମୁଣ୍ଡଡା ପ୍ରମୁଖ ଏହି କମିଟିର ସଦସ୍ୟ ରହିଛନ୍ତି । ତେବେ ଏହି କିମିଟି ଘଟଣାସ୍ଥଳକୁ ମଧ୍ୟ ଗସ୍ତ କରିଛି । ଏଥିସହ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ପୀଡିତା ନାବାଳିକାର ଚିକିତ୍ସା ପାଇଁ ଡାକ୍ତରଙ୍କ ଏକ ସ୍ବତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି । ପୀଡିତା ନାବାଳିକା ବର୍ତ୍ତମାନ ୨୪ ଘଣ୍ଟିଆ ନିରୀକ୍ଷଣରେ ରହିଥିବାବେଳେ ସ୍ବାସ୍ଥ୍ୟବସ୍ଥାରେ ଅପେକ୍ଷାକୃତ ସୁଧାର ଆସୁଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

ଶିଶୁ ଆୟୋଗ ଅଧ୍ୟକ୍ଷାଙ୍କ ଉଦବେଗ :-

ଏହି ଅଭାବନୀୟ ଘଟଣାକୁ ଗୁରୁତର ସହ ନେଇଛି ରାଜ୍ୟ ଶିଶୁ ଆୟୋଗ । ଆୟୋଗର ଅଧ୍ୟକ୍ଷା ସଂଗୀତା ବେନିୱାଲ ମଧ୍ୟ ନିଜେ ଜେ.କେ ଲୋନ ହସ୍ପିଟାଲରେ ପହଞ୍ଚି ପୀଡିତା ନାବାଳିକାର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି । ଏହି ଅବସରରେ ସଂଗୀତା ବେନିୱାଲ କହିଛନ୍ତି, ପୀଡିତା ନାବାଳିକା ଜଣଙ୍କ ମାନସିକ ବିକାରଗ୍ରସ୍ତ ଥିବାରୁ ଉଚ୍ଚସ୍ତରୀୟ ଡାକ୍ତରୀ ଟିମ ସହ ମାନସିକ ରୋଗ ବିଶେଷଜ୍ଞଙ୍କୁ ମଧ୍ୟ ଚିକିତ୍ସାରେ ନିୟୋଜିତ କରାଯାଇଛି ।

ସାଂସଦ କିରୋରି ମୀଣା ପ୍ରିୟଙ୍କା ଗାନ୍ଧୀଙ୍କୁ କଲେ ଟାର୍ଗେଟ : -

ତେବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ରାଜସ୍ଥାନ ଗସ୍ତରେ ଥିବାବେଳେ ତାଙ୍କୁ ଘେରିବାକୁ ପ୍ରୟାସ କରିଛି ବିଜେପି । ବିଜେପି ସାଂସଦ କିରୋଡୀ ଲାଲ ମୀନା ଗୁରୁବାର ଶତାଧିକ ଛାତ୍ରଛାତ୍ରୀଙ୍କ ସହ ରଣଥାମ୍ବୋରରେ ପହଞ୍ଚି ପ୍ରିୟଙ୍କାକୁୁ ବିରୋଧ କରିବା ସହ ଘେରିବାକୁ ପ୍ରୟାସ କରିଥିଲେ । ତେବେ ନାରାବାଜି ଓ ପ୍ରତିବାଦ ମଧ୍ୟରେ ପୋଲିସ ସେମାନଙ୍କୁ ରୋକିବାରେ ସଫଳ ହୋଇଥିଲା ।

ସରକାରଙ୍କୁ ଟାର୍ଗେଟ କଲେ ସାଂସଦ ଦିୟା କୁମାରୀ :-

ସାଂସଦ ତଥା ବିଜେପି ରାଜ୍ୟ ସାଧାରଣ ସଚିବ ଦିୟା କୁମାରୀ ଏହି ଘଟଣାକୁ ଅତ୍ୟନ୍ତ ଦୁଖଦାୟକ ଏବଂ ଲଜ୍ଜାଜନକ ବୋଲି କହିବା ସହ ଶାସନରେ ଥିବା କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଯେଉଁଠାରେ ଆମର ମହିଳା ଭଉଣୀ ମାନେ ସୁରକ୍ଷିତ ନୁହଁନ୍ତି ମୁଁ ଅତ୍ୟଧିକ ଲଜ୍ଜିତ ଅନୁଭବ କରୁଛି ବୋଲି କହିଥିଲେ ସାଂସଦ ଦିୟା କୁମାରୀ ।ସାହସୀ ବୀରମାନଙ୍କ ଦେଶ ରାଜସ୍ଥାନ ଆଜି ଦୁଷ୍କର୍ମ ରାଜଧାନୀରେ ପରିଣତ ହୋଇଛି ବୋଲି କହି କଂଗ୍ରେସ ସରକାରଙ୍କୁ ଟାର୍ଗେଟ ସିଧା ଟାର୍ଗେଟ କରିଛନ୍ତି ସାଂସଦ ଦିୟା କୁମାରୀ

ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ :-

ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଆଜି (ଗୁରୁବାର) ରାଜ୍ୟର ଅନେକ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉଦୟପୁର ସହରର ସୁରଜପୋଲ ଛକ ଠାରେ ବିଜେପି ନଗର ମହିଳା ମୋର୍ଚ୍ଚା ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କୁ ବିରୋଧରେ ନାରାବାଜି କରିଥିଲା । ସେହିପରି ଅଲୱର ବିଜେପି ମହିଲା ମୋର୍ଚ୍ଚା ମଧ୍ୟ ଭିନ୍ନ ଢଙ୍ଗରେ ସଡକକୁ ଓହ୍ଲାଇ ପ୍ରଦର୍ଶନ କରିଛି । ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ନେଇ ଭରତପୁର ଆଇଜି ପ୍ରସନ୍ନ କୁମାର ଖମେସ୍ରାଙ୍କୁ ଚୁଡି ଭେଟ କରିଥିଲା ଦଳ ।

ସେହିପରି ଏବିଭିପି କର୍ମକର୍ତ୍ତାମାନେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ କରିବା ସହ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାରେ ପୋଲିସ ଓ ପ୍ରଶାସନ ବିଫଳ ହେଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବା ନେଇ ଏକାଧିକ ସଂଗଠନ ଚେତାବନୀ ମଧ୍ୟ ଦେଇଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details